Categories: ଜାତୀୟ

ନ୍ୟାୟ ବ୍ୟବସ୍ଥା ସ୍ବାଧୀନତାର ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ

ନୂଆଦିଲ୍ଲୀ, ୧୫।୧୧(ପି.ଟି.): ତଳ କୋର୍ଟ ଓ ଜିଲା ଅଦାଲତଗୁଡ଼ିକର କାର୍ଯ୍ୟ ଜରିଆରେ ଲକ୍ଷ ଲକ୍ଷ ଲୋକ ଭାରତୀୟ ନ୍ୟାୟ ବ୍ୟବସ୍ଥାର ମନୋଭାବ ସମ୍ପର୍କରେ ଅବଗତ ହୋଇଥାନ୍ତି ବୋଲି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ.ଭି. ରମନା କହିଛନ୍ତି। ତେଣୁ ସବୁ ସ୍ତରରେ ନ୍ୟାୟ ବ୍ୟବସ୍ଥାର ସ୍ବାଧୀନତା ଓ ସାଧୁତାର ସଂରକ୍ଷଣ, ସୁରକ୍ଷା ଓ ପ୍ରସାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମତ ଦେଇଛନ୍ତି। କଲ୍ୟାଣକାରୀ ରାଷ୍ଟ୍ର କଥା ଚିନ୍ତା କଲାବେଳେ ଭାରତୀୟ ନ୍ୟାୟ ବ୍ୟବସ୍ଥା ସବୁବେଳେ ଆଗରେ ରହିଥାଏ। ଦେଶର ସାମ୍ବିଧାନିକ ଅଦାଲତଗୁଡ଼ିକର ନିଷ୍ପତ୍ତି ସାମାଜିକ ଗଣତନ୍ତ୍ରକୁ ବଜାୟ ରଖିଛି। ଲିଗାଲ ଆଓ୍ବାରନେସ୍‌ ଆଣ୍ଡ ଆଉଟ୍‌ରିଚ୍‌ କ୍ୟାମ୍ପେନ୍‌ର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ଜଷ୍ଟିସ ରମନା କହିଥିଲେ, କଲ୍ୟାଣକାରୀ ରାଷ୍ଟ୍ରର ଅଂଶବିଶେଷ ହେବା ସତ୍ତ୍ୱେ ବିଭିନ୍ନ ଯୋଜନାର ସୁଫଳ ଉପଯୁକ୍ତ ହିତାଧିକାରୀଙ୍କ ପାଖରେ ପହଞ୍ଚତ୍ ପାରୁନାହିଁ। ମର୍ଯ୍ୟାଦାଜନକ ଜୀବନ ବଞ୍ଚତ୍ବାର ଅଭିଳାଷ ଅନେକ ସମୟରେ ଦାରିଦ୍ର୍ୟ ଭଳି ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି। ତୃଣମୂଳ ସ୍ତରକୁ ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ସୁଦୃଢ଼ କରା ନ ଗଲେ ସୁସ୍ଥ ନ୍ୟାୟ ବ୍ୟବସ୍ଥାର କଳ୍ପନା କରାଯାଇପାରିବ ନାହିଁ ବୋଲି ସିଜେଆଇ କହିଛନ୍ତି।
ପ୍ରଥମ ଥର ପାଇଁ ସିଧାସଳଖ ହାଇକୋର୍ଟଗୁଡ଼ିକର ମୁଖ୍ୟ ବିଚାରପତି ଓ ବିଚାରପତିମାନଙ୍କୁ ଉଦ୍‌ବୋଧନ ଦେଇ ସିଜେଆଇ କହିଥିଲେ, ସମ୍ବିଧାନ ଆମ ଉପରେ ଯେଉଁ ଦାୟିତ୍ୱ ନ୍ୟସ୍ତ କରିଛି ତାକୁ ମିଳିତ ଭାବେ ଅତ୍ୟନ୍ତ ସଚ୍ଚୋଟତା ଓ ପ୍ରତିବଦ୍ଧତାର ସହ ନିର୍ବାହ କରିବାକୁ ହେବ। ନ୍ୟାୟପାଳିକା ଉପରେ ଜନସାଧାରଣଙ୍କ ଆସ୍ଥା ରହିଛି ଓ ଏହାକୁ ସେମାନେ ଶେଷ ଆଶା ଭାବେ ଧରିନେଇଥାନ୍ତି। ତେଣୁ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟ ସାମ୍ବିଧାନିକ ଯୋଜନା ପ୍ରତି ଅତ୍ୟନ୍ତ ସଚେତନ ରହିବାକୁ ହେବ ବୋଲି ସିଜେଆଇ କହିଛନ୍ତି।

 

Share