୨୨ ବର୍ଷ ପରେ ନ୍ୟାୟ: ୬ ଜଣଙ୍କୁ ଆଜୀବନ ଜେଲ

ଓଡ଼ଗାଁ,୨୫ା୨(ଆଦର୍ଶ କୁମାର ପଟ୍ଟନାୟକ) ନୟାଗଡ଼ ଜିଲା ଶରଣକୁଳ ଥାନା ଅଧୀନ କେଶପାନିଆ ଗ୍ରାମରେ ୨୨ ବର୍ଷ ତଳେ ଘଟିଥିବା ମଦନ ନାହାକ ହତ୍ୟା ମାମଲାର ରାୟ ଶନିବାର ପ୍ରକାଶ ପାଇଛି। ଓଡ଼ଗାଁ ଅତିରିକ୍ତ ଜିଲା ଓ ଦୌରାଜଜ୍‌ ମାନସ ରଞ୍ଜନ ରଥ ଏହି ମାମଲାରେ ୬ ଅଭିଯୁକ୍ତଙ୍କୁ ଦୋଷୀସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୂଚନା ଅନୁଯାୟୀ, ୧୦ା୧୦ା୨୦୦୨ରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କେଶପାନିଆ ଗ୍ରାମର ମଦନ ନାହାକଙ୍କୁ ସେହି ଗ୍ରାମର ମୋଚି ନାଇକଙ୍କ ସମେତ ୧୮ ଜଣ କଟୁରି, ଠେଙ୍ଗାରେ ମରଣାନ୍ତକ ଆକ୍ରମଣ କରିଥିଲେ। ଏହି ଘଟଣାରେ ମଦନଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରିବାକୁ ଯାଇଥିବା ଯୁଗଳ ନାହାକଙ୍କ ସମେତ ଅନ୍ୟମାନେ ଅଭିଯୁକ୍ତମାନଙ୍କ ବୋମା ଓ ପଥର ମାଡ଼ରେ ଗୁରୁତର ହୋଇଥିଲେ। ଏନେଇ ମୃତ ମଦନଙ୍କ ଝିଅ କୁମାରୀ ନାହାକଙ୍କ ଅଭିଯୋଗକ୍ରମେ ଶରଣକୁଳ ଥାନା ପୋଲିସ ବିଭିନ୍ନ ଦଫାରେ ଏକ ମାମଲା(ନଂ.୮୬/୨୦୦୨) ରୁଜୁ କରିଥିଲା। ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହିତ ତଦନ୍ତ କରି କୋର୍ଟରେ ଅଭିଯୋଗପତ୍ର ଦାଖଲ କରିଥିଲା। ଏହି ମାମଲା ଓଡ଼ଗାଁ ଅତିରିକ୍ତ ଜିଲା ଓ ଦୌରାଜଜ୍‌ଙ୍କ ଅଦାଲତରେ ଏସ୍‌ଟି କେସ ନଂ. ୪୪୪/୫୦-୨୦୦୩/୨୦୨୩ରେ ପଞ୍ଜୀକୃତ ହୋଇ ବିଚାର ପ୍ରକ୍ରିୟା ଚାଲିଥିଲା। ୧୮ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଅତିରିକ୍ତ ଜିଲା ଓ ଦୌରାଜଜ୍‌ ରଥ ମୁଦାଲା ଗଣେଶ ନାହାକ, ମେଳିଆ ନାହାକ, ଚତୁର୍ଭୁଜ ନାହାକ, ଭାଗୀ ନାହାକ, ଭୀମ ନାହାକ ଓ ମୋଚି ନାହାକଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୧୦ ହଜାର ଟଙ୍କା ଲେଖା ଜରିମାନା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦୟ ଅଭିଯୁକ୍ତମାନେ ଅତିରିକ୍ତ ୬ ମାସ ସଶ୍ରମ କାରାଦଣ୍ଡ ଭୋଗିବେ ବୋଲି କୋର୍ଟ ନିଜ ରାୟରେ ସ୍ପଷ୍ଟ କରିଛନ୍ତି। ଏହା ସହିତ ମୁଦାଲା ଭାଗୀ ନାହାକଙ୍କୁ ବିସ୍ଫୋରକ ନିରୋଧ ଆଇନ ଅନୁଯାୟୀ ଯୁଗଳ ନାହାକଙ୍କୁ ଆଘାତ କରିଥିବାରୁ ଦଫା ୩୨୬ ଅନୁସାରେ ଅତିରିକ୍ତ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦୟ ୧ ବର୍ଷ ଅଧିକ ସଶ୍ରମ କାରାଦଣ୍ଡ ଭୋଗିବାକୁ କୋର୍ଟ କହିଛନ୍ତି। ଅନ୍ୟପକ୍ଷେ ଏହି ମାମଲାର ୨ ଅଭିଯୁକ୍ତଙ୍କ ତଦନ୍ତ ପ୍ରକ୍ରିୟା ଚାଲିଥିବା ବେଳେ ପରଲୋକ ଘଟିଥିଲା। ଅନ୍ୟ ୧୦ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଅତିରିକ୍ତ ସରକାରୀ ଓକିଲ ଇନ୍ଦୁଭୂଷଣ ମିଶ୍ର ଏହି ମାମଲାକୁ ପରିଚାଳନା କରିଥିଲେ।