କେବଳ ଛଳନା

ଯଦି ତୁମ ସହିତ ମୋର କିଛି ବିବାଦ ଅଛି, ତେବେ ମୁଁ ଏହାକୁ ତିନୋଟି ଉପାୟ ମଧ୍ୟରୁ ଯେକୌଣସି ଗୋଟିଏରେ ସମାଧାନ କରିପାରିବି। ପ୍ରଥମଟି ହେଉଛି ଆଲୋଚନା(ବୁଝାମଣା) ଦ୍ୱାରା। ଯଦି ଉଭୟ ପକ୍ଷର ବିଚାର ସ୍ପଷ୍ଟ ଏବଂ ଉଭୟେ ସେମାନଙ୍କ ସ୍ବାର୍ଥ ଉପରେ ସଚେତନ, ତେବେ ଏକ ଆପୋସ ବୁଝାମଣା ସମ୍ଭବ ହୋଇପାରିବ। ଦ୍ୱିତୀୟ ଉପାୟ ହେଉଛି ଆମ ମଧ୍ୟରେ ଜଣେ ତୃତୀୟ ପକ୍ଷ ମଧ୍ୟସ୍ଥଙ୍କୁ ଯଦି ଉଭୟେ ବିଶ୍ୱାସ କରନ୍ତି ତେବେ ସମାଧାନ ହୋଇଯିବ। ତୃତୀୟ ଉପାୟଟି ହେଉଛି ବଳ(ଯୁଦ୍ଧ), ଯେଉଁଥିରେ ଆମ ମଧ୍ୟରୁ ଜଣେ ଅନ୍ୟକୁ ଜୋର୍‌ଜବରଦସ୍ତ ସମାଧାନ ଗ୍ରହଣ କରିବାକୁ ବାଧ୍ୟକରେ। ଏହି ତିନୋଟିକୁ ଛାଡ଼ିଦେଲେ ଚତୁର୍ଥ ଉପାୟ ନାହିଁ।

ଆସନ୍ତା ବର୍ଷ ହେବାକୁଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫି ଟୁର୍ନାମେଣ୍ଟରେ ଖେଳିବା ପାଇଁ ପାକିସ୍ତାନ ଗସ୍ତରେ ଭାରତ ଯିବାକୁ ଚାହୁଁନାହିଁ। ଏକ ରିପୋର୍ଟରେ ପ୍ରକାଶ ପାଇଛି, ପାକିସ୍ତାନ କ୍ରିକେଟ ବୋର୍ଡ ଆଇସିସିରୁ ଏକ ଇ-ମେଲ୍‌ ପାଇଛି, ଯେଉଁଥିରେ ବିସିସିଆଇ ଦର୍ଶାଇଛି ଯେ ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ ଦଳ ପାକିସ୍ତାନ ଯିବନାହିଁ। ଅନେକ ବର୍ଷ ଧରି ଆମର ଏଭଳି ମନୋଭାବ ରହିଆସିଛି। ସବୁବେଳେ ନ ହେଲେ ବି ବେଳେବେଳେ ଏହାର କାରଣ ଭାବେ ଦର୍ଶାଯାଉଛି, ସୀମାପାର ଆତଙ୍କ ବନ୍ଦ ନ ହେବା ପର୍ଯ୍ୟନ୍ତ ଆମେ କୂଟନୈତିକ ଦୃଷ୍ଟିରୁ ପାକିସ୍ତାନ ସହ ‘କଥାବାର୍ତ୍ତା’ କରିବୁ ନାହିଁ କି ସାଂସ୍କୃତିକ ଭାବରେ ଜଡ଼ିତ ହେବୁନାହିଁ।

ପ୍ରକୃତରେ କ୍ରିକେଟ୍‌ ପ୍ରତି ମୋର ଆଗ୍ରହ ନାହିଁ। ମୁଁ ଜାଣିନି ଆମ ଅଧିନାୟକ କିଏ ଏବଂ ଦଳର ଅଧା ଖେଳାଳିଙ୍କୁ ବି ଚିହ୍ନିପାରିବି ନାହିଁ। ଆମ ଦଳର ଖେଳ ବିଷୟରେ ମୁଁ ବିଶେଷ ଧ୍ୟାନ ଦିଏନାହିଁ। ତେବେ ଆମେ ଶତ୍ରୁ ସହିତ ଆଲୋଚନା କରିବୁନାହିଁ ବୋଲି ସରକାର ଯାହା କହୁଛନ୍ତି, ତାହା ଉପରେ ଯୁକ୍ତିଯୁକ୍ତ ଅନୁଧ୍ୟାନ କରିବାକୁ ମୁଁ ଏହା ଲେଖୁଛି। ଯେହେତୁ ମୋର ଜଣେ ଟୁଇଟର ବନ୍ଧୁ ଡ. ଅଜୟ କାମାଥ ସୂଚିତ କରିଛନ୍ତି ଯେ, ଚଳିତବର୍ଷ ଆରମ୍ଭରେ ଡେଭିସ୍‌ କପ୍‌ରେ ପାକିସ୍ତାନ ବିପକ୍ଷରେ ଖେଳିବା ପାଇଁ ଇସ୍‌ଲାମାବାଦ ଯାଇଥିବା ଭାରତର ଟେନିସ୍‌ ଖେଳାଳିଙ୍କ ପାଇଁ ଏହି ସ୍ଥିତି ପ୍ରଯୁଜ୍ୟ ନ ଥିଲା। ଗତମାସରେ ସାଂଘାଇ ସହଯୋଗ ସଂଗଠନ(ଏସ୍‌ସିଓ)ରେ ଭାଗନେବାକୁ ଇସ୍‌ଲାମାବାଦ ଯାଇଥିବା ଆମ ବୈଦେଶିକ ମନ୍ତ୍ରୀଙ୍କ ପାଇଁ ମଧ୍ୟ ଏହା ପ୍ରଯୁଜ୍ୟ ନ ଥିଲା। ଆମ ବହିର୍ବ୍ୟାପାର ମନ୍ତ୍ରଣାଳୟର ୱେବ୍‌ସାଇଟ ଅନୁଯାୟୀ, ଜୟଶଙ୍କର ଉଦ୍‌ଘାଟନୀ ଅଭିଭାଷଣରେ ଏସ୍‌ସିଓ କାଉନ୍‌ସିଲ ଅଫ୍‌ ହେଡ୍‌ସ ଅଫ୍‌ ଗଭର୍ନମେଣ୍ଟର ଅଧ୍ୟକ୍ଷତା ପାଇଁ ପାକିସ୍ତାନକୁ ଅଭିନନ୍ଦନ ଜଣାଇବା ସହ ଏହାର ସଫଳତା ଲାଗି ଭାରତର ସହଯୋଗ ରହିଛି ବୋଲି କହିଥିଲେ। ଡେଭିସ୍‌ କପ୍‌ ଏବଂ ଏସ୍‌ସିଓ କାର୍ଯ୍ୟକ୍ରମରେ ଦୁଇରୁ ଅଧିକ ଦେଶ ଜଡ଼ିତ। ଆଇସିସି ଚାମ୍ପିୟନ୍ସ ଟ୍ରଫି ଠିକ୍‌ ସେହିଭଳି। ଯେତେବେଳେ ଆମେ ଟେନିସ୍‌ ଖେଳିବାକୁ ଇଚ୍ଛୁକ, ସେତେବେଳେ କାହିଁକି କ୍ରିକେଟ୍‌ ଖେଳିବାକୁ ଯିବୁନାହିଁ? ଯଦି ଆମେ ଏସ୍‌ସିଓ କ୍ଷେତ୍ରରେ ପାକିସ୍ତାନକୁ ସମର୍ଥନ ଦେଉଛୁ ଓ ଗମ୍ଭୀରତା ପ୍ରକାଶ କରୁଛୁ, ତେବେ କାହିଁକି ଅନ୍ୟକ୍ଷେତ୍ରରେ ଏପରି କରୁନାହୁଁ? ଏହାର ଉତ୍ତର ମିଳିବ ନାହିଁ। ପ୍ରକୃତ କଥା ହେଉଛି, ଭାରତ ସରକାର କ୍ରିକେଟ୍‌କୁ ଅଧିକ ଆଗକୁ ନେଇଛନ୍ତି, ଗୁରୁତ୍ୱ ମଧ୍ୟ ଦେଉଛନ୍ତି। କିନ୍ତୁ କ୍ରିକେଟ୍‌ ଜାତୀୟ ସମ୍ମାନର ସ୍ପନ୍ଦନ ନୁହେଁ। ତୁମେ ଖେଳ କିମ୍ବା ନ ଖେଳ, ଜିତ କିମ୍ବା ହାର; ଏହା ବାହ୍ୟଜଗତକୁ ପ୍ରଭାବିତ କରେନାହିଁ। ଶତ୍ରୁ ସହ କ୍ରିକେଟ୍‌ ନ ଖେଳିଲେ ଆମ ସମସ୍ୟାର ସମାଧାନ ହେବନାହିଁ, ଏହା ନିଶ୍ଚିତ। ଯଦି ହେବ, କେବଳ ଉପରବର୍ଣ୍ଣିତ ତିନୋଟି ଉପାୟ ମଧ୍ୟରୁ ଗୋଟିଏ ଦ୍ୱାରା ସମସ୍ୟା ସମାଧାନ ହୋଇପାରିବ। ଏହା ପାଇଁ ଆଉ କୌଣସି ଚତୁର୍ଥ ଉପାୟ ନାହିଁ। ସ୍କୁଲରେ ପିଲାମାନେ ସେମାନଙ୍କ ସହିତ ଭଲ ପଡ଼ୁ ନ ଥିବା ପିଲାଙ୍କ ସହ ଯେଭଳି ‘କଟି’ କରୁଛନ୍ତି ସେଭଳି ଶତ୍ରୁ ସହ କରିବା ଏକ ପ୍ରଭାବଶାଳୀ ପ୍ରତିକ୍ରିୟା କିମ୍ବା ପରିପକ୍ୱ ନିଷ୍ପତ୍ତି ନୁହେଁ। ଚାମ୍ପିୟନ୍ସ ଟ୍ରଫିରେ ଭାଗ ନ ନେଲେ ପାକିସ୍ତାନ ସହିତ ଥିବା ସମସ୍ୟାର ସମାଧାନ ହୋଇଯିବ ନାହିଁ। ପାକିସ୍ତାନ ସହ ଭାରତର ସମ୍ପର୍କ ଏମିତି ଏକ ଅଡୁଆ ସ୍ଥିତିରେ ପହଞ୍ଚତ୍ଛି, ଯେଉଁଠାରେ ଆମେ ପ୍ରଥମ ଦୁଇଟି ବିକଳ୍ପ ଯଥା ଆଲୋଚନା ଏବଂ ମଧ୍ୟସ୍ଥତାକୁ ଚାହଁୁନାହଁୁ। ଉଭୟ ଦେଶ ପରମାଣୁ ଅସ୍ତ୍ରର ଅଧିକାରୀ ହୋଇସାରିଥିବାରୁ ତୃତୀୟ ବିକଳ୍ପ ବ୍ୟବହାର କରିପାରିବୁନାହିଁ। ତେବେ ଇତିମଧ୍ୟରେ ସମସ୍ୟାର ସ୍ବରୂପ କିଭଳି ବଦଳିଛି ତାହା ତଥ୍ୟରୁ ଜାଣିପାରିବା। କଶ୍ମୀର ଇତିହାସର ସବୁଠାରୁ ହିଂସାତ୍ମକ ବର୍ଷ ୨୦୦୧ରେ ୬୦୦ରୁ ଅଧିକ ଯବାନ ଏବଂ ୨୦୦୦ରୁ ଊର୍ଦ୍ଧ୍ୱ ସନ୍ତ୍ରାସବାଦୀଙ୍କ ସମେତ ୪୦୦୦ରୁ ଅଧିକଙ୍କ ମୃତ୍ୟୁ ଘଟିଥିଲା। ଏହାର ପରବର୍ତ୍ତୀ ବର୍ଷଗୁଡ଼ିକରେ ହିଂସା ହ୍ରାସପାଇ ୨୦୦୨ରେ ୩୦୦୦, ୨୦୦୩ରେ ୨୦୦୦, ୨୦୦୭ରେ ୧୦୦୦ରୁ କମ୍‌ ରହିଥିଲା। ୨୦୧୪ରେ ମୋଦି ସରକାର କ୍ଷମତାକୁ ଆସିବାର ପୂର୍ବ ଚାରିବର୍ଷ ମଧ୍ୟରେ ପ୍ରତ୍ୟେକ ବର୍ଷ ମୃତ୍ୟୁସଂଖ୍ୟା ୨୦୦ରୁ କମ୍‌ ଥିଲା। ୨୦୧୯ର ବିଭିନ୍ନ ଘଟଣା ଏବଂ ଅନୁଚ୍ଛେଦ ୩୭୦ ହଟାଇ ଦିଆଯିବା ପରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଥିଲେ ମଧ୍ୟ ଦୁଇ ଦଶନ୍ଧି ପୂର୍ବର ସ୍ତରକୁ ଆସିନାହିଁ। ଲାଇନ୍‌ ଅଫ୍‌ କଣ୍ଟ୍ରୋଲ(ଏଲ୍‌ଓସି)ରେ ତାରବାଡ଼ ଦିଆଯାଇଛି ଏବଂ ସୁରକ୍ଷା ଅଧିକାରୀଙ୍କ କହିବାନୁସାରେ ସ୍ଥାନୀୟ ଲୋକେ ପାକିସ୍ତାନ ଯାଇ ପ୍ରଶିକ୍ଷଣ ନେବା କଷ୍ଟକର। ଦେଖିବାକୁ ଗଲେ ଯେଉଁମାନେ ଲଢୁଛନ୍ତି ଏବଂ ମରୁଛନ୍ତି ସେମାନେ ସ୍ଥାନୀୟ ଲୋକ।

କଶ୍ମୀରକୁ ବାଦ୍‌ ଦେଲେ ଏହା ବାହାରେ ପାକିସ୍ତାନ ପ୍ରୋତ୍ସାହିତ ହିଂସା ନାହିଁ। ସମ୍ଭବତଃ ସେଠାରେ କିଛି ସମସ୍ୟା ଅଛି। ଆମ ସରକାର ମଧ୍ୟ କହୁଛନ୍ତି, ନିଶ୍ଚିତ ଭାବେ ସମସ୍ୟା ଅଛି। ଯଦି ଅଛି, ତେବେ ଏହାର ସମାଧାନ ପାଇଁ ଆମ ନିକଟରେ ଉପଲବ୍ଧ ତିନୋଟି ଉପାୟ ମଧ୍ୟରୁ ଗୋଟିଏ ପ୍ରୟୋଗ କରାଯିବା ଆବଶ୍ୟକ। ସମସ୍ୟା ଯଦି ଗମ୍ଭୀର ବୋଲି ସରକାର ସଙ୍କେତ ଦେଉଛନ୍ତି, ତେବେ ଏହା କରିବା ଜରୁରୀ। କିନ୍ତୁ ଚାମ୍ପିୟନ୍ସ ଟ୍ରଫି ଘଟଣାରୁ ଜଣାପଡ଼ୁଛି ଯେ, ସରକାର କେବଳ ଛଳନା କରୁଛନ୍ତି, ସମାଧାନ ପ୍ରତି ଗମ୍ଭୀରତା ପ୍ରକାଶ କରୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୟାବହ ଅଗ୍ନିକାଣ୍ଡ: ପିଚୁ କାରଖାନାରେ ଲାଗିଲା ନିଆଁ

ସମ୍ବଲପୁର,୧୯।୩(ପ୍ରମୋଦ ବହିଦାର): ସମ୍ବଲପୁର ସହର ଉପକଣ୍ଠରେ ଥିବା ଏକ ପିଚୁ କାରଖାନାରେ ଆଜି ସକାଳୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। କାରଖାନା ପରିସରରେ ହଠାତ ନିଆଁ ଲାଗିଯିବାରୁ…

HDFC ଓ PNB ବ୍ୟାଙ୍କର ୟୁଜର୍ସଙ୍କ ପାଇଁ ବଡ଼ ଖବର, ଏପ୍ରିଲ ୧ରୁ ବଦଳିଯିବ…

ନୂଆଦିଲ୍ଲୀ,୧୯।୩: ମାର୍ଚ୍ଚ ମାସର ଅଧାରୁ ଅଧିକ ସମୟ ବିତିଗଲାଣି, ଏବଂ ଆଉ କିଛି ଦିନ ପରେ ଏପ୍ରିଲ ମାସ ଆରମ୍ଭ ହେବାକୁ ଯାଉଛି। ୧ ଏପ୍ରିଲରୁ, ଦେଶର…

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ ଦେଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୮।୩: ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ ଆମ୍ବାସଡର କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଜନଗଣନା…

୪ ଦିନରେ ୨ ଲକ୍ଷରୁ ଉର୍ଦ୍ଧ୍ୱ କଇଁଛଙ୍କ ଅଣ୍ଡାଦାନ: ସୁରକ୍ଷା ବ୍ୟବସ୍ଥା କଡାକଡି

ଗଞ୍ଜାମ,୧୯।୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଋଷିକୁଲ୍ୟା ମୁହାଁଣ ବେଳାଭୂମିର ବିସ୍ତିର୍ଣ୍ଣ ବାଲୁକା ଶଯ୍ୟାରେ ଚତୁର୍ଥ ରାତ୍ର ସୁଦ୍ଧା ୨ ଲକ୍ଷରୁ ଉର୍ଦ୍ଧ୍ୱ ସାମୁଦ୍ରିକ…

ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ…

ଘନେଇଲା ୩ୟ ବିଶ୍ୱଯୁଦ୍ଧର ଭୟ: ଯୁଦ୍ଧକୁ ଡେଇଁବେ ଭାରତ-ପାକିସ୍ତାନ?

ନୂଆଦିଲ୍ଲୀ,୧୯।୩: “ତୃତୀୟ ବିଶ୍ୱ” ବା ଥାର୍ଡ ଓ଼୍ବାଲର୍‌ଡ ଏହା ପ୍ରାୟତଃ ପଛୁଆତା କିମ୍ୱା ଦାରିଦ୍ର୍ୟ ସହିତ ଜଡିତ ଏକ ଶବ୍ଦ; ତଥାପି, ଆପଣ କ’ଣ ଜାଣନ୍ତି ଯେ…

ଶୋଇଥିଲେ ଚକ୍ରଧର: ଘରେ ପଶିଲେ ଦୁବୃର୍ତ୍ତ, ଆଉ ତା’ପରେ…

ସିମୁଳିଆ,୧୯।୩(ସନ୍ତୋଷ କୁମାର ନାୟକ) ବାଲେଶ୍ୱର ଜିଲା ଖଇରା ବ୍ଲକ ସିମୁଳିଆ ଥାନା ଅଧୀନ ଭୁଗୁପୁର ଶାସନରେ କୃଷ୍ଣ ଚନ୍ଦ୍ର ଉପାଧ୍ୟାୟ ଓ ଚକ୍ରଧର ଉପାଧ୍ୟାୟଙ୍କ ପରିବାର ଶୋଇଥିବାବେଳେ…

ଆଳୁ ବୋଝେଇ ଟ୍ରକକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ୨ ଜୀବନ

ସୋର,୧୯।୩(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ନଂ ଜାତୀୟ ରାଜପଥ ତଳନଗରଠାରେ ଗୁରବାର ଭୋର ଏକ ଟ୍ରକ ଓ ଅନ୍ୟ ଏକ ଆଳୁ ବୋଝେଇ ଟ୍ରକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri