ଜୁଣ୍ଟା ଦେଲା ଫାଶୀ

ମ୍ୟାନ୍‌ମାରର ସାମରିକ ଜୁଣ୍ଟା ସରକାର ୪ଜଣ ଗଣତନ୍ତ୍ର ସପକ୍ଷବାଦୀ ନେତାଙ୍କୁ ଫାଶୀ ଦେଇଛନ୍ତି। ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ଥିବା ଅଭିଯୋଗରେ ଏମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିବା କହିଛି ସେନା। ଏମାନଙ୍କ ମଧ୍ୟରେ ରହିଛନ୍ତି ଗଣତନ୍ତ୍ର ସପକ୍ଷବାଦୀ ନେତ୍ରୀ ଅଙ୍ଗ୍‌ ସାନ୍‌ ସୁ ଚୀଙ୍କ ପାର୍ଟି ନ୍ୟାଶନାଲ ଲିଗ୍‌ ଫର୍‌ ଡେମୋକ୍ରାସି(ଏନ୍‌ଏଲ୍‌ଡି)ର ପୂର୍ବତନ ସାଂସଦ ଫ୍ୟୋ ଜିୟା ଥ ଏବଂ ଖ୍ୟାତନାମା ଗଣତନ୍ତ୍ରବାଦୀ ନେତା କ୍ୟାଓ ମିନ୍‌ ୟୁ। ଏ ଦୁଇ ଜଣଙ୍କୁ ରାଜନୈତିକ ବନ୍ଦୀ ଭାବେ ରଖାଯାଇଥିଲା। ଅନ୍ୟ ଦୁଇଜଣ ଗଣତନ୍ତ୍ର ସମର୍ଥକ ହେଲେ ଲା ମ୍ୟୋ ଅଙ୍ଗ୍‌ ଓ ଅଙ୍ଗ୍‌ ତୁରା ଜ। ୧୯୮୮ ପରେ ମ୍ୟାନ୍‌ମାରକୁ ପୁନର୍ବାର ଫାଶୀ ଫେରିଛି। ଏହାକୁ ୟୁରୋପୀୟ ସଂଘ, ଆମେରିକା, ଜାପାନ, କାନାଡ଼ା ଓ ନ୍ୟୁଜିଲାଣ୍ଡ ଆଦି ଦେଶ କଡ଼ା ନିନ୍ଦା କରିଥିବାବେଳେ ଭାରତ ନୀରବ ରହିଛି। ଏହା ଜୀବନ, ସ୍ବାଧୀନତା ଓ ବ୍ୟକ୍ତି ସୁରକ୍ଷା ଅଧିକାରର ଘୋର ଉଲ୍ଲଂଘନ ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ କହିଛନ୍ତି। ଉଲ୍ଲେଖନୀୟ ଯେ, ୨୦୨୦ ନିର୍ବାଚନରେ ଏନ୍‌ଏଲ୍‌ଡି ବିପୁଳ ବିଜୟ ହାସଲ କରି କ୍ଷମତାକୁ ଆସିଥିଲା। ହେଲେ ନିର୍ବାଚନରେ ଅନିୟମିତତା ଦର୍ଶାଇ ସେନା ଦିଦ୍ରୋହ କରି ୧ ଫେବୃୟାରୀ ୨୦୨୧ରେ ଷ୍ଟେଟ୍‌ କାଉନସେଲର ସୁ ଚୀଙ୍କୁ ଗାଦିଚ୍ୟୁତ କଲା ଓ କ୍ଷମତା ହାତକୁ ନେଲା। ତେବେ ସୁ ଚୀଙ୍କୁ ଗିରଫ କରିବା ପରେ ଗୃହବନ୍ଦୀ ଭାବେ ରଖାଯାଇଛି। ସେତେବେଳେ ଏହାକୁ କେନ୍ଦ୍ରକରି ମ୍ୟାନ୍‌ମାର ଅଶାନ୍ତ ହୋଇଉଠିଥିଲା ଓ ସେନା କାର୍ଯ୍ୟାନୁଷ୍ଠାନରେ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହି ୪ଜଣଙ୍କୁ ଫାଶୀ ଦିଆଯାଇଥିବାବେଳେ ଆହୁରି ଅନେକ ରାଜନୈତିକ ବନ୍ଧୀଙ୍କ ବିଚାର ଚାଲିଛି। ସୁ ଚୀଙ୍କ ବିରୋଧରେ ମଧ୍ୟ ଅନେକ ମାମଲା ବିଚାରାଧୀନ ରହିଛି। ଗତ ଏପ୍ରିଲ୨୭ରେ ସୁ ଚୀଙ୍କୁ ଦୁର୍ନୀତି ଅଭିଯୋଗରେ ୫ ବର୍ଷ ଜେଲ ଦଣ୍ଡାଦେଶ ହୋଇସାରିଛି। ୬ ଲକ୍ଷ ଡଲାର ଓ ସୁନା ଲାଞ୍ଚ ନେବା ମାମଲାରେ ମ୍ୟାନ୍‌ମାରର ଏକ ସାମରିକ କୋର୍ଟ ଏହି ଦଣ୍ଡାଦେଶ ଦେଇଥିଲେ। ଏହା ପୂର୍ବରୁ ତାଙ୍କୁ ୫ଟି ମାମଲାରେ ୬ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଯାଇଥିଲା।
ଜଣାପଡ଼ୁଛି, ଫାଶୀ ଦୃଷ୍ଟାନ୍ତ ଦେଇ ୭୭ ବର୍ଷୀୟା ସୁ ଚୀଙ୍କୁ ନୀରବ କରି ଜେଲରେ ରଖିବାକୁ ଜୁଣ୍ଟା ସରକାର ଚାହୁଁଛି। ଦକ୍ଷିଣପୂର୍ବ ଏସିଆରେ ଗଣତାନ୍ତ୍ରିକ ବ୍ୟବସ୍ଥା ଦୁର୍ବଳ ହେଉଥିବାବେଳେ ମ୍ୟାନ୍‌ମାର ବା ବର୍ମା ଅତ୍ୟଧିକ ମାତ୍ରାରେ ଏକଚ୍ଛତ୍ରବାଦୀ ମନୋଭାବକୁ କାର୍ଯ୍ୟରେ ପ୍ରଦର୍ଶନ କରୁଛି। ସେଠାକାର ସାମରିକ ସରକାର କ୍ଷମତା ଦଖଲ କରିବା ପରେ ଏଯାବତ ୧୪,୮୪୭ ଜଣଙ୍କୁ ଗିରଫ କରାଯିବା ସହ ୧୧,୭୫୯ ଜଣଙ୍କୁ ଅଟକ ରଖାଯାଇଛି। ଏଥିରେ ଏନ୍‌ଏଲ୍‌ଡିର ଅନେକ ସାଂସଦ ମଧ୍ୟ ରହିଛନ୍ତି। ଗିରଫ ଓ ମୃତ୍ୟୁର ହିସାବ ରଖୁଥିବା ସଂସ୍ଥା ଆସିଷ୍ଟାନ୍ସ ଆସୋସିଏଶନ୍‌ ଫର୍‌ ପଲିଟିକାଲ ପ୍ରିଜିନର୍ସ(ଏଏପିପି) ଅନୁଯାୟୀ, ଅତିକମ୍‌ରେ ଏବେସୁଦ୍ଧା ଦେଶରେ ସେନା ୨,୧୦୦ ଜଣଙ୍କୁ ହତ୍ୟା କରିଛି। ଏହାସହ ମ୍ୟାନ୍‌ମାରର ରାଖିନ ପ୍ରଦେଶରେ ରହୁଥିବା ରୋହିଙ୍ଗ୍ୟା ମୁସଲମାନଙ୍କ ବିରୋଧରେ ସାମରିକ ବାହିନୀର ହିଂସା ଓ ଅତ୍ୟାଚାର ଏବେ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ (ଆଇସିଜେ)ରେ ବିଚାରାଧୀନ ଅଛି। ପଶ୍ଚିମ ଆଫ୍ରିକୀୟ ଦେଶ ଗାମ୍ବିଆ ଆଣିଥିବା ବର୍ମା ଜୁଣ୍ଟା ବିରୋଧରେ ଗଣହତ୍ୟା ଅଭିଯୋଗକୁ ଆଇସିଜେ ବିଚାରକୁ ନେଇଛି ଓ କେତେକ ପ୍ରାରମ୍ଭିକ ଶୁଣାଣିରେ ଜୁଣ୍ଟା ବିରୋଧୀ ମତ ଦେଇଛି। ମ୍ୟାନ୍‌ମାର ସାମରିକ ଶାସନ ମୌଳିକ ମାନବୀୟ ସ୍ବାଧୀନତା ଏବଂ ଗଣତନ୍ତ୍ରର ଏକ ଶତ୍ରୁ ଓ ପାଖାପାଖି ୫୦ ବର୍ଷ ଦମନମୂଳକ ଶାସନର କର୍ତ୍ତା। ଦମନକାରୀ ସାମରିକ ଶାସନ ଭିତରେ ଏହି ଦେଶ ଗଣତନ୍ତ୍ରର ସ୍ବାଦ କମ୍‌ ପାଇଛି। ତେବେ ବର୍ମା ପାଇଁ ଆର୍ଥିକ ଓ ସାମାଜିକ ବିକାଶ ଲାଗି ଏହା ଅନୁକୂଳ ନୁହେଁ ବୋଲି ଅନ୍ତର୍ଜାତୀୟ ପର୍ଯ୍ୟବେକ୍ଷକମାନେ ମତ ଦେଉଛନ୍ତି। ସୁ ଚୀଙ୍କୁ ନୀରବ କରି ଜୁଣ୍ଟା ସରକାର ଜବରଦସ୍ତ ଏକ ବିଭାଜିତ ଓ ଗରିବ ଦେଶକୁ ହାତମୁଠାରେ ରଖିବାକୁ ଚେଷ୍ଟା କରୁଥିବା ତା’ କାର୍ଯ୍ୟରୁ ସ୍ପଷ୍ଟ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri