ରାୟ ସଂରକ୍ଷିତ, ଏନ୍‌ଏଚ୍‌ଆଇକୁ ଇଡିର ରିପୋର୍ଟ ତଲବ

ଭୁବନେଶ୍ୱର,୧୮।୧୧(ବ୍ୟୁରୋ): ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକ୍‌ମେଲ ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ଅର୍ଚ୍ଚନା ନାଗଙ୍କ ୩ୟଥର ଜାମିନ ଆବେଦନର ଶୁଣାଣି ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ସଂରକ୍ଷିତ ରହିଛି। ଗୁରୁବାର ମାମଲାର ଶୁଣାଣିବେଳେ ଆଇନଜୀବୀ ଦେବାଶିଷ ମହାପାତ୍ର ଯୁକ୍ତି ରଖିବା ସହ ଅର୍ଚ୍ଚନାଙ୍କୁ ଜାମିନ ପ୍ରଦାନ ପାଇଁ ନିବେଦନ କରିଥିଲେ। ସେହିଭଳି ପ୍ରତିପକ୍ଷ ଓକିଲ ଜାମିନ ନ ଦେବାକୁ ଯୁକ୍ତି ରଖିଥିଲେ। ତେବେ ବିଚାରପତି ଉଭୟଙ୍କ ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖବଛନ୍ତି। ଶୁକ୍ରବାର ଏହାର ରାୟ ପ୍ରକାଶ ପାଇବ ବୋଲି ଆଇନଜୀବୀ ଦେବାଶିଷ ସୂଚନା ଦେଇଛନ୍ତି। ତେବେ ବିଚାରପତି ଅର୍ଚ୍ଚନାଙ୍କୁ ଜାମିନ ଦେବେ ନା ସେ ସେମିତି ଝାରପଡ଼ା ଜେଲରେ ରହିବେ, ତାହାକୁ ନେଇ ଉତ୍କଣ୍ଠା ଲାଗି ରହିଛି।
ଅପରପକ୍ଷରେ ଅର୍ଚ୍ଚନାଙ୍କ ବେଆଇନ ଆର୍ଥିକ କାରବାର ମାମଲାର ତନାଘନା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି)। ଏବେ ବି ଅର୍ଚ୍ଚନାଙ୍କ ଚର୍ଚ୍ଚିତ ତଥା ବିଳାସମୟ କାର୍‌ର ପତ୍ତା ମିଳୁନାହିଁ। ବ୍ଲାକ୍‌ମେଲିଂ ଟଙ୍କାରେ କିଣାଯାଇଥିବା ଉକ୍ତ କାର୍‌ଟି ବର୍ତ୍ତମାନ କେଉଁଟି, ଶେଷଥର ପାଇଁ ଜାତୀୟ ରାଜପଥର କେଉଁ ରାସ୍ତା ଦେଇ ଯାଇଛି, ସେ ନେଇ ସବିଶେଷ ତଥ୍ୟ ଜାଣିବା ନିମନ୍ତେ ଇଡ଼ି କର୍ତ୍ତୃପକ୍ଷ ଏନ୍‌ଏଚ୍‌ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ତଲବ କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଏହାକୁ ଯାଞ୍ଚ କଲେ ସେଥିରୁ ମଧ୍ୟ କିଛି କାଗଜପତ୍ର ମିଳିବା ସମ୍ଭାବନା ରହିଛି। ତେଣୁ କାରଟିକୁ ଖୋଜିବା ଲାଗି ଇଡ଼ି ଅଧିକାରୀମାନେ ତନାଘନା ଜୋରଦାର କରିଥିବା ଜଣାପଡ଼ିଛି ।
ଏପଟେ ଅର୍ଚ୍ଚନାଙ୍କ କଳା ଟଙ୍କାର ଗୁମର ଖୋଲିବା ଲାଗି ତାଙ୍କ ବିଜ୍‌ନେସ୍‌ ପାର୍ଟନର ଖଗେଶ୍ୱର ପାତ୍ରଙ୍କୁ ୧୦ ଦିନିଆ ରିମାଣ୍ଡରେ ନେଇ ମାରାଥନ ଜେରା କରୁଛି ଇଡି। ଇତିମଧ୍ୟରେ ତାଙ୍କଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ଆସନ୍ତା ୨୧ ତାରିଖରେ ରିମାଣ୍ଡ ଅବଧି ସରୁଥିବାବେଳେ ଆହୁରି ବହୁ ଗୁମର ଖୋଲିବାକୁ ଉଦ୍ୟମ ଚାଲିଛି। ହନିଟ୍ରାପ ଘଟଣାର ମାଷ୍ଟରମାଇଣ୍ଡ୍‌ ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା ଏବେ ଫେରାର ଥିବାରୁ ତାଙ୍କୁ ଧରି ଗୋଲାପୀ ସାମ୍ରାଜ୍ୟର କଳାକାହାଣୀ ପାଇବାକୁ ଇଡି ଆଶା ରଖିଛି।