ନବୀନ ନିବାସ ଅଭିମୁଖେ ଦଣ୍ଡବତ ଯାତ୍ରା

ସମ୍ବଲପୁର,୧୯ା୧୦(ବ୍ୟୁରୋ): ସରକାର ୩ମାସ ସମୟ ଦେଇଥିଲେ। ହେଲେ ବର୍ଷେ ବିତିଥିଲେ ବି ପ୍ରତିଶ୍ରୁତି ପୂରଣ କଲେନି। ଶେଷରେ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି ଓଡ଼ିଶା ଡ୍ରାଇଭର ମହାସଂଘ କର୍ମକର୍ତ୍ତା। ସେମାନେ ମଙ୍ଗଳବାର ସମ୍ବଲପୁରରୁ ଦଣ୍ଡବତ ଯାତ୍ରା ଆରମ୍ଭ କରିଛନ୍ତି। ସମ୍ବଲପୁର ମା’ ସମଲେଶ୍ୱରୀଙ୍କୁ ଦଣ୍ଡବତ କରି ରିଂ ରୋଡ୍‌ ଦେଇ ଯାତ୍ରା ଆରମ୍ଭ କରିଥିଲେ। ଭୁବନେଶ୍ୱର ନବୀନ ନିବାସ ପର୍ଯ୍ୟନ୍ତ ଯିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଡ୍ରାଇଭରଙ୍କ ପାଇଁ ସୁରକ୍ଷା ଆଇନ, ୧୦୦ କି.ମି. ବ୍ୟବଧାନରେ ପାର୍କିଂ ଓ ବିଶ୍ରାମସ୍ଥଳ, ୫୫ ବର୍ଷ ପରେ ପେନ୍‌ସନ, ଦୁର୍ଘଟଣାରେ ଜୀବନ ଗଲେ ୨୦ ଲକ୍ଷ, ଅକର୍ମଣ୍ୟ ପାଇଁ ୧୦ ଲକ୍ଷ ଓ ଚିକିତ୍ସା ପାଇଁ ୫ ଲକ୍ଷ, ଆବାସ ଗୃହ ନିର୍ମାଣ ପାଇଁ ୫ ଲକ୍ଷ ପ୍ରଦାନ ଦାବି ରହିଥିଲା। ୨୦୨୧ ଅକ୍ଟୋବରରେ ଡ୍ରାଇଭରମାନେ ସମଲେଶ୍ୱରୀ ମନ୍ଦିରରୁ ପଦଯାତ୍ରାରେ ବାହାରି ରାଜଧାନୀରେ ଗର୍ଜିଥିଲେ। ସେ ସମୟରେ ୩ ମାସ ଭିତରେ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ମିଳିଥିଲା। ହେଲେ ଦାବି ପୂରଣ ହୋଇ ନ ଥିବାରୁ ସମଲେଶ୍ୱରୀ ମନ୍ଦିରରୁ ପୂଜାର୍ଚ୍ଚନା କରି ରାଜଧାନୀ ଅଭିମୁଖେ ଦଣ୍ଡବତ ଯାତ୍ରା ଆରମ୍ଭ କରିଛନ୍ତି ବୋଲି ଡ୍ରାଇଭର ସଂଘ ସଭାପତି ପ୍ରଶାନ୍ତ ମେଣ୍ଡୋଲି କହିଛନ୍ତି।