ଦାରିଙ୍ଗବାଡ଼ି,୨୫ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସଭାଗୃହ ପରିସରରେ ସୋମବାର କନ୍ଧମାଳ ଜିଲାପାଳ ବେଦଭୂଷଣ ଏବଂ ଏସ୍ପି ହରିଶ ବିଶିଙ୍କ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ବିଡିଓ ପ୍ରୀତିରଞ୍ଜନ ରଥଙ୍କ ତତ୍ତ୍ୱାବଧାନରେ ଏହି ଅଭିଯୋଗ ଶୁଣାଣିରେ ସକାଳ ୭ଟାରୁ ବ୍ଲକ ଅଞ୍ଚଳର ୨୫ ପଞ୍ଚାୟତରୁ ଲୋକ ଆସି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଅଭିଯୋଗ ପାଇଁ ପଞ୍ଜୀକୃତ କରାଇଥିଲେ। ବିଶେଷକରି ଭତ୍ତା ପାଇବାରେ ବିଳମ୍ବ ସହ ବହୁ ହିତାଧିକାରୀଙ୍କ ନାମ ତାଲିକାରୁ କଟିଯାଇଥିବା ନେଇ ଅଭିଯୋଗ ହୋଇଛି।
ସେହିପରି ବିଭିନ୍ନ ପଞ୍ଚାୟତରେ ଜଳ ସଙ୍କଟ ଉତ୍କଟ ରୂପ ନେଇଥିବା ଓ ନଳକୂପ ମରାମତି, ନୂତନ ନଳକୂପ ଖନନ, ସୋଲାର ପମ୍ପ ସାହାଯ୍ୟରେ ଜଳ ଯୋଗାଣ ପାଇଁ ଅଞ୍ଚଳବାସୀ ଅଭିଯୋଗ କରିଥିଲେ।
ସେହିପରି ସିମନବାଡ଼ିରେ ୩୩ କେଭିର ନୂତନ ସବ୍ଷ୍ଟେଶନ ସ୍ଥାପନ କରାଯାଇଥିଲେ ସୁଦ୍ଧା ତାକୁ କାର୍ଯ୍ୟକ୍ଷମ କରିବାରେ ବିଳମ୍ବକୁ ନେଇ ଜନଅସନ୍ତୋଷ ବଢ଼ିଛି। ସେ ନେଇ ଅମରେନ୍ଦ୍ର ପ୍ରଧାନ ଜିଲାପାଳଙ୍କୁ ନିବେଦନ କରି ଏହାକୁ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ନିବେଦନ କରିଥିଲେ। ସେହିପରି ଭ୍ରାମ୍ୟମାଣ ଜନନୀ ପ୍ରସବ ଯାନଗୁଡ଼ିକ ଦାରିଙ୍ଗବାଡ଼ି ସମେତ ଜିଲା କୋଟଗଡ଼ ବ୍ଲକ ସୁବର୍ଣ୍ଣଗିରି ଓ ଅନ୍ୟାନ୍ୟ ୬ଟି ଦୁର୍ଗମ ଅଞ୍ଚଳରେ ଏହି ସେବାବନ୍ଦ ହେଇଯାଇଛି। ଗତ ୨୦୨୫ ମେ’ ମାସରୁ ଏହା ବନ୍ଦ ହୋଇଯାଇଛି। ତା’ର ଶୀଘ୍ର ଅନୁଦାନ ପ୍ରଦାନ ସହ ପୁନଃ ଉକ୍ତ ଭ୍ରାମ୍ୟମାଣ ଯାନଗୁଡ଼ିକ ଚଳାଇବାକୁ ଜାଗୃତି ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟ ଜିଲାପାଳଙ୍କ ନିକଟରେ ଜଣାଇଥିଲେ। ଏବେ ଏହା ବନ୍ଦ ଯୋଗୁ ଜନନୀ ଯନ୍ତ୍ରଣା ବଢ଼ିବାରେ ଲାଗିଥିବା ବିଭିନ୍ନ ଅଞ୍ଚଳରୁ ଅଭିଯୋଗ ଆସୁଛି।
ସେହିପରି ବ୍ରାହ୍ମଣୀଗାଁଠାରୁ କୁଟଲାରୀ ଗାଁ, ନୂଆଗାଁ ରାସ୍ତା ମରଣଯନ୍ତା ପାଲଟିଛି। ତାକୁ ଶୀଘ୍ର ପକ୍କା ରାସ୍ତା କରାଯିବାକୁ ଅଞ୍ଚଳବାସୀ ଅଭିଯୋଗ ଜଣାଇଥିଲେ। ବାଡ଼ାବାଙ୍ଗା ପଞ୍ଚାୟତ ବୁଦୁକେଜୁ ରାସ୍ତା ସମେତ ତିଲୋରୀ, ବୁଡ଼ାଗୁଡ଼ାଠାରୁ କୁକେରମାହା ଦେଇ ବୁରାଙ୍ଗିଆ ରାସ୍ତା ନିର୍ମାଣ ବିଳମ୍ବ ନେଇ ଲୋକ ପ୍ରତିନିଧିମାନେ ଅଭିଯୋଗ ଜଣାଇଛନ୍ତି। ଅଭିଯୋଗ ଶୁଣାଣିବେଳେ ଜିଲା ଓ ଉପଖଣ୍ଡସ୍ତରର ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଖବର ଲେଖାହେବା ସୁଦ୍ଧା ମୋଟ୍ ୧ ଶହ ୫୯ ଜଣ ଅଭିଯୋଗ କରିବାକୁ ପଞ୍ଜୀକୃତ କରିଛନ୍ତି। ଏହି ସଂଖ୍ୟା ଆହୁରି ବଢ଼ିବ ବୋଲି ବିଡିଓ ପ୍ରୀତିରଞ୍ଜନ ରଥ କହିଛନ୍ତି।