ଦାରିଙ୍ଗବାଡ଼ି,୮ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବନାଞ୍ଚଳରେ ନୂତନ ଭାବେ ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡା କାର୍ଯ୍ୟରେ ଯୋଗଦାନ କରିଛନ୍ତି। ସେ କାର୍ଯ୍ୟରେ ଯୋଗଦେବା ପରେ ବନାଞ୍ଚଳର ବିଭିନ୍ନ ଜଙ୍ଗଲ ପରିଦର୍ଶନରେ ଯିବା ସହ ଜଙ୍ଗଲର ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯିବ। ଏଥିପାଇଁ ନିୟମିତ ପାଟ୍ରୋଲିଂ ସହ କର୍ମଚାରୀଙ୍କ ସହ ଜଙ୍ଗଲରେ ପାଦରେ ଚାଲିଚାଲି ପାଟ୍ରୋଲିଂ କରାଯିବ ବୋଲି କହିଛନ୍ତି। ସେ ବୁଧବାର ଉକ୍ତ ବନାଞ୍ଚଳର ସିମନବାଡ଼ି ସେକ୍ସନ ପରିଦର୍ଶନରେ ଆସିବା ସହ ସେକ୍ସନର ବନପାଳ ବନିତା ପ୍ରଧାନଙ୍କ ସହ ବିଭିନ୍ନ କାର୍ଯ୍ୟର ବିଶେଷ କରି ଉଜୁଡିଯାଇଥିବା ଜଙ୍ଗଲରେ ଚାରାରୋପଣ ଓ ଚାରା ଉତ୍ପାଦନ କେନ୍ଦ୍ର ସମ୍ପର୍କରେ ସମୀକ୍ଷା କରିଛନ୍ତି। ପରେ ସେ ଚାରାରୋପଣ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ସେହିପରି ଗୁରୁବାର ବୁଡ଼ାଗୁଡା ସେକ୍ସନ ପରିଦର୍ଶନରେ ଯିବେ। ସେଠାରେ ବନପାଳ ମନ୍ମଥ ପରିଚ୍ଛାଙ୍କ ସହ ସମୀକ୍ଷା କରି ସେକ୍ସନରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ ଓ ଚାରା ଉତ୍ପାଦନ କେନ୍ଦ୍ର ଓ ଚାରାରୋପଣ ସମ୍ପର୍କରେ ପରିଦର୍ଶନ କରିବେ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡା ପୂର୍ବରୁ ନୟାଗଡ଼ ଜିଲାରେ ବନ୍ୟଜନ୍ତୁ ସମ୍ପଦ ବିଭାଗରେ କାର୍ଯ୍ୟରତ ଥିଲେ। ସେଠାରୁ ବଦଳି ହୋଇ ଦାରିଙ୍ଗବାଡ଼ିରେ ଯୋଗଦାନ କରିଛନ୍ତି।