ଜାଲ ସାର୍ଟିଫିକେଟ ଦେଇ ଚାକିରି: ୪ ନକଲି ଶିକ୍ଷକ ଚିହ୍ନଟ

ରାୟଗଡ଼ା/ଟିକିରି,୧୧।୧(ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ କୁମାର ବେହେରା): ରାୟଗଡ଼ା ଜିଲାରେ ପିଛା ଛାଡ଼ୁନି ନକଲି ଶିକ୍ଷକ ମାମଲା। ନକଲି ସାର୍ଟିଫିକେଟରେ ଚାକିରି ମାମଲାରେ ରାୟଗଡ଼ା ଜିଲାର ବହୁ ଶିକ୍ଷକ ଚାକିରିରୁ ବହିସ୍କୃତ ହୋଇଥିବା ବେଳେ କାଶୀପୁର ବ୍ଲକରେ ପୁଣି ୪ ନକଲି ଶିକ୍ଷକ ଚିହ୍ନଟ ହୋଇଛନ୍ତି। ଏନେଇ ୨ଜଣ ଶିକ୍ଷକଙ୍କ ନାମରେ କାଶୀପୁର ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଶୁକ୍ରବାର ଅନ୍ୟ ୨ଜଣଙ୍କ ନାମରେ ଟିକିରି ଥାନାରେ ମାମଲା ରୁଜୁ ହେବ ବୋଲି ଗୋଷ୍ଠୀ ଶିକ୍ଷାଧିକାରୀ ଦୀପ୍ତିମୟୀ ସିଂ ସୂଚନା ଦେଇଛନ୍ତି।

ଚିହ୍ନଟ ହୋଇଥିବା ୪ ନକଲି ଶିକ୍ଷକ ହେଲେ କାଶୀପୁର ବ୍ଲକ ବାହାରପଦା ସ୍କୁଲର ଲୋକନାଥ ମହାପାତ୍ର, ପାଇକସୁପେଲ ସ୍କୁଲର ରଘୁନାଥ ବିଡ଼ିକା, ଡୁମୁରିଯୋଡ଼ି ସ୍କୁଲର ଶମ୍ଭୁ କହଁର ଏବଂ ଗୁମୁଡ଼ିମାଣ୍ଡି ସ୍କୁଲର ପାଞ୍ଜିବ ମାଝି। କାଶୀପୁର ଥାନାରେ ଲୋକନାଥ ମହାପାତ୍ର ଏବଂ ରଘୁନାଥ ବିଡ଼ିକାଙ୍କ ନାମରେ ଗୁରୁବାର ଏତଲା ଦିଆଯାଇଥିବା ବେଳେ ଶମ୍ଭୁ ଓ ପାଞ୍ଜିବଙ୍କ ନାମରେ ଶୁକ୍ରବାର ଟିକିରି ଥାନାରେ ଏତଲା ଦିଆଯିବା ନେଇ ଗୋଷ୍ଠୀ ଶିକ୍ଷାଧିକାରୀ ଦୀପ୍ତିମୟୀ ସିଂ ସୂଚନା ଦେଇଛନ୍ତି । ଜିଲା ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ପାଇବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସେ କହିଛନ୍ତି।

ପ୍ରକାଶ ଥାଉକି, ରାୟଗଡ଼ା ଜିଲାରେ ବହୁ ଶିକ୍ଷୟିତ୍ରୀ ଶିକ୍ଷକ ଜାଲ ସାର୍ଟିଫିକେଟ ଦେଇ ଚାକିରି କରିଛନ୍ତି। ସନ୍ଦେହ ଘେରରେ ରହିଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାର୍ଟିଫିକେଟ ଯାଞ୍ଚ ରିପୋର୍ଟ ମଗାଯାଇଥିଲେ ମଧ୍ୟ କିଛି ବିଶ୍ୱ ବିଦ୍ୟାଳୟଗୁଡ଼ିରୁ କୌଣସି ସୂଚନା ମିଳି ନ ଥିବାରୁ ଏହି କାର୍ଯ୍ୟରେ ବିଳମ୍ବ ଘଟୁଛି ବୋଲି ଜଣାପଡ଼ିଛି। ତେଣୁ ରାଜ୍ୟ ଶିକ୍ଷା ବିଭାଗ ଓ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତଦନ୍ତକୁ ତ୍ୱରାନ୍ବିତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଛାତ୍ରୀଛାତ୍ର ଉପଯୁକ୍ତ ଶିକ୍ଷା ପାଇପାରିବେ ବୋଲି ଅଭିଭାବକ ମହଲରେ ଦାବି ହୋଇଛି।