୪ ଶିଳ୍ପସଂସ୍ଥାରେ ୩୪,୧୦୫ ନିଯୁକ୍ତି

ଭୁବନେଶ୍ୱର,୫।୧୦(ବ୍ୟୁରୋ): ଝାରସୁଗୁଡ଼ା, ଢେଙ୍କାନାଳ, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲାରେ ଥିବା ୪ଟି କାରଖାନାରେ ୩୪,୧୦୫ ଜଣ ଲୋକ କର୍ମସଂସ୍ଥାନ ପାଇଛନ୍ତି। ଏଥିମଧ୍ୟରୁ ଢେଙ୍କାନାଳର ମେରାମୁଣ୍ଡଳୀଠାରେ ଥିବା ଭୂଷଣ ଇସ୍ପାତ କାରଖାନାରେ ସର୍ବାଧିକ ୧୮,୮୦୧ ଜଣ ନିଯୁକ୍ତି ପାଇଛନ୍ତି। ସେହିପରି ଝାରସୁଗୁଡ଼ାସ୍ଥିତ ବେଦାନ୍ତ ଆଲୁମିନିୟମରେ ୯,୭୩୧, ସମ୍ବଲପୁର ଲାପଙ୍ଗସ୍ଥିତ ହିଣ୍ଡାଲ୍‌କୋର ଆଦିତ୍ୟ ଆଲୁମିନିୟମ କାରଖାନାରେ ୩,୫୭୩ ଏବଂ ସୁନ୍ଦରଗଡ଼ ଦର୍ଲିପାଲିସ୍ଥିତ ଏନ୍‌ଟିପିସି ତାପଜ କେନ୍ଦ୍ରରେ ୨ହଜାର ଲୋକଙ୍କୁ କର୍ମସଂସ୍ଥାନ ମିଳିଛି। ଏହି ଶିଳ୍ପସଂସ୍ଥାରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ରାଜ୍ୟ ସରକାର ସମ୍ପୃକ୍ତ ସଂସ୍ଥାଗୁଡ଼ିକ ସହ ଏମ୍‌ଓୟୁ ସ୍ବାକ୍ଷର କରିଛନ୍ତି। ଶିଳ୍ପ କାରଖାନାରେ ସ୍ଥାନୀୟ ବେକାର ଯୁବତୀଯୁବକଙ୍କୁ ନିଯୁକ୍ତି ଦେବା ପାଇଁ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କର୍ତ୍ତୃପକ୍ଷଙ୍କ ଅନୁମୋଦନ କ୍ରମେ ଏକ ନିର୍ଦ୍ଦେଶନାମା ଜାରି ହୋଇଛି। ତଦନୁଯାୟୀ ପ୍ରକଳ୍ପଗୁଡ଼ିକରେ ଅଣକୁଶଳୀ ଓ ଅର୍ଦ୍ଧକୁଶଳୀସ୍ତରରେ ଆବଶ୍ୟକ ଥିବା ପଦବୀ ମଧ୍ୟରୁ ୯୦ପ୍ରତିଶତ ସ୍ଥାନୀୟ ଲୋକଙ୍କ ଦ୍ୱାରା ପୂରଣ କରାଯିବ। କୁଶଳୀ ଶ୍ରମିକଙ୍କ ପାଇଁ ଥିବା ପଦବୀ ମଧ୍ୟରୁ ୬୦ପ୍ରତିଶତ ଓ ପରିଚାଳନା କ୍ଷେତ୍ରରେ ଥିବା ପଦବୀ ମଧ୍ୟରୁ ଅତିକମ୍‌ରେ ୩୦ ପ୍ରତିଶତ ସ୍ଥାନୀୟ ଯୁବତୀଯୁବକଙ୍କ ଦ୍ୱାରା ପୂରଣ ହେବାର ନିୟମ ରହିଛି। ଏହି କାରଖାନାଗୁଡ଼ିକ ୭୬,୬୧୮.୬୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ବିଧାନସଭାରେ ବିଧାୟିକା କୁସୁମ ଟେଟେଙ୍କ ଏକ ଲିଖିତ ଉତ୍ତରରେ ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି।