ଛତ୍ରପୁର,୩।୯,( ଦିଲ୍ଲୀପି ସାମଲ): ଚାକିରି ପାଇଁ ବର୍ତ୍ତମାନର ଯୁବ ପିଢୀ ନାନା ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ଏହାର ସୁଯୋଗ ନେଇ ଯୁବପିଢୀଙ୍କୁ ଠକିବାରେ ଲାଗିଛନ୍ତି କିଛି ଦୁର୍ବୁତ୍ତ। ଗଞ୍ଜାମ ଜିଲାର ଛତ୍ରପୁର ସହରର ଏକ ଘରୋଇ କଲ୍ୟାଣ ମଣ୍ଡପରେ ଚାକିରି କରିବାର ମିଥ୍ୟା ପ୍ରଲୋଭନ ଦେଖାଇ ଇଣ୍ଟରଭ୍ୟୁ କରି ଟଙ୍କା ଲୁଟୁଥିବା ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା। ମଧ୍ୟସ୍ଥିକୁ ଧରି ପୋଲିସ ଜିମା ଦେଲେ କେତେଜଣ ଆଶାୟୀ ପ୍ରାର୍ଥୀ। ଛତ୍ରପୁର ଅଂଚଳର ଜଣେ ଜୈନିକା ମହିଳା କେତେଜଣ ଆଶାୟୀ ପ୍ରାର୍ଥୀଙ୍କୁ ଚାକିରି କରାଇଦେବା ନାଁ ରେ ପ୍ରଥମେ ଟଙ୍କା ମାଗିଥିଲେ। ଗୁରୁବାର ସେମାନଙ୍କୁ ଇଣ୍ଟରଭ୍ୟୁ ନାଁ ରେ ଡାକି ମିଥ୍ୟା ନିଯୂକ୍ତିପତ୍ର ଓ ଆଇଡି କାର୍ଡ ଦେଇ ପୁଣି ଟଙ୍କା ମାଗିବାରୁ ପ୍ରାର୍ଥୀ ମାନଙ୍କ ସହିତ ପ୍ରଥମେ ତାଙ୍କର ଯୁକ୍ତିତର୍କ ହୋଇଥିଲା। ପରବର୍ତ୍ତୀ ସମୟରେ ଇଣ୍ଟରଭ୍ୟୁ ନେବାକୁ ଆସିଥିବା ଲୋକଙ୍କୁ ଆଶାୟୀ ପ୍ରାର୍ଥୀମାନେ ଘେରିଥିଲେ। ମୁଖ୍ୟ ଅଭିଯୁକ୍ତ ଜଣକ ପୂର୍ବରୁ ଛତ୍ରପୁର ବ୍ଲକ କାର୍ଯ୍ୟାଳୟରେ ଯୁବପିଢୀଙ୍କ ଠାରୁ ଚାକିରି କରାଇଦେବା ନାଁରେ ଟଙ୍କା ଲୁଟୁଥିବା ଅଭିଯୋଗ ହୋଇଛି। ଫୋନ ପେ ମାଧ୍ୟମରେ ଆଶାୟୀ ପ୍ରାର୍ଥୀମାନଙ୍କ ଠାରୁ ଟଙ୍କା ନେଇ ସେମାନଙ୍କୁ ଠକୁଥିବା ଅଭିଯୋଗ ହୋଇଛି। ପରେ ଏନେଇ ଛତ୍ରପୁର ଥାନାକୁ ଖବର ଦିଆଯାଇଥିଲା। ପୋଲିସ ଆସିବା ଭିତରେ ମୁଖ୍ୟ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୋଲିସ ପହଂଚି ତଦନ୍ତ କରିବା ସହିତ ଛତ୍ରପୁର ଅଂଚଳରେ ଏକ ଭଡା ଘରୁ ଜଣେ ମଧ୍ୟସ୍ଥି ଓ ତାଙ୍କ ସହଯୋଗୀଙ୍କୁ ପୋଲିସ ଥାନାକୁ ଉଠାଇ ନେଇଥିଲା। ସେମାନଙ୍କ ଠାରୁ ବିଭିନ୍ନ ଡକ୍ୟୁମେଣ୍ଟ ସମେତ ଏକ ବାଇକକୁ ଜବତ କରିଛି ପୋଲିସ। ପରେ ଉକ୍ତ ଘଟଣା ନେଇ ଛତ୍ରପୁର ଥାନାରେ ଅଶୋକ ରଥ ନାମକ ଜଣେ ଆଶାୟୀ ଏତାଲା ଦେଇଥିଲେ। ଏତାଲାକୁ ଆଧାର କରି କେଶ ନମ୍ବର ୪୨୦ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି । ଉକ୍ତ ଘଟଣାରେ ଏବେ ସୁଦ୍ଧା ୪ ଜଣଙ୍କୁ ଅଟକ ରଖିଥିବା ଛତ୍ରପୁର ଥାନାର ସବ ଇନସିପେକ୍ଟର ହିମାଂଶୁ ଶେଖର ମହାନ୍ତି ସୂଚନା ଦେଇଛନ୍ତି ।