ପାଟଣା,୬ା୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ଡ଼ିଆନାଳୀ ଗ୍ରାମର ଜିତୁ ମୁଣ୍ଡା ବ୍ୟାଙ୍କରୁ ନିଜ ଭଉଣୀର ଜମା ଟଙ୍କା ପାଇବା ପାଇଁ ପ୍ରଚଣ୍ଡ ରୌଦ୍ର ତାପରେ ମଶାଣୀରୁ କଙ୍କାଳ ବୋହିନେଇ ବ୍ୟାଙ୍କ ସମ୍ମୁଖରେ ରଖିବା ଘଟଣା ସାରା ଦେଶ ବିଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥିଲା । ପରେ ଜିତୁଙ୍କ ନିକଟରେ ବ୍ୟାଙ୍କ କର୍ତ୍ତୃପକ୍ଷ ପହଞ୍ଚି ସମସ୍ତ ପ୍ରାପ୍ୟ ଟଙ୍କା ପ୍ରଦାନ କରିବା ସହ ଜିତୁଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ସହାୟତା ରାଶି ପ୍ରଦାନ କରାଯାଇଥିଲା ।
ତେବେ ଭଉଣୀର କଙ୍କାଳକୁ ଛୁଇଁବାରୁ ଜାତି ଭାଇ ପର କରିଦେବା କହିବା ସହ ନିଜ ଜାତିରେ ମିଶାଇବେ ନାହିଁ ବୋଲି କହିବାରୁ ବୁଧବାର ଜିତୁ ଶୁଦ୍ଧି ହୋଇଛନ୍ତି । ପୂଜା ପାଇଁ କୁକୁଡ଼ା ସହ ମାଈ ଛେଳି ଯୋଗାଡ଼ କରିବା ସହ ଭଉଣୀଙ୍କ ସମାଧି ତିଆରି କରି ନଣ୍ଡା ହେବା ପରେ ଜିତୁ ଶୁଦ୍ଧି ହୋଇଥିଲେ । ଜାତି ଭାଇଙ୍କୁ ଭୋଜି ଦେବା ପରେ ନିଜ ଜାତିରେ ମିଶିଛନ୍ତି ଜିତୁ ।
ବୁଧବାର ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଜିତୁଙ୍କ ନିକଟରେ ପହଞ୍ଚି ଘଟଣା ସମ୍ପର୍କରେ ପଚାରି ବୁଝିବା ସହ ଜିତୁଙ୍କ କ୍ଷେତ୍ରରେ ଘଟିଥିବା ଘଟଣା ଦୁଃଖ ଦାୟକ ଓ ଦୁର୍ଭାଗ୍ୟ ଜନକ ବୋଲି କହିଥିଲେ । ମନ୍ତ୍ରୀଙ୍କ ସହ ପାଟଣା ବିଧାୟକ ବ୍ଲକ ଅଧ୍ୟକ୍ଷା, ବିଡ଼ିଓ ତହସିଲଦାର କମଳା କାନ୍ତ ଦାଶ, ଜିଲା ଭାଜପା ସଭାପତି ଶୁକଦେଵ ମହାନ୍ତ ପ୍ରମୁଖ ଯୋଗ ଦେଇ ଥିଲେ । ମନ୍ତ୍ରୀଙ୍କ ପକ୍ଷରୁ ୫୦ ହଜାର ଟଙ୍କା ସହ ଜିତୁଙ୍କ ସମ୍ପ୍ରଦାୟର ଲୋକଙ୍କୁ ଲୁଗା ବଣ୍ଟନ କରିଥିଲେ ।