ଇଟାଲୀୟ ଫିଲ୍ମ ନିର୍ମାତାଙ୍କ ସହ ହାତ ମିଳାଇଲେ ଜିତେନ୍ଦ୍ର

ଭୁବନେଶ୍ୱର, ୧୬।୯ (ବ୍ୟୁରୋ): ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଓଡ଼ିଶା ଜନ୍ମିତ ଫିଲ୍ମ ପ୍ରଡ୍ୟୁସର୍‌ ଓ ପ୍ରମୋଟର ଜିତେନ୍ଦ୍ର ମିଶ୍ର ଇଟାଲୀର ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ପ୍ରଯୋଜକ ଉଲିସି ଲେଣ୍ଡାରୋଙ୍କ ସହ ହାତ ମିଳାଇଛନ୍ତି। ଉଭୟ ମିଶି ଚଳିତ କୋଭିଡ୍‌-୧୯ ମହାମାରୀ ଉପରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ‘ହ୍ୟୁମାନ୍‌ ଓକ୍‌’ ନିର୍ମାଣ କରିଛନ୍ତି। ୧୫ ମିନିଟର ଏହି ଚଳଚ୍ଚିତ୍ର ଲକ୍‌ଡାଉନ୍‌ ସମୟରେ ଅର୍ଥାତ୍‌ ଗତ ମାର୍ଚ୍ଚ ଓ ଏପ୍ରିଲରେ ଇଟାଲୀରେ ଶୁଟ୍‌ ହୋଇଛି। ଫିଲ୍ମର କାହାଣୀ ଲେଖିବା ସହ ଏହାର ନିର୍ଦ୍ଦେଶନା ଦେଇଛନ୍ତି ଉଲିସି। ଫିଲ୍ମର ଲିଡ୍‌ ରୋଲ୍‌ରେ ଆଗଧାଡ଼ିର ଇଟାଲିଆନ୍‌ ଅଭିନେତ୍ରୀ ତଥା ପୂର୍ବତନ ମିସ୍‌ ଇଟାଲୀ ଆନା ଭେଲେ ଅଭିନୟ କରିଛନ୍ତି। କରୋନା ମହାମାରୀର କଠିନ ସମୟରେ ଏକ ସକାରାତ୍ମକ କାହାଣୀ ଓ ମାନବିକତାକୁ ନେଇ ଏହି ଫିଲ୍ମ ନିର୍ମାଣ ହୋଇଛି। ଫିଲ୍ମ ସମ୍ପର୍କରେ ସୂଚନା ଦେଇ ଜିତେନ୍ଦ୍ର କହିଛନ୍ତି, ଏହି ଫିଲ୍ମର ଭାରତ ସହ ସମ୍ପର୍କ ରହିଛି। ପର୍ସି ସେଲିଙ୍କ କବିତା ପୁସ୍ତକ ‘ଓଡ୍‌ ଟୁ ଦି ଓ୍ବେଷ୍ଟ୍‌ ଓ୍ବିଣ୍ଡ୍‌’ ଉପରେ ଏହା ଆଧାରିତ ହୋଇଛି। ମହାତ୍ମା ଗାନ୍ଧୀ ଏବଂ ରବୀନ୍ଦ୍ରନାଥ ଟାଗୋରଙ୍କୁ ବ୍ୟକ୍ତିଗତଭାବେ ଜାଣିଥିବା ପର୍ସି ନିଜର ପ୍ରତ୍ୟେକ ପୁସ୍ତକରେ ଭାରତ ବିଷୟରେ ଉଲ୍ଲେଖ କରିଥାନ୍ତି। ସେଭଳି ଏହି ପୁସ୍ତକରେ ମଧ୍ୟ ସେ ଭାରତ କଥା ଲେଖିଛନ୍ତି। ଭାରତରେ ଓଟିଟି ପ୍ଲାଟ୍‌ଫର୍ମରେ ରିଲିଜ ହେବା ପୂର୍ବରୁ ଏହାକୁ କେତେକ ପ୍ରସିଦ୍ଧ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ କରାଯିବ ବୋଲି ଜିତେନ୍ଦ୍ର କହିଛନ୍ତି।

‘ଇମ୍‌ପର୍‌ଫେକ୍ଟ ଏଜ୍‌’ ପାଇଁ ଚର୍ଚ୍ଚାକୁ ଆସିଥିବା ଉଲିସି ଲେଣ୍ଡାରୋ ଏକାଧିକ ପୁରସ୍କାର ବିଜୟୀ ଚଳଚ୍ଚିତ୍ର ନିର୍ମାଣ କରି ବିଶ୍ୱ ଦରବାରରେ ବେଶ୍‌ ଲୋକପ୍ରିୟତା ଅର୍ଜନ କରିଛନ୍ତି। ସେହିଭଳି ଓଡ଼ିଶା ଜନ୍ମିତ ଫିଲ୍ମ ପ୍ରମୋଟର ଜିତେନ୍ଦ୍ର ମିଶ୍ର ନିଜର ଅଭିନବ ପ୍ରମୋଶନ ଶୈଳୀ ପାଇଁ ଅଧିକ ଲୋକପ୍ରିୟ। ତାଙ୍କ ପ୍ରଯୋଜିତ ବହୁ ହିନ୍ଦୀ ଏବଂ ଇଂଲିଶ ଚଳଚ୍ଚିତ୍ର ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବାସହ ପୁରସ୍କୃତ ହୋଇଛି।