Categories: ଖେଳ

ଚାନୁଙ୍କ ବିଶ୍ୱ ରେକର୍ଡ ଭାଙ୍ଗିଲେ ଜିଆଙ୍ଗ୍‌

ରିୟାଦ, ୬ା୯ (ପି.ଟି.): ଚାଇନା ଲିଫ୍ଟର ଜିଆଙ୍ଗ ହୁଇହୁଆ ଏଠାରେ ଚାଲିଥିବା ବିଶ୍ୱ ଚାମ୍ପିୟନଶିପ୍‌ରେ କ୍ଲିନ ଆଣ୍ଡ ଜର୍କରେ ୧୨୦ କେଜି ଉତ୍ତୋଳନ କରି ଟୋକିଓ ଅଲିମ୍ପିକ ରୌପ୍ୟ ବିଜେତା ମୀରାବାଇ ଚାନୁଙ୍କ ନାମରେ ରହିଥିବା ବିଶ୍ୱରେକର୍ଡକୁ ଭାଙ୍ଗି ଦେଇଛନ୍ତି। ଚାନୁ ୨୦୨୧ ଏସିଆନ ଚାମ୍ପିୟନଶିପ୍‌ରେ ୧୧୯କେଜି ଉଠାଇ ବିଶ୍ୱ ରେକର୍ଡ କରିଥିଲେ। ହୁଇହୁଆ ୪୯କେଜିଶ୍ରେଣୀ କ୍ଲିନ ଆଣ୍ଡ ଜର୍କ ବିଭାଗରେ ସଫଳତାର ସହ ତାଙ୍କ ବିଶ୍ୱ ଚାମ୍ପିୟନଶିପ୍‌ ଟାଇଟଲ ବଜାୟ ରଖିପାରିଛନ୍ତି। କେବଳ ସେତିକି ନୁହେଁ ଚାଇନିଜ ଲିଫ୍ଟର ମୋଟ ୨୧୫ କେଜି ଉତ୍ତୋଳନ କରି ନୂଆ ବିଶ୍ୱରେକର୍ଡ କରଛନ୍ତି। ପୂର୍ବରୁ ଏହି ରେକର୍ଡ ତାଙ୍କ ଦେଶର ବର୍ତ୍ତମାନ ଅଲିମ୍ପିକ ଚାମ୍ପିୟନ ହୋଉ ଝିହୁଇ (୨୧୩ କେଜି)ଙ୍କ ନାମରେ ରହିଥିଲା। ହୁଇହୁଆ ସ୍ନାଚ୍‌ରେ ୯୫କେଜି ଓଜନ ଉଠାଇ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଝିହୁଇ ୨୧୧କେଜି (୯୫+୧୧୬କେଜି) ସହ ଦ୍ୱିତୀୟ ହୋଇଥିଲେ। ଆମେରିକାର ଜୋର୍ଡାନ ଡେଲାକ୍ରୁଜ୍‌ ୨୦୦କେଜି (୮୮କେଜି+୧୧୨କେଜି) ଓଜନ ଉଠାଇ ତାଙ୍କ ଦେଶ ପାଇଁ ବ୍ରୋଞ୍ଜ ଜିତିଥିଲେ। ସୂଚନାଯୋଗ୍ୟ, ଆଗକୁ ଏସିଆନ ଗେମ୍ସରେ ରହିଥିବାରୁ ଏଥିଲାଗି ପ୍ରସ୍ତୁତି ସକାଶେ ଚାନୁ ବିଶ୍ୱ ଚାମ୍ପିୟନଶିପ୍‌ରୁ ଓହରିଯାଇଥିଲେ।

Share