ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲା କୃଷି ବିଭାଗର କନିଷ୍ଠ କିରାଣୀ

ଝାରସୁୁଗୁଡ଼ା ଅଫିସ,୨୨।୧୧: ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣୀ ଅଜୟ ପାଣ୍ଡେ। ଫସଲ ବୀମା କରାଇଦେବା ନେଇ ଜଣେ ଚାଷୀଙ୍କ ନିକଟରୁ ସେ ମଙ୍ଗଳବାର ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏହାକୁ ନେଇ ଜିଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ, କଣ୍ଟାପାଲିସ୍ଥିତ ଭଡ଼ାଘର, ଅତାବିରା ଗ୍ରାମରେ ଥିବା ପୈତୃକ ଘର ଉପରେ ଚଢ଼ାଉ କରି ବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ସମ୍ପୃକ୍ତ କିରାଣୀଙ୍କୁ ଗିରଫ କରାଯାଇ ପଚରାଉଚରା କରାଯାଉଛି। ତାଙ୍କୁ ବୁଧବାର କୋର୍ଟ ଚାଲାଣ କରାଯିବ ବୋଲି ତଦନ୍ତକାରୀ ଭିଜିଲାନ୍ସ ଡିଏସ୍‌ପି ପ୍ରଦୀପ କୁମାର ଆଇନ୍ଦ କହିଛନ୍ତି।

ସୂଚନାଯୋଗ୍ୟ, ଲଇକେରା ବ୍ଲକ ଅନ୍ତର୍ଗତ କୁଲେଇମୁରା ଗ୍ରାମର ଚାଷୀ ପ୍ରେମାନନ୍ଦ ସା ଫସଲ ବୀମା କରିଥିବା ବେଳେ ଏଥିରେ କେତେକ ତ୍ରୁଟି ହୋଇଥିଲା। ଫଳରେ ଚାଷୀଜଣଙ୍କ ଫସଲ ବୀମା ରାଶି ପାଇପାରି ନ ଥିଲେ। ଏ ସମ୍ପର୍କରେ ସେ ଜିଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣୀ ପାଣ୍ଡେଙ୍କୁ ତଥ୍ୟ ମାଗିଥିଲେ। ତଥ୍ୟ ପାଇବା ପରେ ସେ ତାଙ୍କର ଫସଲ ବୀମା ସହାୟତା ରାଶି ପାଇଥିଲେ। ଏ ବାବଦକୁ କନିଷ୍ଠ କିରାଣୀ ସମ୍ପୃକ୍ତ ଚାଷୀଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଳେ। ଚାଷୀଜଣଙ୍କ ଏନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ପୂର୍ବପ୍ରସ୍ତୁତି ଅନୁଯାୟୀ ଚାଷୀଜଣଙ୍କ ଲାଞ୍ଚ ଟଙ୍କା ଦେଉଥିବା ବେଳେ ଛକି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ମାଡ଼ି ବସିଥିଲେ।