ଝାରସୁଗୁଡ଼ା ଉପନିର୍ବାଚନ: ତାଲିକାରେ ସୁଶାନ୍ତଙ୍କ ନାଁ ନାହିଁ

ସମ୍ବଲପୁର,୮ା୪(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡି ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି। ଦଳୀୟ ରଣନୀତିକୁ ଆଧାରକରି ବରିଷ୍ଠ ନେତାଙ୍କୁ ନିର୍ବାଚନ ପରିଚାଳନା ଦାୟିତ୍ୱ ଦିଆଯାଇଛି। ନିର୍ବାଚନମଣ୍ଡଳୀର ୪ ବ୍ଲକ ଓ ଗୋଟିଏ ପୌର ପରିଷଦ ପାଇଁ ବିଜେଡି ବରିଷ୍ଠ ନେତା ଓ ମନ୍ତ୍ରୀଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛି। ହେଲେ ପଶ୍ଚିମ ଓଡ଼ିଶାର ପ୍ରଭାବଶାଳୀ ନେତା କୁହାଯାଉଥିବା ପୂର୍ବତନ ମନ୍ତ୍ରୀ ତଥା ଭଟ୍‌ଲି ବିଧାୟକ ସୁଶାନ୍ତ ସିଂଙ୍କ ନାମ ତାଲିକାରେ ନାହିଁ। ଏହାକୁ ନେଇ ଏବେ ରାଜନୈତିକ ମହଲରେ ଆଲୋଚନା ଜୋର ଧରିଛି।
ବରଗଡ଼ ଲୋକ ସଭା ନିର୍ବାଚନମଣ୍ଡଳୀ ଅଧୀନରେ ହୋଇଥିବା ପଦ୍ମପୁର, ବିଜେପୁର, ବ୍ରଜରାଜନଗର ଉପନିର୍ବାଚନରେ ସୁଶାନ୍ତ ପରିଚାଳନା ଦାୟିତ୍ୱ ନେଇଥିଲେ। ଏହାସହ ପଞ୍ଚାୟତ ନିର୍ବାଚନରେ ସେ ବିଭିନ୍ନ ଜିଲାକୁ ଗସ୍ତକରି ବିଜେଡିକୁ ବିଜୟୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ତାଙ୍କ ସୁପାରିସରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲାରେ ଜିଲା ପରିଷଦ ସଭାପତି, ଉପସଭାପତି, ବ୍ଲକ ଅଧ୍ୟକ୍ଷ ହୋଇଛନ୍ତି। ହେଲେ ଏବେ ବିଜେଡିରେ ସୁଶାନ୍ତଙ୍କ ଗୁରୁତ୍ୱ କମିଯାଉଥିବା ଦେଖିବାକୁ ମିଳିଛି। ଝାରସୁଗୁଡ଼ା ଉପନିର୍ବାଚନର ପରିଚାଳନା ଲାଗି ଶୁକ୍ରବାର ପ୍ରକାଶିତ ପର୍ଯ୍ୟବେକ୍ଷକ ତାଲିକାରେ ତାଙ୍କର ନାମ ନାହିଁ। ପୂର୍ବରୁ ମନ୍ତ୍ରୀ ପଦରୁ ତାଙ୍କୁ ହଟାଇ ଦିଆଯାଇଥିଲା। ଦେବଗଡ଼ ଜିଲା ପର୍ଯ୍ୟବେକ୍ଷକ ପଦରୁ ମଧ୍ୟ ତାଙ୍କୁ ହଟାଯାଇ କେବଳ ବଲାଙ୍ଗୀର ଜିଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ଅନ୍ୟପଟେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବକିଶୋର ଦାସଙ୍କ ସହ ସୁଶାନ୍ତଙ୍କ ସମ୍ପର୍କ ଭଲ ନ ଥିବା ନେଇ ସେତେବେଳେ ଆଲୋଚନା ହେଉଥିଲା। ପୁଣି ନବଦାସ ହତ୍ୟାକାଣ୍ଡ ଘଟଣାରେ ସୁଶାନ୍ତଙ୍କ ସମ୍ପୃକ୍ତି ନେଇ ଗତ ବିଧାନସଭାରେ ବିରୋଧୀଦଳ ଅଭିଯୋଗ ଆଣିଥିଲେ। ଏପରିକି ତାଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ଏବଂ କଂଗ୍ରେସ ବିଧାୟକ ଦଳନେତା ନରସିଂହ ମିଶ୍ର ଦାବି କରିଥିଲେ। ଝାରସୁଗୁଡା ଉପନର୍ବାଚନରେ କାଳେ ବିରୋଧୀ ଏହି ପ୍ରସଙ୍ଗକୁ ନେଇ ଅଡୁଆ ପରିସ୍ଥିତି ସୃଷ୍ଟି କରିବେ। ସେହି ଆଶଙ୍କା କରି ବିଜେଡି ତାଙ୍କୁ ଉପନିର୍ବାଚନ ପ୍ରମୁଖ ପରିଚାଳନା ଦାୟିତ୍ୱରୁ ଦୂରେଇ ରଖିବାନେଇ ଚର୍ଚ୍ଚା ହେଉଛି।
ଏ ସମ୍ପର୍କରେ ସୁଶାନ୍ତ କହିଛନ୍ତି, ଉପନିର୍ବାଚନରେ ବିଜେଡି ବହୁ ଭୋଟ ବ୍ୟବଧାନରେ ବିଜୟ ଲାଭ କରିବ। ଦାୟିତ୍ୱ ବଣ୍ଟନ ପାଇଁ ହୋଇଥିବା ବୈଠକରେ ମୁଁ ଉପସ୍ଥିତ ରହିଥିଲି। ମୋ ଜ୍ଞାତସାରରେ ତାଲିକା ପ୍ରସ୍ତୁତ ହୋଇଛି।