ଝରାଫୁଲ ମୃତ୍ୟୁ ମାମଲା: ୩୦ ହଜାର ଟଙ୍କା ପାଇଁ ପ୍ରେମିକ କରିଥିଲେ ହତ୍ୟା, ଆଉ ଜଣେ ସହଯୋଗୀ ଗିରଫ

ଯାଜପୁର ଅଫିସ,୨୨।୪: ବହୁ ଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲାକୁ ୩ ମାସ ପୂରିଛି। ତେବେ ଆଜି ଝରାଫୁଲ ମୃତ୍ୟୁ ରହସ୍ୟରୁ ପରଦା ହଟିଛି। ୩୦ ହଜାର ଟଙ୍କା ପାଇଁ ଝରାଫୁଲଙ୍କୁ ତାଙ୍କ ପୁରୁଷ ବନ୍ଧୁ ତଥା ପ୍ରେମିକ ଶ୍ୱାସରୁଦ୍ଧ କରି ମାରିଥିବା ଯାଜପୁର ଏସ୍‌ପି ରାହୁଲ ପିଆର ଗୁରୁବାର ପ୍ରେସ୍‌ମିଟ୍‌ରେ ଏହି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଝରାଫୁଲ ମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ବାଇଁଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିବା ସହ ରିମାଣ୍ଡରେ ଆଣି ତଥ୍ୟ ସଂଗ୍ରହ କରିଥିଲା। ତେବେ ଏହି ମୃତ୍ୟୁ ମାମଲାରେ ରାକେଶଙ୍କ ଆଉ ଜଣେ ସହଯୋଗୀ ଶକ୍ତିଶେଖର ସ୍ବାଇଁଙ୍କୁ ଯାଜପୁର ପୋଲିସ ଭୁବନେଶ୍ୱରରୁ ଗରିଫ କରିବା ପରେ ଏହି ରହସ୍ୟଜନକ ମୃତ୍ୟୁ ଉପରୁ ପରଦା ହଟିଛି।

ଉଲ୍ଲେଖଯୋଗ୍ୟ, ଜାନୁୟାରୀ ୨୫ରେ ଝରାଫୁଲ ଭୁବନେଶ୍ୱରରେ ରହୁଥିବା ଧରମ ବାପାଙ୍କ ଘରକୁ ଆସିଥିଲେ। ୨୬ ତାରିଖ ପୂର୍ବାହ୍ନରେ ଘରକୁ ଯିବା ପାଇଁ ଜୟଦେବ ବିହାର ନିକଟରେ ଝାଡ଼େଶ୍ୱର ବସ୍‌ରେ ବସିଥିଲେ। ମାତ୍ର ଅସୁସ୍ଥ ଦର୍ଶାଇ ବାଣୀବିହାର ଛକରେ ଓହ୍ଲାଇ ପଡ଼ିଥିଲେ। ପରେ ତାଙ୍କ ପ୍ରେମିକ ରାକେଶଙ୍କ ସହ ଧର୍ମବିବିହାରସ୍ଥିତ ଏକ ଗେଷ୍ଟ ହାଉସକୁ ଯାଇ ରାତିରେ ରହିଥିଲେ। ଗେଷ୍ଟ ହାଉସ ନିକଟରେ ଲାଗିଥିବା ସିସିଟିଭି ଫୁଟେଜରୁ ରାକେଶ ଏବଂ ତାଙ୍କ ବନ୍ଧୁ ଶକ୍ତିଶେଖର ଝରାଫୁଲଙ୍କୁ ସ୍କୁଟିରେ ବସାଇ ଯାଜପୁର ନେଇଯାଇଥିଲେ। ଜାନୁୟାରୀ ୨୭ ତାରିଖ ସକାଳେ ଝରାଫୁଲଙ୍କ ମୃତଦେହ ଯାଜପୁର ଜିଲା କୁଆଖିଆ ନିକଟ ମୂଳାପାଳ ଛକ ନିକଟ ରାସ୍ତା ପାର୍ଶ୍ୱରୁ ମିଳିଥିଲା।