ଆଳଙ୍କାରିକ ପ୍ୟାକେଜ

ପୂର୍ବରୁ ଗଡ଼ି ଆସିଥିବା ଆର୍ଥିକ ବିଫଳତା ସହ କରୋନା ମହାମାରୀଜନିତ ସଙ୍କଟ ଭାରତୀୟ ଅର୍ଥନୀତିକୁ ଏକ ପ୍ରକାର ସ୍ଥାଣୁ କରିଦେଇଛି। ନିକଟରେ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ) ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ସଂକ୍ରାନ୍ତ ତଥ୍ୟ ଦେବା ବେଳେ ଭାରତରେ ଖାଉଟିଙ୍କ ଖର୍ଚ୍ଚ ଓ ଅର୍ଥନୀତିରେ ନିବେଶ କମିଯାଇଥିବା ଦର୍ଶାଇଥିଲା। ସେହିପରି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଚଳିତବର୍ଷ ଅର୍ଥନୀତି ୯.୫ ପ୍ରତିଶତ ହ୍ରାସ ପାଇବ ବୋଲି କହିଛି। ୧୩ ଅକ୍ଟୋବରରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ମଧ୍ୟ ଆକଳନ କରିଛି ଯେ, ଚଳିତ ବର୍ଷ ଭାରତର ଅର୍ଥନୀତି ୧୦. ୩ ପ୍ରତିଶତ ଖସିବ। ଇତିମଧ୍ୟରେ ସବୁ ପ୍ରକାର ସାମଗ୍ରୀର ଦର ଆକାଶଛୁଆଁ ହୋଇଯାଇଛି। ଲୋକଙ୍କ ହାତରେ ଅର୍ଥ ନ ଥିବା ବେଳେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଖାଉଟିଙ୍କୁ ଅନେକ ବାଧିଲାଣି। ଏସବୁକୁ ଦୃଷ୍ଟିରେ ରଖି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୧୨ ଅକ୍ଟୋବରରେ ୭୩ ହଜାର କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ସୀତାରାମନ ଏହିଭଳି ଅନେକ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ବହୁବାର ଘୋଷଣା କରିସାରିଲେଣି। ତେବେ ୧୨ ଅକ୍ଟୋବରରେ ଘୋଷଣା କରାଯାଇଥିବା ପ୍ୟାକେଜର ସ୍ବରୂପକୁ ଦେଖିଲେ ବଜାରରେ ଖାଉଟି ଚାହିଦା ବୃଦ୍ଧି ସହ ଅର୍ଥନୀତିରେ ନିବେଶ କାର୍ଯ୍ୟ ବଢ଼ାଇବା ଲାଗି ସରକାର ଏପରି ପଦକ୍ଷେପ ନେଇଛନ୍ତି। ସେଥିପାଇଁ ସରକାରୀ କର୍ମଚାରୀଙ୍କ ହାତରେ ସର୍ତ୍ତମୂଳକ ଅର୍ଥ ଧରାଇବାକୁ ଚେଷ୍ଟା କରାଯାଇଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଭିତ୍ତିଭୂମି ଉନ୍ନତି ଲାଗି ହେବାକୁ ଥିବା ଖର୍ଚ୍ଚ ବୃଦ୍ଧି କଥା ଚିନ୍ତା କରାଯାଇଛି।
ଦୁଇଟି ଭାଗରେ ଘୋଷଣା କରାଯାଇଥିବା ପ୍ୟାକେଜକୁ ଲକ୍ଷ୍ୟ କରାଯାଉ। କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ପୂଜାଭେଟି ଭାବେ ସୁଧମୁକ୍ତ ୧୦ ହଜାର ଟଙ୍କା ଅଗ୍ରିମ ଅର୍ଥ ପ୍ରଦାନ ସୁବିଧା ଏବଂ ଭ୍ରମଣ କରିବା ପାଇଁ ଥିବା ଲିଭ୍‌ ଟ୍ରାଭେଲ କନ୍‌ସେସନ୍‌ (ଏଲ୍‌ଟିସି) ପରିବର୍ତ୍ତେ କ୍ୟାଶ୍‌ ଭାଉଚର ବ୍ୟବସ୍ଥା କରାଯାଇଛି। ଏଥିରେ ୧୦ ହଜାର ଟଙ୍କା ଲେଖାଏ ଅର୍ଥରାଶି କର୍ମଚାରୀଙ୍କ କାର୍ଡରେ ପ୍ରିପେଡ୍‌ ଭାବେ ଦିଆଯିବ, ଯାହା ସେମାନଙ୍କୁ ୨୦୨୧ ମାର୍ଚ୍ଚ ସୁଦ୍ଧା ଖର୍ଚ୍ଚ କରିବାକୁ ପଡ଼ିବ। ୧୦ଟି କିସ୍ତିରେ କର୍ମଚାରୀ ଏହାକୁ ସରକାରଙ୍କୁ ଶୁଝିବେ। ଏଲ୍‌ଟିସି ବଦଳରେ ଯେଉଁ କ୍ୟାଶ୍‌ ଭାଉଚର ଦିଆଯିବ, ସେଥିରେ କେନ୍ଦ୍ର କର୍ମଚାରୀମାନେ ଖାଦ୍ୟ ବର୍ଗରେ ନ ଥିବା ଜିଏସ୍‌ଟି ସୂଚୀଯୁକ୍ତ ସାମଗ୍ରୀ କିଣିପାରିବେ। ପୁଣି ୧୨ କିମ୍ବା ତା’ଠାରୁ ଅଧିକ ସ୍ଲାବର ଥିବା ଜିଏସ୍‌ଟି ସାମଗ୍ରୀ କିଣିବାକୁ ଏଥିରେ ସର୍ତ୍ତ ରଖାଯାଇଛି। ଅର୍ଥାତ୍‌ ଯଦି ସମ୍ପୃକ୍ତ କର୍ମଚାରୀଙ୍କ କୌଣସି ଔଷଧ କିମ୍ବା ଖାଦ୍ୟସାମଗ୍ରୀ କିଣିବାର ପ୍ରୟୋଜନ ରହିଥାଏ, ତାହାକୁ ସେ କିଣିପାରିବେ ନାହିଁ। ଅପରପକ୍ଷେ ସେହି ଅର୍ଥରେ ମୋବାଇଲ କିମ୍ବା ଟେଲିଭିଜନ ଭଳି ସାମଗ୍ରୀ କିଣିବେ। ଖାଉଟି ଖର୍ଚ୍ଚ ବଢ଼ାଇ ବଜାରକୁ ଚଳଚଞ୍ଚଳ କରିବା ଲାଗି ଏହି ଦୁଇ ପ୍ରକାର ଅର୍ଥକୁ ମିଶାଇଲେ ପରିମାଣ ୩୬ ହଜାର କୋଟି ଟଙ୍କା ରଖାଯାଇଛି। ଦେଖିବାକୁ ଗଲେ ଭାରତ ଭଳି ବୃହତ୍‌ ବଜାରକୁ ପ୍ରଭାବିତ କରିବାରେ ଏତିକି ମାତ୍ରାର ଅର୍ଥ ସମୁଦ୍ରକୁ ଶଙ୍ଖେ ଭଳି ଲାଗୁଛି। ପୁଣି ଖାଉଟି ଖର୍ଚ୍ଚ ବୃଦ୍ଧି ସରକାରଙ୍କ ସର୍ତ୍ତକୁ ମାନି କେତେ କର୍ମଚାରୀ ଯୋଜନାର ସୁବିଧା ନେବାକୁ ଆଗେଇ ଆସିବେ ତା’ ଉପରେ ନିର୍ଭର କରୁଛି। ଘୋଷଣା ହୋଇଥିବା ପ୍ୟାକେଜର ଦ୍ୱିତୀୟ ଭାଗକୁ ଦେଖିଲେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକଳ୍ପରେ ଅର୍ଥ ବ୍ୟୟ କରାଯିବା ଲାଗି ଲକ୍ଷ୍ୟ ରଖାଯାଇଛି। ରାଜ୍ୟଗୁଡ଼ିକୁ ୫୦ ବର୍ଷର ସୁଧମୁକ୍ତ ଋଣ ବାବଦରେ ୧୨ ହଜାର କୋଟି ଟଙ୍କା ଦିଆଯିବ। ସେହିଭଳି କେନ୍ଦ୍ର ସରକାର ୨୫ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରିପାରିବେ। ଏହି ଦୁଇଟି ଅର୍ଥର ଅଙ୍କକୁ ମିଶାଇଲେ ପରିମାଣ ହେଉଛି ମାତ୍ର ୩୭,୦୦୦ କୋଟି ଟଙ୍କା। ଏଠାରେ ରାଜ୍ୟଗୁଡ଼ିକୁ ୫୦ ବର୍ଷର ସୁଧମୁକ୍ତ ଋଣ କଥା ଯାହା କୁହାଯାଇଛି, ସେତିକି ବର୍ଷକୁ ଏବର ପିଢ଼ି ସମେତ ଭାରତୀୟ ଜନତା ପାର୍ଟିର ନେତାମାନେ ଥିବେ କି ନାହିଁ, କେହି କହିପାରିବେ ନାହିଁ। ଏଥିସହିତ ୫୦ ବର୍ଷ ମଧ୍ୟରେ ଏହି ଅର୍ଥରେ ବଜାର ମୂଲ୍ୟ କେତେ ଥିବ, ତାହା ମଧ୍ୟ କହିବା କଷ୍ଟକର। ପୁଣି ୧୨ ହଜାର କୋଟି ଟଙ୍କା ରାଜ୍ୟଗୁଡ଼ିକର କେଉଁ ଭିତ୍ତିଭୂମି ଓ ପ୍ରକଳ୍ପ ଲକ୍ଷ୍ୟ ପୂରଣ କରିବ ବୁଝିବା ମୁସ୍କିଲ। ଏଥିସହିତ ୫୦ ବର୍ଷ ମଧ୍ୟରେ ଏହି ଅର୍ଥର ବଜାର ମୂଲ୍ୟ କେତେ ଥିବ ତାହା ମଧ୍ୟ କହିହେଉ ନାହିଁ। ପୁଣି ଧାର୍ଯ୍ୟ କରାଯାଇଥିବା ଅର୍ଥରୁ କେଉଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କେଉଁ ପ୍ରକଳ୍ପ ପାଇଁ କେତେ ପାଇବେ ଏହି ଘୋଷଣାରେ ସ୍ପଷ୍ଟ କରାଯାଇ ନାହିଁ। ସମ୍ଭବତଃ ଭାଜପା ଶାସିତ ରାଜ୍ୟଗୁଡ଼ିକ ବଡ଼ ଭାଗ ହାତେଇ ନେବେ। ଏଥିରୁ ବୁଝିବାକୁ ହେବ ଯେ, ଏହା ମଧ୍ୟ ଏକ ରାଜନୈତିକ ଚାଲ, ଏଥିରେ ଅର୍ଥନୀତିର ମଙ୍ଗଳ ମୁଖ୍ୟ ଲକ୍ଷ୍ୟ ନୁହେଁ।
ମେ’ ୨୦୨୦ରେ କେନ୍ଦ୍ର ସରକାର ୨୦ ଲକ୍ଷ କୋଟି ଟଙ୍କାର ‘ଆତ୍ମନିର୍ଭର ଭାରତ’ ପ୍ୟାକେଜ ଘୋଷଣା କରିଥିଲେ। ତାହାର ଗତି କେଉଁଆଡ଼େ ହୋଇଛି କାହାରିକୁ ଜଣାନାହିଁ। ଏବର ଘୋଷଣାକୁ ବୁଝିବାରେ ଅନେକ ଦ୍ୱନ୍ଦ୍ୱ ରହିଛି। ଏନ୍‌ଡିଏ ସରକାର ଯେଉଁସବୁ ଯୋଜନା ଓ କାର୍ଯ୍ୟକ୍ରମ ଘୋଷଣା କରନ୍ତି, ତାହା ଶୁଣିବାକୁ ଭଲ ଲାଗିଥାଏ। କିନ୍ତୁ କାର୍ଯ୍ୟକାରୀ ଦିଗକୁ ଗଲା ବେଳେ ବାସ୍ତବ ସମସ୍ୟା ଉପୁଜେ। ସରକାରୀ କର୍ମଚାରୀଙ୍କ ବ୍ୟୟରେ ଭାରତୀୟ ବଜାର ଚଳଚଞ୍ଚଳ ହେବ ବୋଲି ସରକାର ଯାହା ଭାବୁଛନ୍ତି, ତାହା ହୃଦ୍‌ବୋଧ ହେଉ ନାହିଁ। କାରଣ ୧୫୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ କେନ୍ଦ୍ରୀୟ କର୍ମଚାରୀଙ୍କ ସଂଖ୍ୟା ରହିଛି ମାତ୍ର ୪୮ ଲକ୍ଷ ୩୪ ହଜାର। ତେଣୁ ପ୍ରତ୍ୟେକ କ୍ଷେତ୍ରକୁ ହିସାବ କରାଯାଇ ବାସ୍ତବ ଅର୍ଥନୈତିକ ପଦକ୍ଷେପ ନିଆଗଲେ ନିମ୍ନଗାମୀ ହୋଇଥିବା ଅର୍ଥନୀତିକୁ ଊର୍ଦ୍ଧ୍ୱମୁଖୀ କରିବା ଲାଗି ସୁଯୋଗ ମିଳିପାରନ୍ତା। କିନ୍ତୁ ବିପୁଳ ଅର୍ଥ ଯୋଗାଡ଼ କରିବାକୁ ଯାଇ କେନ୍ଦ୍ର ସରକାର ସବୁ ରେଳ ଷ୍ଟେଶନ, ବନ୍ଦର, ବିମାନ ବନ୍ଦରଠାରୁ ଆରମ୍ଭ କରି ଦେଶର ସବୁ ସମ୍ପତ୍ତି ଏବେ ବିକ୍ରି ହେବା ପାଇଁ ଆରମ୍ଭ ହୋଇଗଲାଣି। ଏଥିରୁ ବୁଝିବାକୁ ହେବ ଯେ, ସବୁକିଛି ବିକ୍ରି କରି ଅର୍ଥନୀତିକୁ ଉଠାଇବାର ଏହି ଆଳଙ୍କାରିକ ପ୍ୟାକେଜ ସମସ୍ୟାର ସମାଧାନ ଆଣି ନ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri