ଦୋକାନ ଆଜବେଷ୍ଟସ୍‌ ଭାଙ୍ଗି ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଅଳଙ୍କାର ଚୋରି

ପାଟଣା,୧୬।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ମୁଖ୍ୟାଳୟସ୍ଥିତ ପାଟଣା ମୁଖ୍ୟ ବଜାରର ଏକ ଗହଣା ଦୋକାନରୁ ଶୁକ୍ରବାର ରାତିରେ ଚୋରି ହୋଇଛି। ଦୋକାନରୁ ୨୦ଲକ୍ଷରୁ ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଓ ରୁପା ଗହଣା ଚୋରି ହୋଇଥିବା ପାଟଣା ଥାନାରେ ଅଭିଯୋଗ ହୋଇଛି। ଜୁଏଲାରୀ ଦୋକାନ ମାଲିକ ଅଜୟ କୁମାର ପରିଡାଙ୍କ ସୂଚନା ଅନୁଯାୟୀ, ୪ଶହ ଗ୍ରାମ ଓଜନର ସୁନା ଅଳଙ୍କାର ଓ ୨ କେଜି ଓଜନ ରୁପା ଅଳଙ୍କାର ଚୋରି ହୋଇଛି। ଯାହାର ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି କୁହାଯାଉଛି। ଶୁକ୍ରବାର ରାତି ଦୋକାନ କର୍ମଚାରୀମାନେ ବାହାରୁ ତାଲା ଦେଇ ଖାଇବାକୁ ଯାଇଥିବା ବେଳେ ଦୁର୍ବୃତ୍ତ ଦୋକାନ ପଛପଟୁ ଘରର ଆଜବେଷ୍ଟସ୍‌ ଭାଙ୍ଗି ଚୋରି କରିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଘଟଗାଁ ଏସ୍‌ଡିପିଓ ରବୀନ୍ଦ୍ର କୁମାର ମଲ୍ଲିକ ଓ କେନ୍ଦୁଝରରୁ ସାଇଣ୍ଟିଫିକ୍‌ ଟିମ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ପାଟଣା ବଜାରରେ ରାତ୍ରିକାଳୀନ ପୋଲିସ ପାଟ୍ରୋଲିଂକୁ କଡାକଡି କରିବାକୁ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଦାବିହୋଇଛି।