ବିପଦରେ ଜେନାପୁର ବ୍ରାହ୍ମଣୀ ପୋଲ

ଯାଜପୁର ଅଫିସ/ଜେନାପୁର(ଡ଼ି.ଏନ.ଏ),୩୦।୬: ବ୍ରାହ୍ମଣୀ ନଦୀ ଉପରେ ଜେନାପୁର ନିକଟରେ ପ୍ରାୟ ୪୫ କୋଟି ଟଙ୍କାରେ ନିର୍ମିତ ହାଇଲେବୁଲ ବ୍ରିଜ ଏବେ ବିପଦରେ ପଡିଛି। ଆର ଏଣ୍ଡ ବି ବିଭାଗ ପକ୍ଷରୁ ଏହି ବ୍ରିଜକୁ ସୁରକ୍ଷା ଦେବାକୁ ଯାଇ ଜେନାପୁର ପାର୍ଶ୍ୱରେ ଏକ ବ୍ୟାରିକେଡ ନିର୍ମାଣ ହୋଇଛି। ହେଲେ ବାଲି ବ୍ୟବସାୟୀମାନେ ଭାରିଯାନ ବାଲି ବୋଝେଇ ଗାଡି ଚଳାଚଳ କରି ବ୍ୟାରିକେଡକୁ ମାନୁ ନ ଥିବା କାରଣରୁ ଏଭଳି ଆଶଙ୍କା ପ୍ରକାଶ ପାଇଛି।

ଯାଜପୁର ଜିଲାରେ ବେଆଇନ ବାଲି ମାଫିଆଙ୍କୁ ଲଗାମ ଦେବାରେ ପ୍ରଶାସନ ବିଫଳ ହେଉଛି । କେତେକ ପ୍ରଶାସନିକ ଅଧିକାରୀଙ୍କୁ ହାତ କରି ବାଲି ମାଫିଆମାନେ ଧାର୍ଯ୍ୟ ପରିମାଣଠାରୁ ବହୁ ଗୁଣରେ ଅଧିକ ବାଲି ଉତ୍ତୋଳନ କରି ସରକାରଙ୍କ ଗାଇଡଲାଇନକୁ ମଧ୍ୟ ମାନୁନାହାନ୍ତି। ନଦୀ ଭିତରୁ ବାଲି ଛାଣି ଚାଲାଣ କରୁଛନ୍ତି। ଯାହାର ଜ୍ୱଳନ୍ତା ଉଦାହରଣ ରସୁଲପୁର ତହସିଲ ଓ ଧର୍ମଶାଳା ତହସିଲ ଅନ୍ତର୍ଗତ ଜେନାପୁର-ଜାବରା ବ୍ରାହ୍ମଣୀ ପୋଲ ତଳୁ ଚାଲିଛି। ରସୁଲପୁର ତହସିଲ ଜାବର ଘାଟକୁ ଲିଜ ଦେଇଥିବାବେଳେ ବାଲି ମାଫିଆ ଜେନାପୁର ଓ ଜାବରା ମଧ୍ୟ ସ୍ଥଳରୁ ବାଲି ଉତ୍ତୋଲନ କରୁଛନ୍ତି। ସେମାନଙ୍କ ଠାରୁ ସରକାରୀ ହିସାବରେ ରାଜସ୍ବ ନିଆ ଯାଉଥିବାବେଳେ ବାଲି ଉତ୍ତୋଲନରେ ସୀମା ମଧ୍ୟ ରଖା ଯାଇଅଛି। ଏପରିକି ବାଲି ଘାଟରେ ବିଭିନ୍ନ ମେଶିନ ନିୟମ ନ ଥିଲେ ବି ଦିନ ଦ୍ୱିପ୍ରହରରେ ମେଶିନ ଲଗାଇ ବାଲି ଚାଲାଣ ହେଉଛି। ୨୨ା୬ା୨୦୨୨ ରେ ବିଳମ୍ବିତ ରାତିରେ ବିନା ଆର ଫର୍ମରେ ଯାବରା ଘାଟରୁ ବାଲି ଚାଳନ ହେଉଥିବାବେଳେ ସ୍ଥାନୀୟ ଲୋକମାନେ ଗାଡିକୁ ଅଟକାଇ ପୋଲିସ ଜିମା ଦେଇଥିଲେ ।

ଚିନ୍ତାର ବିଷୟ ବ୍ରାହ୍ମଣୀ ହାଇଲେବୁଲ ପୋଲ ଉପରେ ଓଭର ଲୋଡ଼ିଂ କରି ବଡ ବଡ ହାଇୱା ଯୋଗେ ବାଲି ଚାଲାଣ ହେଉଛି। ଏଥିରେ ପୋଲର ଭିତ୍ତିଭୂମି ଦୁର୍ବଳ ହେବା ସହ କେତେକ ସ୍ଥାନରେ ଦବି ଯାଉଥିବା ଦେଖିବାକୁ ମିଳିଛି। ଏନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ଆର ଆଣ୍ଡ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବାରୁ ବଡ ଗାଡି ପୋଲ ଅତିକ୍ରମ ଯେପରି କରି ନ ପାରିବ ସେ ନେଇ ଏକ ଲୁଡା ବ୍ୟାରିକେଡ ନିର୍ମାଣ ହୋଇଛି। ହେଲେ ଏହି ବ୍ୟାରିକେଡକୁ ମଧ୍ୟ ନ ମାନି ପ୍ରତିଦିନ ଶତାଧିକ ଓଭରଲୋଡିଂ ବାଲି ବୋଝେଇ ଗାଡି କବାଟବନ୍ଧ, ଜରକା ରାସ୍ତା ଓ ଲକ ବଜାରଠାରୁ ଜେନାପୁର ମେଡ଼ିକାଲ ଦେଇ ଯାଇଥିବା ରାସ୍ତାରେ ଚଳାଚଳ କରୁଛି। ଏଠାକାର ଗ୍ରାମାଞ୍ଚଳ ରାସ୍ତାଗୁଡିକରେ ସର୍ବାଧିକ ୧୦ ଟନ ମାଲ ପରିବହନର ନିୟମ ଥିବାବେଳେ ହାଇୱା ଗାଡିଗୁଡିକରେ ୪୦/୫୦ ଟନ ବାଲି ଚାଲାଣ ହେଉଛି ବୋଲି ଅଭିଯୋଗ ହେଉଛି।