ଜେଇଇ ମେନ୍‌ ସେସନ-୧ ପରୀକ୍ଷାଫଳ ପ୍ରକାଶ

ଭୁବନେଶ୍ୱର, ୮ା୨(ବ୍ୟୁରୋ): ଆଇଆଇଟି ସମେତ ଦେଶର ବିଭିନ୍ନ ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇବା ପାଇଁ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ପକ୍ଷରୁ କରାଯାଇଥିବା ଜେଇଇ ମେନ୍‌ ସେସନ-୧ ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। ଚଳିତବର୍ଷ ମୋଟ ୮.୬ଲକ୍ଷ ଛାତ୍ରୀଛାତ୍ର ପେପର୍‌-୧ ଏବଂ ୦.୪୬ ଲକ୍ଷ ଛାତ୍ରୀଛାତ୍ର ପେପର୍‌-୨ ପରୀକ୍ଷା ଦେଇଥିଲେ। ଏନ୍‌ଟିିଏ ଏହି ପ୍ରବେଶିକା ପରୀକ୍ଷା ଆରମ୍ଭ କରିବା ପରଠାରୁ ଏବର୍ଷ ସର୍ବାଧିକ ୯୫.୭୯ ପ୍ରତିଶତ ଛାତ୍ରୀଛାତ୍ର ପରୀକ୍ଷା ଦେଇଛନ୍ତି। ପରୀକ୍ଷାର୍ଥୀମାନେ ଏବେ ସେମାନଙ୍କ ଫଳାଫଳ jeemain.nta.nic.in ଓ୍ବେବ୍‌ସାଇଟ୍‌ରେ ଦେଖିପାରିବେ। ସେପଟେ ୱେବ୍‌ସାଇଟ୍‌ରେ ଜେଇଇ ମେନ୍‌ ସେସନ-୧ର ଉତ୍ତର ମଧ୍ୟ ପ୍ରକାଶ ପାଇଛି। ପରୀକ୍ଷାର୍ଥୀମାନେ ସେମାନଙ୍କ ରେଜଲ୍ଟ ଓ ଉତ୍ତରକୁ ୱେବ୍‌ସାଇଟ୍‌ ଜରିଆରେ ଡାଉନ୍‌ଲୋଡ କରିପାରିବେ। ଜେଇଇ ମେନ୍‌ ସେସନ-୧ରେ ୨୦ଜଣ ୧୦୦ ପର୍ସେଣ୍ଟାଇଲ ମାର୍କ ରଖିଛନ୍ତି। ଓଡ଼ିଶାର ଅମୃତାଂଶୁ ମହାନ୍ତି ରାଜ୍ୟ ଟପ୍ପର ହୋଇଥିବା ଜଣାପଡ଼ିଛି। ସାଇ ଇଣ୍ଟରନ୍ୟାଶନାଲ୍‌ ସ୍କୁଲ୍‌ର ଛାତ୍ର ଅମୃତାଂଶୁ ୯୯.୯୭୪ ସ୍କୋର ଅକ୍ତିଆର କରିଛନ୍ତି। ଅମୃତାଂଶୁ ପଦାର୍ଥ ବିଜ୍ଞାନରେ ୯୯.୭୬୦, ରସାୟନ ବିଜ୍ଞାନରେ ୯୯.୯୬୭ ଏବଂ ଗଣିତରେ ୯୯.୯୪୯ ପର୍ସେଣ୍ଟାଇଲ୍‌ ରଖିଛନ୍ତି। ଫଳାଫଳ ଜାଣିବା ପରେ ଅମୃତାଂଶୁ କହିଛନ୍ତି, ରାଜ୍ୟ ଟପ୍ପର ହୋଇଥିବାରୁ ମୁଁ ବହୁତ ଖୁସି। ମୁଁ ପ୍ରତିଦିନ ପାଖାପାଖି ୧୦ ଘଣ୍ଟା ଅଧ୍ୟୟନ କରୁଥିଲି। ଶିକ୍ଷକମାନଙ୍କ ସହଯୋଗ ଏବଂ ମାତାପିତାଙ୍କ ପ୍ରେରଣା ଯୋଗୁ ମୋତେ ଏହି ସଫଳତା ମିଳିଛି। ତେବେ ଦିଲ୍ଲୀ କିମ୍ବା ମୁମ୍ବାଇ ଆଇଆଇଟିରେ ଅଧ୍ୟୟନ କରିବା ପାଇଁ ଲକ୍ଷ୍ୟ ରଖିଥିବା ଅମୃତାଂଶୁ କହିଛନ୍ତି। ସେହିପରି ସାଇ ଇଣ୍ଟରନ୍ୟାଶନାଲ୍‌ ସ୍କୁଲ୍‌ର ପ୍ରିୟଙ୍କା ସର୍‌ ୯୯.୯୪୮, ସଂକେତ ଦାସ ୯୯.୯୧୮, ଦେବାଶିଷ ପଟ୍ଟନାୟକ ୯୯.୮୯୬, ସ୍ନେହିଲ୍‌ ସଂଯୋଗ ୯୯.୮୩୭, ସଂକେତ ରାଉତ ୯୯.୮୦୯ ପର୍ସେଣ୍ଟାଇଲ୍‌ ରଖିଛନ୍ତି। ୧୬ଜଣ ଛାତ୍ରୀଛାତ୍ର ୯୯ ପର୍ସେଣ୍ଟାଇଲ୍‌ରୁ ଅଧିକ ରଖିଥିବା ବେଳେ ୨୪ଜଣ ୯୫ ପର୍ସେଣ୍ଟାଇଲ୍‌ରୁ ଅଧିକ ଏବଂ ୩୧ ଜଣ ଛାତ୍ରୀଛାତ୍ର ୯୦ ପର୍ସେଣ୍ଟାଇଲ୍‌ରୁ ଅଧିକ ରଖିଛନ୍ତି। ସାଇ ଇଣ୍ଟରନ୍ୟାଶନାଲ୍‌ର ଚେୟାରପର୍ସନ ଡ. ଶିଳ୍ପୀ ସାହୁ ଅମୃତାଂଶୁ ଏବଂ ଜେଇଇ ମେନ୍‌ରେ କୃତିତ୍ୱ ଅର୍ଜନ କରିଥିବା ସମସ୍ତ ଛାତ୍ରୀଛାତ୍ରଙ୍କୁ ଅଭିନନ୍ଦନ ଜଣାଇଛନ୍ତି।