ଆଜିଠୁ ଜେଇଇ ମେନ୍‌

ଭୁବନେଶ୍ୱର, ୧।୯(ବ୍ୟୁରୋ): ଓଡ଼ିଶା ସମେତ ସାରା ଦେଶରେ ମଙ୍ଗଳବାରଠାରୁ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ ମେନ୍‌) ଆରମ୍ଭ ହେଉଛି। ଏହା ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଚଳିତବର୍ଷ ରାଜ୍ୟର ମୋଟ ୭ ସହରରେ ୨୬ଟି କେନ୍ଦ୍ର କରାଯାଇଥିବାବେଳେ ପ୍ରାୟ ୩୭ହଜାର ଛାତ୍ରୀଛାତ୍ର ପରୀକ୍ଷା ଦେବେ। ଏହି କେନ୍ଦ୍ରଗୁଡ଼ିକ ମଧ୍ୟରୁ ଭୁବନେଶ୍ୱରରେ ୬ଟି ରହିଥିବାବେଳେ କଟକରେ ୪, ବାଲେଶ୍ୱର ୫, ବ୍ରହ୍ମପୁର ୪, ସମ୍ବଲପୁର ୪, ଢେଙ୍କାନାଳ ୨, ରାଉରକେଲାରେ ଗୋଟିଏ ପରୀକ୍ଷା କେନ୍ଦ୍ର ରହିଛି। ତେବେ ପରୀକ୍ଷା ସୁପରିଚାଳନା ପାଇଁ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି। କୋଭିଡ୍‌ ମହାମାରୀ ଯୋଗୁ ଛାତ୍ରୀଛାତ୍ରଙ୍କ ପରୀକ୍ଷା କେନ୍ଦ୍ରକୁ ଯିବା ଆସିବାରେ ଅସୁବିଧା ଯେପରି ନ ହେବ ସେଥିପାଇଁ ଗୁରୁତ୍ୱ ଦିଆଯାଇଛି। ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୭ ପର୍ଯ୍ୟନ୍ତ ପରୀକ୍ଷାର୍ଥୀଙ୍କ ଯାତାୟାତ ଉପରେ କଟକଣା ହଟାଯାଇଛି। ସ୍ବତନ୍ତ୍ର ବସ୍‌ ଜରିଆରେ ନୋଡାଲ ଅଫିସରଙ୍କ ତଦାରଖରେ ଛାତ୍ରୀଛାତ୍ରଙ୍କୁ ପରୀକ୍ଷା କେନ୍ଦ୍ରକୁ ପଠାଇବାର ବ୍ୟବସ୍ଥା କରାଯାଇଛି। ସମସ୍ତ ପରୀକ୍ଷା କେନ୍ଦ୍ରରେ ମୋବାଇଲ ଟିମ୍‌, ପୋଲିସ ଟିମ୍‌, ସାନିଟାଇଜିଂ ବ୍ୟବସ୍ଥା କରାଯିବ। ଛାତ୍ରୀଛାତ୍ର ଓ ସେମାନଙ୍କ ଅଭିଭାବକଙ୍କ ରହିବା ଓ ଖାଇବା ପାଇଁ ହୋଟେଲ ବ୍ୟବସ୍ଥା ନିମନ୍ତେ ଓଡ଼ିଶା ହୋଟେଲ ଓ ରେସ୍ତୋରାଁ ସଂଘ ଅଧ୍ୟକ୍ଷକଙ୍କ ସହ ପୁରୀ, ସମ୍ବଲପୁର ଓ ରାଉରକେଲା ହୋଟେଲ ସଂଘକୁ ପର୍ଯ୍ୟଟନ ବିଭାଗ ଚିଠି ଲେଖିଛି। ସେହିଭଳି ପିଲାଙ୍କ ସ୍ବାସ୍ଥ୍ୟ ଓ ପରୀକ୍ଷା ସମ୍ପର୍କିତ ସମସ୍ୟାର ସମାଧାନ କରାଯିବ। ପରୀକ୍ଷା କେନ୍ଦ୍ର ବାହାରେ ଭିଡ଼କୁ ଏଡ଼ାଇବା ପାଇଁ ମାଇକ୍‌ ଯୋଗେ ଲୋକଙ୍କୁ ସଚେତନ କରାଯିବ।