ମମିତା ହତ୍ୟାକାଣ୍ଡରେ ବ୍ୟବହୃତ ଜେସିବି, ସ୍କୁଟି ଜବତ

ଭବାନୀପାଟଣା,୧।୧୧(ସ୍ବ.ପ୍ର.): କଳାହାଣ୍ଡି ଜିଲା କେଗାଁ ଥାନା ମହାଲିଙ୍ଗସ୍ଥିତ ଏକ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ବ୍ୟବହୃତ ଜେସିବି ଓ ସ୍କୁଟିକୁ ରବିବାର ସାରେ ଜବତ କରିଛି ସିନ୍ଧେକେଲା ପୋଲିସ। ମହାଲିଙ୍ଗରୁ ଏହି ୨ ଗାଡ଼ିକୁ ଜବତ କରି ସିନ୍ଧେକେଲା ଥାନାକୁ ଅଣାଯାଇଛି। ମମିତାଙ୍କୁ ହତ୍ୟା କରିବା ପରେ ମୃତଦେହ ପୋତିବାକୁ ଜେସିବି ଏବଂ ପୋଡ଼ିବା ପାଇଁ ଟାୟାର ଆଣିବାକୁ ସ୍କୁଟି ବ୍ୟବହାର କରିଥିବା ପୋଲିସକୁ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ କହିଥିଲେ। ଏଣୁ ସିନ୍ଧେକେଲା ପୋଲିସ ମହାଲିଙ୍ଗକୁ ଯାଇ ଉକ୍ତ ଜେସିବି ଓ ସ୍କୁଟିକୁ ଜବତ କରି ଥାନାକୁ ଆଣିଛି। ଜେସିବି ଡ୍ରାଇଭର ପୁଷ୍କର ଭୋଇ ଗାତ ଖୋଳିବା ଓ ପୋତିବା କାମ କରିଥିଲେ ମଧ୍ୟ ହତ୍ୟାକାଣ୍ଡ ସମ୍ପର୍କରେ ଜାଣି ନ ଥିବା କହିବାରୁ ତାଙ୍କୁ ପୋଲିସ ରାଜସାକ୍ଷୀ କରିଛି। ଅନ୍ୟପଟେ ଜେସିବି ଦୋଷୀ ହେଲା, ଆଉ ଡ୍ରାଇଭର କିପରି ନିର୍ଦ୍ଦୋଷ ହେଲା ବୋଲି ଲୋକଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୋଲିସର ଏପରି କାର୍ଯ୍ୟକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଏହି ଘଟଣାରେ ପୋଲିସ ଗୋବିନ୍ଦଙ୍କ ପରିବାରବର୍ଗଙ୍କୁ ମଧ୍ୟ ଜେରା କରିଛି। କଳାହାଣ୍ଡି ଜିଲା କଲମପୁରରେ ରହୁଥିବା ଗୋବିନ୍ଦଙ୍କ ପରିବାର ସଦସ୍ୟଙ୍କୁ ରବିବାର ଅପରାହ୍ନରେ ପୋଲିସ ମହାଲିଙ୍ଗ ଡକାଇ ଜେରା କରିଥିଲା। ଜେରା ସରିବା ପରେ ପୁଣି ସେମାନେ ଫେରି ଯାଇଥିବା ଜଣାପଡିଛି। ଏହି ହତ୍ୟାକାଣ୍ଡରେ ଆଉ କାହାର ସମ୍ପୃକ୍ତି ଅଛି ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି।