ଜେସିବି ପୋଡ଼ି, ଭଙ୍ଗାରୁଜା

କୋରାପୁଟ/ନାରାୟଣପାଟଣା,୨୮।୫(ସ୍ବ.ପ୍ର/ଡି.ଏନ୍‌.ଏ.): କୋରାପୁଟ ଜିଲା ନାରାୟଣପାଟଣା ଅଞ୍ଚଳରେ ଦୀର୍ଘଦିନ ପରେ ପୁଣି ପୋଡାଜଳା ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ମୁତାବକ, ନାରାୟଣପାଟଣା ବ୍ଲକ ତଳଗୁମାଣ୍ଡି ପଞ୍ଚାୟତ ଭିତରପଡା ନିକଟରେ ଥିବା କର୍ଣ୍ଣକୋଣ୍ଡା ପାହାଡରେ ବକ୍ସାଇଟ ରହିଛି। ଏନେଇ ପାହାଡ଼ ଉପରକୁ ରାସ୍ତା ନିର୍ମାଣ ପାଇଁ ତ୍ରିବେଣୀ ନାମକ ଏକ କମ୍ପାନୀକୁ ଦାୟିତ୍ୱ ଦିଆଯାଇଛି। ହେଲେ ଶନିବାର ବିଳମ୍ବିତ ରାତିରେ ରାସ୍ତା କାର୍ଯ୍ୟରେ ନିୟୋଜିତ ଏକ ଜେସିବିକୁ କେତେକ ଦୁର୍ବୃତ୍ତ ପୋଡିଦେଇଥିବା ଅଭିଯୋଗ ହୋଇଛି। ଏଥିସହିତ ପାଖରେ ଥିବା କମ୍ପାନୀର ଅନ୍ୟ କିଛି ଗାଡିକୁ ଭଙ୍ଗାରୁଜା କରିଥିବା ଜଣାପଡିଛି।

ତଲଗୁମାଣ୍ଡି ଅଞ୍ଚଳ ପୂର୍ବରୁ ମାଓବାଦୀଙ୍କ ଆଡ୍ଡାସ୍ଥଳ ରହିଥିବାବେଳେ ନାରାୟଣପାଟଣାରେ ବିଏସ୍‌ଏଫ ଯବାନ ମୁତୟନ ଓ ଜିଲା ପୋଲିସ ଦ୍ୱାରା ବାରମ୍ବାର କୋମ୍ବିଂ ଓ ତଲାସି ପରେ ଅଞ୍ଚଳକୁ ମାଓବାଦୀମୁକ୍ତ ଘୋଷଣା କରାଯାଇଛି। ଏପରିକି ନାରାୟଣପାଟଣା ଓ ବନ୍ଧୁଗାଁ ଅଞ୍ଚଳରେ ମାଓବାଦୀଙ୍କ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି ା ହେଲେ ଶନିବାର ଜେସିବି ପୋଡା ମାଓବାଦୀ ନା କୌଣସି ଦୁର୍ବୃତ୍ତଙ୍କ କାର୍ଯ୍ୟ ସେଥିନେଇ ସ୍ଥାନୀୟ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଅନ୍ୟପକ୍ଷେ ନାରାୟଣପାଟଣା ପୋଲିସ ପକ୍ଷରୁ ଘଟଣା ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ।