ଜୟନାରାୟଣ, ଇରାଶିଷ ଅଭ୍ୟାସଗତ ଅପରାଧୀ: ଚିନ୍ମୟ

ଭୁବନେଶ୍ବର,୧୮ା୨(ବ୍ୟୁରୋ): ରାଜ୍ୟର ଆଇନଶୃଙ୍ଖଳାକୁ ନେଇ ବିଜେଡି ଓ ଭାଜପା ମଧ୍ୟରେ ମୁହଁାମୁହିଁ ସ୍ଥିତି ଜଟିଳ ହେଉଥିବା ଦେଖିବାକୁ ମିଳୁଛି। ଭାଜପା ଯୁବମୋର୍ଚ୍ଚା ଶାସକ ଦଳକୁ ଟାର୍ଗେଟ କରିଥିବା ବେଳେ ବିଜୁ ଯୁବ ଜନତା ଦଳ ଏହାର ପାଲଟା ଜବାବ ରଖିଛି।
ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଦଳର ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ କହିଛନ୍ତି, ଓଡ଼ିଶା ପୋଲିସ ବିଜୁ ଜନତା ଦଳର କର୍ମୀ ସାଜିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱରେ ଥିବା ଗୃହ ବିଭାଗ ସବୁଠି ଅରାଜକତା କରୁଛି। ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବିରେ ଶନିବାରଠାରୁ ରାଜ୍ୟର ସବୁ ବିଧାନସଭା କ୍ଷେତ୍ରରେ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ଏବଂ ଆନ୍ଦୋଳନ କରାଯିବ। ନବ ଦାସ ହତ୍ୟାକାଣ୍ଡର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ହାତକୁ ଦେଇ ଶାସକ ଦଳ ତଥ୍ୟ ଓ ପ୍ରମାଣ ନଷ୍ଟ କରିବାର ପ୍ରୟାସ କରୁଛି। ସତ୍ୟାସତ୍ୟର ଉନ୍ମୋଚନ ପାଇଁ ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରାଇବାକୁ ଇରାଶିଷ ଦାବି କରିଛନ୍ତି।
ଏହାର ଜବାବରେ ବିଜେଡି ନେତା ଚିନ୍ମୟ ସାହୁ କହିଛନ୍ତି, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଭଳି ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ଜଣେ ଅଭ୍ୟାସଗତ ଅପରାଧୀ। ହତ୍ୟା ଅଭିଯୋଗ ଉଭୟଙ୍କ ବିରୋଧରେ ରହିଛି। ଏହି ମାମଲାରେ ଉଭୟ ଗିରଫ ହୋଇ ଜେଲ ଯିବା ସହିତ ଏବେ ଜାମିନରେ ଫେରିଛନ୍ତି। ବିଡ଼ମ୍ବନାର ବିଷୟ କ୍ରମାଗତ ଭାବେ ଏମାନେ ଆଇନକୁ ହାତକୁ ନେଉଛନ୍ତି ବୋଲି ଚିନ୍ମୟ କହିଛନ୍ତି।