ମାନସିକ ଭାରସାମ୍ୟ ହରାଇଛନ୍ତି ଜୟନାରାୟଣ: ବିଜେଡି

ଭୁବନେଶ୍ବର,୧୦ା୨(ବ୍ୟୁରୋ): ନବ ଦାସଙ୍କ ହତ୍ୟାକାଣ୍ଡ ଭଳି ସ୍ପର୍ଶକତାର ଘଟଣାରେ ବାରମ୍ବାର ଅରୁଚିକର ମନ୍ତବ୍ୟ ଦେଉଥିବା ବରିଷ୍ଠ ଭାଜପା ନେତା ଜୟନାରାୟଣ ମିଶ୍ର ମାନସିକ ଭାରସାମ୍ୟ ହରାଇଛନ୍ତି। ତେଣୁ ତୁରନ୍ତ ତାଙ୍କର ମାନସିକ ସ୍ବାସ୍ଥ୍ୟ ପରୀକ୍ଷା କରାଇବାକୁ ବିଜେଡି ପକ୍ଷରୁ ଭାଜପା ନେତୃବୃନ୍ଦଙ୍କୁ ପରାମର୍ଶ ଦିଆଯାଇଛି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ କହିଛନ୍ତି, ସ୍ବର୍ଗତ ନବ ଦାସଙ୍କ ଦ୍ୱାଦଶାହ ଶ୍ରଦ୍ଧାଞ୍ଜଳି ସଭା ଝାରସୁଗୁଡ଼ାଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଯୋଗଦେଇ ଦିବଂଗତ ନେତାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଓଡ଼ିଶା ସଂସ୍କୃତି ଓ ପରମ୍ପରା ଅନୁସାରେ ଏଭଳି ସମୟରେ ଜଣେ ମୃତବ୍ୟକ୍ତିଙ୍କ ଭଲ କାମକୁ ମନେପକାଇ ତାଙ୍କ ଗୁଣାବଳୀର ସ୍ମରଣ କରାଯାଏ। ମାତ୍ର ଗତ କିଛିଦିନ ହେଲା ମାନସିକ ଭାରସାମ୍ୟ ହରାଇଥିବା ଭାଜପା ନେତା ଜୟନାରାୟଣ ମିଶ୍ର ନବ ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭାକୁ ନେଇ ଅରୁଚିକର ମନ୍ତବ୍ୟ ଦେଇଛନ୍ତି। ଦଳମତ ନିର୍ବିଶେଷରେ ତାଙ୍କ ମନ୍ତବ୍ୟକୁ ସମସ୍ତେ ନିନ୍ଦା କରୁଛନ୍ତି। ମାନସିକ ଭାରସାମ୍ୟ ହରାଇଥିବା ଭାଜପାର ଏହି ନେତାଙ୍କ ଆଚରଣ ଓ ଉଚ୍ଚାରଣ ଏଭଳି ହେବା ସ୍ବାଭାବିକ। ତାଙ୍କ ଭଳି ଅଭ୍ୟାସଗତ ଅପରାଧୀଙ୍କଠାରୁ ଅଧିକ କିଛି ଆଶା ନ କରାଯାଇପାରେ। ତେଣୁ ଭାଜପା ଶୀର୍ଷନେତାଙ୍କୁ ଅନୁରୋଧ ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ଭୁଲି ଜଣେ ମୃତବ୍ୟକ୍ତିଙ୍କ ଦ୍ୱାଦଶାହରେ ଏଭଳି ଅରୁଚିକର ମନ୍ତବ୍ୟ ଦେଉଥିବା ନେତାଙ୍କ ମାନସିକ ସ୍ବାସ୍ଥ୍ୟ ପରୀକ୍ଷା କରାନ୍ତୁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ନବ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ ଏକ ଜନ ସମାବେଶ ଝାରସୁଗୁଡ଼ାସ୍ଥିତ ସରବାହାଲ ହାଇସ୍କୁଲ ପଡ଼ିଆରେ ଆୟୋଜନ କରାଯାଇଥିଲା। ଏଥିରେ ବହୁ ସଂଖ୍ୟାରେ ନେତା ଓ କର୍ମୀ ଏକତ୍ରିତ ହୋଇଥିଲେ। ରାଜ୍ୟର ପ୍ରାୟ ସମସ୍ତ ଆଗଧାଡ଼ିର ନେତା ସେଠାରେ ଏକାଠିହେବା ସାଙ୍ଗକୁ ମୁଖ୍ୟମନ୍ତ୍ରୀ ମଧ୍ୟ ସେଠାକୁ ଯାଇଥିଲେ। ହେଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏହା ଶ୍ରଦ୍ଧାଞ୍ଜଳି ସଭା ନାଁରେ ରାଜନୀତି ହେଉଥିବା କହିଛନ୍ତି।