ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଯବାନଙ୍କ ଶେଷକୃତ୍ୟ

ଟିକିରି,୨୦ା୩: ଦିଲ୍ଲୀରେ ସିଆରପିଏଫ୍‌ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଭାବେ କାର୍ଯ୍ୟ କରୁଥିବା ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ କୋଡ଼ିପାରି ଗ୍ରାମର ଜେମ୍‌ସ ଦାସ ନାୟକଙ୍କର ଗୁରୁବାର ରାତିରେ ପରଲୋକ ଘଟିଥିଲା। ଶନିବାର ସନ୍ଧ୍ୟାରେ ତାଙ୍କ ମରଶରୀର କୋଡ଼ିପାରିରେ ପହଞ୍ଚିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି।
ସିଆର୍‌ପିଏଫ୍‌ ଡିଆଇଜି ବିଜୟ ସିଂ(ସମ୍ବଲପୁର ଜୋନ୍‌)ଙ୍କ ନେତୃତ୍ୱରେ ପୋଲିସ ସୁରକ୍ଷା ବଳୟରେ ଏକ ସ୍ବତନ୍ତ୍ର ଗାଡ଼ିରେ ଯବାନଙ୍କ ମରଶରୀର ଗାଁରେ ପହଞ୍ଚିଥିଲା। ସ୍ତ୍ରୀ, ୨ ବର୍ଷର ପୁତ୍ର, ମା’ ବାପା ଏବଂ ସମ୍ପର୍କୀୟଙ୍କ ଶେଷଦର୍ଶନ ପରେ ମରଶରୀରକୁ ଶୋଭାଯାତ୍ରାରେ ଗାଁ ଶ୍ମଶାନକୁ ନିଆଯାଇଥିଲା। ସେଠାରେ ଜେମ୍‌ସଙ୍କୁ କବର ଦିଆଯାଇଥିଲା। ଏହି ସମୟରେ କାଶୀପୁର ବ୍ଲକ୍‌ର ପ୍ରଶାସନିକ ଅଧିକାରୀ, ଦୋରାଗୁଡ଼ା ଥାନା ଅଧିକାରୀ, ଅଣ୍ଡିରାକଞ୍ଚ ଥାନା ଅଧିକାରୀ, ରାୟଗଡ଼ା ଜିଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା, ଉତ୍କଳ ଆଲୁମିନାର ଅଧିକାରୀଙ୍କ ସମେତ ବହୁ ରାଜନୈତିକ ବ୍ୟକ୍ତିବିଶେଷ ଏବଂ ବୁଦ୍ଧିଜୀବୀ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେହିପରି ରାସ୍ତାରେ ଅଞ୍ଚଳବାସୀ ଉପସ୍ଥିତ ରହି ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀଙ୍କ ଏସ୍‌ପିଓ ପାଇଁ ଶୁକ୍ରବାର ରନ୍‌ ଟେଷ୍ଟବେଳେ ଜେମ୍‌ସ ଟଳିପଡ଼ିଥିଲେ। ତାଙ୍କୁ ଦିଲ୍ଲୀସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ତାଙ୍କର ହୃଦ୍‌ଘାତରେ ପରଲୋକ ଘଟିଥିବା ଡାକ୍ତର ଘୋଷଣା କରିଥିଲେ।