ସରିଲା ଜଉକଣ୍ଢେଇ ଲଗ୍ନଧରା

ବାଲେଶ୍ୱର ଅଫିସ, ୧୮।୫ – ବାଲେଶ୍ୱରର ଲୋକପର୍ବ ଜଉକଣ୍ଢେଇ ବାହାଘରର ଲଗ୍ନଧରା ସୋମବାର ମହା ଆଡ଼ମ୍ବରରେ ଶେଷ ହୋଇଛି। ବାଲିଆ ବୃନ୍ଦାବନ ବିହାର ଅଞ୍ଚଳର କୈଳାଶ ଚନ୍ଦ୍ର ପରିଡ଼ା ଓ ସୁପ୍ରିୟା ପରିଡ଼ା ବର ଜୟଦେବ (ଜଉକଣ୍ଢେଇ)ର କର୍ତ୍ତା ଓ କର୍ତ୍ତୀ ଭାବେ ଓ ଗଡ଼ଗଡିଆ ଛକ ଅଞ୍ଚଳର ମଦନ ସରାଉଗୀ ଓ ଅଞ୍ଜୁ ସରାଉଗୀ କନ୍ୟା ପଦ୍ମାବତୀ (ଜଉକଣ୍ଢେଇ)ର କର୍ତ୍ତା ଓ କର୍ତ୍ତୀ ଚଳିତବର୍ଷ ସ୍ବୀକୃତ ହୋଇଛନ୍ତି। ଆସନ୍ତା ୨୬ ତାରିଖରେ ବାହାଘର ହେବାର ଲଗ୍ନ ସ୍ଥିର ହୋଇଛି।
ବର ପକ୍ଷରୁ ଜଉକଣ୍ଢେଇ ବାହାଘର ଉତ୍ସବ କମିଟି କର୍ମକର୍ତ୍ତାମାନେ ସିନେମା ଛକର ସିଦ୍ଧି ବିନାୟକ ମନ୍ଦିରରେ ପୂଜାର୍ଚ୍ଚନା କରି କନ୍ୟା ଘର ମୋତିଗଞ୍ଜର ମାରଓ୍ବାଡି ରାଧାକୃଷ୍ଣ ମନ୍ଦିରକୁ ଯାଇଥିଲେ। ଉଭୟ ପକ୍ଷ ଉପସ୍ଥିତିରେ ବୈଦିକ ରୀତିନୀତିରେ ଲଗ୍ନଧରା ଆରମ୍ଭ ହୋଇଥିଲା। ଉଭୟ ପକ୍ଷରୁ ଯୌତୁକ ଦାବି କରାଯାଇଥିଲା। ବରପକ୍ଷର ଯୌତୁକ-ଦୁଇଟି ଗରିବ ଝିଅର ବାହାଘର ଓ ଅତି କମ୍‌ରେ ୫୦୦ ୟୁନିଟ ରକ୍ତଦାନ ଶିବିର। ସେହିପରି କନିଆ ପକ୍ଷରୁ ୧୦୧ ନେତ୍ରଦାନ ଭଳି ଯୌତୁକ ଦେଣନେଣରେ ମଞ୍ଜୁରୀ ମିଳିଥିଲା। ଜଉକଣ୍ଢେଇ ବାହାଘର ଉତ୍ସବ କମିଟିରୁ ସଭାପତି ସୁବାସିନୀ ଜେନା, ଉପେନ୍ଦ୍ର ନାଥ ପାତ୍ର, ଶିଳ୍ପୀ କେଶୁଦାସ, ଡ. କୁମାର ଗୋପାଳ, ଇଂ. ହୃଷିକେଶ ସାହୁ, ବ୍ରହ୍ମନାଥ ରଥ, ଗୌରାଙ୍ଗ ପାଣିଗ୍ରାହୀ, ରଘୁନାଥ ଲେଙ୍କା, ରାଜେଶ ଗିରି, ଡ. ଅରବିନ୍ଦ ଗିରି, ଡ. ପ୍ରଦୀପ ଭୌମିକ, ବ୍ୟୋମନାଥ ରଥ ପ୍ରମୁଖ ଅରୁଆ ଚାଉଳ ଓ ଫୁଲ ଦେଇ କନ୍ୟା ପଦ୍ମାବତୀଙ୍କୁ ଆଶୀର୍ବାଦ ଦେଇଥିଲେ। କନ୍ୟାଘର ପକ୍ଷରୁ ମାରୱାଡ଼ି ଯୁବ ମଞ୍ଚର ନଓଲ ଅଗ୍ରୱାଲ, ପ୍ରକାଶ ପୋଦ୍ଦାର, ଶିବୁ ପୋଦ୍ଦାର, ପିଣ୍ଟୁ ପୋଦ୍ଦାର, ସୁଶୀଳ ଜଳାନ, ଦ୍ୱାରିକା ପ୍ରସାଦ ମୋର୍‌, ଅଖିଳ ଭାରତୀୟ ମାରୱାଡ଼ି ମହିଳା ସମ୍ମିଳନୀ, ଓଡ଼ିଶା ପ୍ରଦେଶ, ବାଲେଶ୍ୱର ଶାଖାର ପ୍ରିୟା ଅଗ୍ରୱାଲ, ସୋନାଲ ମୋଦୀ, ପ୍ରୀତି ଖଣ୍ଡେଲୱାଲ, ସୀମା ଅଗୱାଲ, ନିଶା ମୋଦୀ, ସୁନିତା ମିଶ୍ରା, ସୁନିତା ପୋଦ୍ଦାର, ସୁଧା ଅଗ୍ରୱାଲ, ମଞ୍ଜୁ ଅଗୱାଲ, ମନୀଷା ମୋଦୀ, ରାଧା ମୋଦି, ସୁନିତା ଅଗ୍ରୱାଲ ପ୍ରମୁଖ ସମସ୍ତଙ୍କୁ ଆତିଥ୍ୟ ପ୍ରଦାନ କରିଥିଲେ।