ବନ୍ଦ ହେଲା ଯାତ୍ରା, ୧୦ ହଜାର ଜରିମାନା

ବାସୁଦେବପୁର,୩।୪: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଛି। ଏଭଳିସ୍ଥିତିରେ ବିନା ଅନୁମତିରେ ଯାତ୍ରା ପରିବେଷଣ କରାଯାଉଥିବା ଘଟଣା ଭଦ୍ରକ ଜିଲା ଅଞ୍ଚଳରେ ଦେଖିବାକୁ ମିଳିଛି। ଗଦଳା ପଡ଼ିଆରେ ଶୁକ୍ରବାର ରାତିରେ ଯାତ୍ରା ପରିବେଷଣ କରାଯାଉଥିଲା। ଖବର ପାଇ ନାୟକାଣିଡିହୀ ଥାନା ପୋଲିସ ପହଞ୍ଚି ଯାତ୍ରାକୁ ବନ୍ଦ କରିଥିଲା। କୋଭିଡ଼ ଗାଇଡଲାଇନ୍‌ ଉଲ୍ଲଙ୍ଘନ କରି ଯାତ୍ରା ପରିବେଷଣ କରାଯାଉଥିବା ଅଭିଯୋଗରେ କମିଟିକୁ ୧୦ ହଜାର ଟଙ୍କା ଜରିମାନା କରାଯାଇଥିବା ନାୟକାଣିଡିହୀ ଥାନା ଆଇଆଇସି ଉମାଶଙ୍କର ନାୟକ କହିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯାତ୍ରା ଚାଲିଥିବା ବେଳେ ସ୍ଥାନୀୟ କେତେଜଣ ପ୍ରଶାସନିକ ଅଧିକାରୀଙ୍କ ସହ କିଛି ଗଣମାଧ୍ୟମ ପ୍ରତିନିଧି ଦର୍ଶକଙ୍କ ଗ୍ୟାଲେରୀର ୧ନମ୍ବର ଧାଡ଼ିରେ ବସି ଯାତ୍ରା ଦେଖିଥିଲେ। ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।