ବୁମ୍‌ରାଙ୍କ ବୋଲିଂ ଆକ୍ସନରେ ବଡ଼ ପରିବର୍ତ୍ତନ! ନୂଆ ଷ୍ଟାଇଲ ଦେଖି ସମସ୍ତେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୭।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ କ୍ରାଇଷ୍ଟଚର୍ଚ୍ଚର ହେଗ୍ଲି ଓଭାଲ ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚର ପ୍ରଥମ ଦିନ ଜସପ୍ରୀତ ବୁମ୍‌ରା କୌଣସି ଉଇକେଟ୍‌ ନେଇପାରିନଥିଲେ। ତେବେ ତାଙ୍କ ବୋଲିଂ ଆକ୍ସନ ଚର୍ଚ୍ଚାର ବିଷୟ ପାଲଟିଛି। ସାଧାରଣତଃ ବୁମ୍‌ରା ରନ-ଅପ ସମୟରେ ଦୁଇ ହାତରେ ବଲ ଧରି ଦୌଡ଼ିଥାନ୍ତି। କିନ୍ତୁ ଏଥର ସେ ଦୁଇ ହାତକୁ ଅଲଗା କରି ଦୌଡ଼ୁଥିବା ଦେଖିବାକୁ ମିଳିଛି।

ବୁମ୍‌ରାଙ୍କ ବୋଲିଂ ଆକ୍ସନକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଛି। ତାଙ୍କ ପୁରୁଣା ଓ ନୂଆ ବୋଲିଂ ଆକ୍ସନ୍ର ତୁଳନାତ୍ମକ ଫଟୋ ମଧ୍ୟ ସେୟାର୍‌ କରାଯାଉଛି। ବୁମ୍‌ରା ନିଜ ବୋଲିଂ ଆକ୍ସନକୁ ଅଧିକ ଉନ୍ନତ କରିବା ପାଇଁ ଏପରି ପରିବର୍ତ୍ତନ କରିଛନ୍ତି ନା ଏହା ପଛରେ ଉଇକେଟ୍‌ ନେବାର କୌଣସି ନୂଆ ରଣନୀତି ରହିଛି, ତାହା ନେଇ ପ୍ରଶ୍ନ ଉଠୁଛି।

ତାଙ୍କ ରନ-ଅପ ପୂର୍ବଭଳି ଛୋଟ ରହିଥିଲା। କିନ୍ତୁ ଏଥର ସେ ହାତ ଖୋଲି ଦୌଡ଼ୁଥିବା ଦେଖାଯାଇଥିଲା। ବଲ ଛାଡ଼ିବାର ଠିକ ପୂର୍ବରୁ ତାଙ୍କ ହାତର ଗତି ପୂର୍ବଭଳି ଥିଲା। କେବଳ ଦୌଡ଼ିବା ଶୈଳୀରେ ପରିବର୍ତ୍ତନ ଆସିଥିଲା।

ଇଂରାଜୀ କମେଣ୍ଟେଟରମାନେ ମଧ୍ୟ କହିଥିଲେ ଯେ, ବୁମ୍‌ରାଙ୍କ ନୂଆ ବୋଲିଂ ଆକ୍ସନ ପୂର୍ବ ତୁଳନାରେ ଅଧିକ ଭଲ ଦେଖାଯାଉଛି। ତାଙ୍କ ଦୌଡ଼ିବା ଶୈଳୀରେ ମଧ୍ୟ ଭିନ୍ନତା ରହିଥିଲା। ପୂର୍ବରୁ ବୁମ୍‌ରା ପାଦର ଆଗ ଭାଗ ଉପରେ ଭରସା କରି ଛୋଟ ଛୋଟ ପାଦ ପକାଇ ଦୌଡ଼ୁଥିବା ଦେଖାଯାଉଥିଲା। କିନ୍ତୁ କ୍ରାଇଷ୍ଟଚର୍ଚ୍ଚରେ ଦୌଡ଼ିବା ସମୟରେ ସେ ଛୋଟ ଛୋଟ ଡିଆଁ ମାରୁଥିବା ନଜର ଆସିଥିଲେ।

ତେବେ କିଛି ଲୋକ ବୁମ୍‌ରାଙ୍କୁ ସମାଲୋଚନା ମଧ୍ୟ କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ବୁମ୍‌ରା ଏବେ ନିଜ କ୍ୟାରିୟରର ଶୀର୍ଷ ସମୟରେ ନାହାନ୍ତି। ତାଙ୍କ ୱିକେଟ ନେବାର କ୍ଷମତା ଓ ବୋଲିଂ ସ୍ପିଡ୍ରେ ମଧ୍ୟ ହ୍ରାସ ଘଟିଛି।

କ୍ରାଇଷ୍ଟଚର୍ଚ୍ଚ ଟେଷ୍ଟର ପ୍ରଥମ ଦିନ ଜସପ୍ରୀତ ବୁମ୍‌ରା ଗୋଟିଏ ବି ଉଇକେଟ୍‌ରେ ନେଇପାରିନଥିଲେ। ପ୍ରଥମ ଦିନ ସେ ୧୯ ଓଭର ବୋଲିଂ କରି ୩୭ ରନ ଦେଇଥିଲେ।
ଏହି ସିରିଜରେ ବୁମ୍‌ରା ଗତ ୩୬.୪ ଓଭର ଧରି କୌଣସି ଉଇକେଟ୍‌ ହାସଲ କରିପାରିନାହାନ୍ତି। ଟେଷ୍ଟ କ୍ରିକେଟରେ ଏହା ତାଙ୍କର ସବୁଠାରୁ ଲମ୍ବା ଉଇକେଟ୍‌ ବିହୀନ ବୋଲିଂ ସ୍ପେଲ।
ଏହା ପୂର୍ବରୁ ତାଙ୍କର ସବୁଠାରୁ ଲମ୍ବା ଉଇକେଟ୍‌ ବିହୀନ ବୋଲିଂ ସ୍ପେଲ ୩୬ ଓଭରର ଥିଲା। ୨୦୨୧ରେ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସିପ ଫାଇନାଲରେ ଏହି ରେକର୍ଡ ହୋଇଥିଲା।

Dharitri – Odisha’s No.1 Odia Daily

Share