ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା ୫.୯ ମାପ କରାଯାଇଥିବା ବେଳେ ଆମେରିକାର ଭୂଗର୍ଭ ବିଜ୍ଞାନ ସର୍ଭେ (USGS) ଅନୁଯାୟୀ ଏହା ୫.୮ ରହିଥିଲା। ଜାପାନ ପାଣିପାଗ ଏଜେନ୍ସି ଅନୁସାରେ, ଏହି ଭୂକମ୍ପର କେନ୍ଦ୍ରବିନ୍ଦୁ ଦକ୍ଷିଣ ଇବାରାକିର ଭୂପୃଷ୍ଠରୁ ପ୍ରାୟ ୭୦ କିଲୋମିଟର ଗଭୀରତାରେ ଥିଲା। ଏହି ଝଟକା ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ତେବେ ଏହି ଭୂକମ୍ପ ପରେ ସୁନାମିର କୌଣସି ବିପଦ ନ ଥିବା ସ୍ପଷ୍ଟ କରାଯାଇଛି।

ଅଧିକାରୀଙ୍କ ସୂଚନାନୁସାରେ, ସାଇତାମା, କାନାଗାୱା, ଚିବା ଏବଂ ଇବାରାକି ଆଦି ଚାରୋଟି ପ୍ରାନ୍ତରେ ମୋଟ ୨୩ ଜଣ ଆହାତ ହୋଇଛନ୍ତି। ଭୂକମ୍ପ ସମୟରେ ଲୋକମାନେ ଶୋଇଥିବାରୁ ହଠାତ୍ ଝଟକା ପାଇ ଖସିପଡ଼ିବା କିମ୍ବା ଆସବାବପତ୍ର ଓ ଦ୍ୱାର ସହ ଧକ୍କା ହେବା ଯୋଗୁ ଅଧିକାଂଶଙ୍କୁ ସାମାନ୍ୟ ଆଘାତ ଲାଗିଛି।  ଭୂକମ୍ପ ପ୍ରଭାବରେ ଟୋକିଓ ଏବଂ ନାରିତା ଏୟାରପୋର୍ଟ ମଧ୍ୟରେ ଚାଲୁଥିବା ଏକ୍ସପ୍ରେସ୍ ଟ୍ରେନ୍ ଓ କିଛି ସ୍ଥାନୀୟ ଟ୍ରେନ୍ ସେବା ବ୍ୟାହତ ହୋଇଥିବା ବେଳେ ଶିନକାନସେନ୍ ବୁଲେଟ୍ ଟ୍ରେନ୍ ସେବା ସ୍ୱାଭାବିକ ରହିଥିଲା। ଟୋକିଓର କୋଟୋ ଅଞ୍ଚଳରେ ଭୂତଳ ଜଳ ପାଇପ୍ ଫାଟି ଯାଇଥିଲା, ଯାହାକୁ ପରେ ସମ୍ପୂର୍ଣ୍ଣ ମରାମତି କରାଯାଇଛି। ଏହାଛଡ଼ା ସହରର ପ୍ରାୟ ୪୬୦ଟି ଘରେ ବିଦ୍ୟୁତ୍ କାଟ ହୋଇଥିଲା, ଯାହାକୁ ରବିବାର ସକାଳ ସୁଦ୍ଧା ପୁନଃକାର୍ଯ୍ୟକ୍ଷମ କରାଯାଇଛି।

ଜାପାନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚି (Sanae Takaichi) ସୋସିଆଲ ମିଡିଆ ମାଧ୍ୟମରେ କ୍ଷୟକ୍ଷତିର ଆକଳନ ପାଇଁ ଏକ ଜରୁରୀକାଳୀନ ଟାସ୍କଫୋର୍ସ ଗଠନ କରାଯାଇଥିବା ଜଣାଇଛନ୍ତି। ଦେଶର ପରମାଣୁ ଉର୍ଜା କେନ୍ଦ୍ରଗୁଡ଼ିକ ସୁରକ୍ଷିତ ଥିବା ପରମାଣୁ ନିୟାମକ ପ୍ରାଧିକରଣ ନିଶ୍ଚିତ କରିଛି।

ସୂଚନାଯୋଗ୍ୟ, ଗତମାସରେ ମଧ୍ୟ କ୍ୟୁଶୁ ଦ୍ୱୀପର କୁମାମୋଟୋ ଅଞ୍ଚଳରେ ୭.୧ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଆସିବାରୁ ବ୍ୟାପକ କ୍ଷୟକ୍ଷତି ସହ ଅନେକ ଲୋକ ପ୍ରାଣ ହରାଇଥିଲେ।

Dharitri – Odisha’s No.1 Odia Daily

Share