ବ୍ରାହ୍ମଣୀଗାଁ, ୪।୯(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଓଡ଼ିଆ ସାହିଠାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଏବଂ ବ୍ରହ୍ମାଲୀନ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୮ତମ ଶ୍ରାଦ୍ଧବାର୍ଷିକ ଦିବସ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।
ଏହି ଅବସରରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏକାଠି ହୋଇ ଓଡ଼ିଆ ସାହିଠାରୁ ନଗର ପରିକ୍ରମା ଆରମ୍ଭ କରିଥିଲେ। ମନ୍ଦିର ଦେଇ ପରିକ୍ରମା କରିବା ସମୟରେ “ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଅମର ରହେ” ଏବଂ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ଜୟକାର ଧ୍ୱନିରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା। ନଗର ପରିକ୍ରମା ପରେ ଆୟୋଜିତ ସଭାରେ ମଞ୍ଚାସୀନ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସ୍ୱାମୀଜୀଙ୍କ ସ୍ମୃତିଚାରଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଏହି ସ୍ମରଣୋତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ରାହ୍ମଣୀଗାଁ ବନାଞ୍ଚଳ ଅଧିକାରୀ ହରିହର ବେହେରା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଗ୍ରାମ ସଭାପତି ଗଣେଶ ପାତ୍ର, ଋଷୀମାଳ ଟ୍ରଷ୍ଟର ସଭାପତି ପ୍ରଭାକର ବିଷୋୟୀ, ଅବସରପ୍ରାପ୍ତ ଶିକ୍ଷକ ଦୟାନିଧି ବିନ୍ଧାଣୀ, ପୂର୍ବତନ ସରପଞ୍ଚ ରାମଚନ୍ଦ୍ର ପାତ୍ର, ପଦ୍ମନ ବେହର୍ଦଳାଇ ଏବଂ ଯୁଧିଷ୍ଟିର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ପୂର୍ବରୁ ରାକ୍ଷୀ ପୂର୍ଣ୍ଣିମା ଅବସରରେ ଆୟୋଜିତ ହୋଇଥିବା ବିଭିନ୍ନ ଖେଳକୁଦ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା। ସନ୍ଧ୍ୟାରେ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ପୂଜା-ଅର୍ଚ୍ଚନା ଆଡ଼ମ୍ବରପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଥିବା ବେଳେ ରାତିରେ ମନୋରଞ୍ଜନଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ସ୍ୱାମୀ ବିବେକାନନ୍ଦ ଯୁବକ ସଂଘର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।