କେସିଙ୍ଗା,୮।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଭାଜପାର ମହିଳା ମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ ପାଳିତ ହୋଇଯାଇଛି । ଭାଜପା ନଗର ସଭାପତି ପିଙ୍କୁ ପରିଡାଙ୍କ ନେତୃତ୍ୱରେ ଏହା ଆୟୋଜିତ ହୋଇଥିଲା ।
ନାରୀ ଶକ୍ତି ବନ୍ଦନ ଅଧିନିୟମ (ମହିଳା ସଂରକ୍ଷଣ ବିଲ୍) ସମ୍ବନ୍ଧୀୟ ୧୭ ଏପ୍ରିଲ ୨୦୨୬ ରେ, ଏନଡିଏ ସରକାର ଲୋକସଭାରେ ଶତକଡା ୩୩ଭାଗ ମହିଳା ସଂରକ୍ଷଣ ଲାଗୁ କରିବାକୁ ଏକ ନୂତନ ସାମ୍ବିଧାନିକ ସଂଶୋଧନ ବିଲ୍ (ସୀମା ନିର୍ଦ୍ଧାରଣ ସହ) ଆଗତ କରିଥିଲେ । କିନ୍ତୁ ତାହା ଗୃହରେ ପାରିତ ହେଲା ନାହିଁ । ତେଣୁ ସାରା ଭାରତ ବର୍ଷରେ ଭାଜପା ପାର୍ଟି ତରଫରୁ ଜନ ଆକ୍ରୋଶ ମହିଳା ସମାବେଶ କରି ତୀଵ୍ର ବିରୋଧ କରାଯାଉଛି । ଏହି ପରିପ୍ରେକ୍ଷୀରେ ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ ଗୌରୀ ଶଙ୍କର ମନ୍ଦିରରୁ ବ୍ଲକ ପରିସର ପର୍ଯ୍ୟନ୍ତ ଶତାଧିକ ମହିଳାଙ୍କ ସମାବେଶ ହୋଇ ଜନ-ଆକ୍ରୋଶ ରାଲି ଅନୁଷ୍ଠିତ ହୋଇଥିଲା। ଏହା କେସିଙ୍ଗା ନଗର ସଭାପତି ପିଙ୍କୁ ପରିଡା ଓ ମହିଳା ସଭାନେତ୍ରୀ ଯାଜ୍ଞସେନୀ ସାହୁଙ୍କ ନେତୃତ୍ଵରେ କରାଯାଇଥିଲା ।
କଂଗ୍ରେସ ଓ ବିଜେଡି ଏହି ନାରୀ ବନ୍ଦନା ବିଲକୁ ସମର୍ଥନ ନ କରିଥିବାରୁ ଆଗାମୀ ଦିନରେ ନାରୀମାନେ ତାଙ୍କର ଶକ୍ତି ପ୍ରଦର୍ଶିତ କରିବେ ବୋଲି ଦଳ ପକ୍ଷରୁ ପ୍ରକାଶ କରାଯାଇଛି। ଏହି ସମାବେଶରେ ଜିଲା ଉପସଭାପତି ସନ୍ତୋଶିନୀ ଦାଶ, ଜିଲା ମହିଳା ମୋର୍ଚ୍ଚା ସଂପାଦିକା ଶୋଭାଙ୍ଗିନୀ ପାତ୍ର, ଜିଲା ସଦସ୍ୟ ପୁଷ୍ପାଞ୍ଜଳି ନାୟକ, ପୂର୍ବତନ ନଗରପାଳ ସରିତା ସିନ୍ଦୁର, ବିର୍ଦ୍ଧି ଜୈନ, ପ୍ରଶାନ୍ତ ବାନାର୍ଜୀ, ମଗନ ସିନ୍ଦୁର, ବଣ୍ଟି ଜୈନ, ସନ୍ତୋଷ ଦାଶ, ସୁନୀଲ ଜୈନ, ଜୟନ୍ତୀ ଗହୀର, ଲଳିତା ମହଲା ଓ ଯୁବ ସଭାପତି ମଣ୍ଟୁ ବର୍ମା ସହ ସମସ୍ତ କେସିଙ୍ଗା ଭାଜପା କର୍ମୀ ଯୋଗଦାନ କରିଥିଲେ।