Categories: ଖେଳ

ଇଂଲଣ୍ଡକୁ ମିଳିଲା ନୂଆ ହିରୋ

ବର୍ମିଂହାମ,୧୪।୭: ସାମ୍ନାରେ ଥାଏ ୩୩୨ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ। ତା’ ସାଙ୍ଗକୁ ହାସନ ଅଲି, ହାରିସ ରଫ ଓ ଶାହିନ ଆଫ୍ରିଦୀଙ୍କ ଭଳି ଘାତକ ପେସର। ଆଉ କ୍ରମାଗତ ଉଇକେଟ ପତନ ଯୋଗୁ ବିଜୟ ଲକ୍ଷ୍ୟ ହାସଲ କରିବା ଇଂଲଣ୍ଡ ପାଇଁ କଷ୍ଟକର ହୋଇପଡ଼ିଥିଲା। ତଥାପି ଆଶା ଛାଡ଼ି ନ ଥିଲେ ଜେମ୍ସ ଭିନ୍ସ। ପରିସ୍ଥିତି ଅନୁଯାୟୀ, ଗିୟର ବଦଳି ଥିଲେ। ୯୫ ବଲରେ ଭିନ୍ସ ଖେଳିଥିଲେ ୧୦୨ ରନ୍‌ର ଶତକୀୟ ପାଳି। ତାଙ୍କ କ୍ୟାରିୟରର ପ୍ରଥମ ଶତକରେ ସାମିଲ ଥିଲା ୧୧ ଚୌକା। ଏଥି ଯୋଗୁ ଅନ୍ତିମ ଦିନିକିଆରେ ୧୨ ବଲ ପୂର୍ବରୁ ପାକିସ୍ତାନକୁ ୩ ଉଇକେଟରେ ହରାଇବାକୁ ସକ୍ଷମ ହୋଇଥିଲା ଇଂଲଣ୍ଡ। ଏଥିସହ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ଘରୋଇ ଦଳ କ୍ଲିନ ସୁଇପ ହାସଲ କରିଛି।

ଭିନ୍ସଙ୍କ ବ୍ୟତୀତ ଲୁଇସ ଗ୍ରେଗୋରୀ ୭୭ (୬ ଚୌକା ଓ ୩ ଛକା), ଜ୍ୟାକ କ୍ରାଉଲ ୩୯ (୭ ଚୌକା) ଓ ଫିଲିପ ସଲ୍ଟ ୩୨ (୭ ଚୌକା) ରନ୍‌ର ଉପଯୋଗୀ ଇନିଂସ ଖେଳିଥିଲେ। ପୂର୍ବରୁ ଅଧିନାୟକ ବାବର ଆଜାମ (୧୫୮)ଙ୍କ ଶତକ ଏବଂ ମହମ୍ମଦ ରିଜଓ୍ବାନ (୭୪)ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ପାକିସ୍ତାନ ୫୦ ଓଭରରେ ୯ ଉଇକେଟ ହରାଇ ୩୩୧ ରନ କରିଥିଲା।

Share