ଜଳୁନି ୫ହଜାର ଷ୍ଟ୍ରିଟ୍‌ ଲାଇଟ: ଅନ୍ଧାରରେ ବାରିପଦା ପୌର ପରିଷଦ

ବାରିପଦା ଅଫିସ,୧୧ା୮-ମୟୂରଭଞ୍ଜ ଜିଲାର ପୌର ଓ ବିଜ୍ଞାପିତ ପରିଷଦ ଅଞ୍ଚଳରେ ଆଲୋକୀକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ୫ ହଜାର ଷ୍ଟ୍ରିଟ୍‌ ଲାଇଟ ଜଳୁ ନାହିଁ। ଏହାର ସୁଯୋଗରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ସହରବାସୀ ଦେଉଥିବା ହୋଲ୍ଡିଂ ଟ୍ୟାକ୍ସ କାମରେ ଲାଗୁ ନ ଥିବାରୁ ଅସନ୍ତୋଷ ଦେଖାଦେଇଛି ।
ଜିଲାର ବାରିପଦା ମ୍ୟୁନିସିପାଲଟି ଅଧୀନ ୨୮ ୱାର୍ଡରେ ୨ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ବାସ କରୁଛନ୍ତି। କେନ୍ଦ୍ର ସରକାରଙ୍କ ଯୋଜନା ଏନର୍ଜି ଏଫିସିଏନ୍‌ସି ସର୍ଭିସ ଲିମିଟେଡ (ଇଇଏସ୍‌ଏଲ୍‌) ଜରିଆରେ ଆସ୍ଥା ସଂସ୍ଥା ପକ୍ଷରୁ ୨୦୧୪-୧୫ରେ ଆଲୋକୀକରଣ ପାଇଁ ୮୫୦୦ ଏଲ୍‌ଇଡ ଷ୍ଟ୍ରିଟ୍‌ ଲାଇଟ ବ୍ୟବସ୍ଥା କରାଯାଇଥିଲା। ସମସ୍ତ ୱାର୍ଡର ମୁଖ୍ୟ ରାସ୍ତାରେ ୩୫ ୱାଟ୍‌ରୁ ଆରମ୍ଭ କରି ୧୧୦ୱାଟ୍‌ ପର୍ଯ୍ୟନ୍ତ ଏଲ୍‌ଇଡି ଲାଇଟ ଲଗାଯାଇଛି । ଏହାର ମରାମତି ପାଇଁ ପରିଚାଳନା ଦାୟିତ୍ୱରେ ଥିବା ସଂସ୍ଥା ପକ୍ଷରୁ ଜିଲାରେ ଜଣେ ମାତ୍ର ଟେକ୍ନସିଆନ ରହିଛନ୍ତି। ଲାଇଟ୍‌ଗୁଡ଼ିକ କଣ୍ଟ୍ରୋଲ କରିବା ପାଇଁ ବାରିପଦା ମ୍ୟୁନିସିପାଲଟିରେ ୨୧୬ ସିସିଏମ୍‌ଏସ୍‌ ବକ୍ସ ରହିଛି। ପ୍ରତି ବାକ୍ସରେ ୫୦ରୁ ୧୦୦ ଲାଇଟକୁ କଣ୍ଟ୍ରୋଲ କରିବାର କ୍ଷମତା ରହିଥିବା ବେଳେ ସମୟ ଅନୁଯାୟୀ ସନ୍ଧ୍ୟାରୁ ସକାଳ ପର୍ଯ୍ୟନ୍ତ ଜଳିଥାଏ । ବର୍ତ୍ତମାନ ୩୩ଟି ସିସିଏମ୍‌ଏସ୍‌ ବକ୍ସ ସମ୍ପୂର୍ଣ୍ଣ ଅଚଳ ଥିବା ବେଳେ ଶହେରୁ ଊର୍ଦ୍ଧ୍ୱ ବକ୍ସ ଆଶିଂକ ଅଚଳ ରହିଛି। ଫଳରେ ୫ହଜାରରୁ ଉର୍ଦ୍ଧ୍ୱ ଲାଇଟ ଦୀର୍ଘଦିନ ହେଲା ଜଳୁନାହିଁ ବୋଲି ୭ନଂ. ୱାର୍ଡର ବାସିନ୍ଦା ପ୍ରକାଶ ନାଏକ, ହରପ୍ରିୟା ସେଠୀ ପ୍ରମୁଖ କହିଛନ୍ତି। ଏହି ଲାଇଟଗୁଡ଼ିକ ମରାମତି ହେଉ ନ ଥିବା ଓ ନୂଆ ଲାଇଟର ବ୍ୟବସ୍ଥା କରାଯାଉ ନ ଥିବାରୁ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ବର୍ଷକ ତଳେ ଗ୍ରୀନଫିଲ୍ଡ ଯୋଜନାରେ ଉନ୍ନତ ମାନର ୧୩୦୦ ଷ୍ଟ୍ରିଟ୍‌ ଲାଇଟ ଲଗାଯାଇଥିଲା। ତେବେ ଅଧିକ ୨୦୦ ଷ୍ଟ୍ରିଟ୍‌ ଲାଇଟ ଲାଗିବାକୁ ରହିଛି ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି। ଏ ସମ୍ପର୍କରେ ଦାୟିତ୍ୱରେ ଥିବା ବାରିପଦା ମ୍ୟୁନିସିପାଲଟିର ମନୋରଞ୍ଜନ ପାଣିଗ୍ରାହୀ କୁହନ୍ତି, ଆସ୍ଥା ଇଲେକ୍ଟ୍ରିକାଲ ସଂସ୍ଥା ଉକ୍ତ ଲାଇଟର ପରିଚାଳନା ଦାୟିତ୍ୱରେ ରହିଛନ୍ତି। ବାରିପଦା ସମେତ ରାଇରଙ୍ଗପୁର ମ୍ୟୁନସିପାଲଟି ଏବଂ କରଞ୍ଜିଆ ଓ ଉଦଳା ଏନ୍‌ଏସିରେ ଥିବା ଷ୍ଟ୍ରିଟ୍‌ ଲାଇଟ ଅଚଳ ହେଲେ ଏହି ଜଣେ ମାତ୍ର ଟେକ୍ନିସିଆନ ମରାମତି କରିଥାନ୍ତି। ସହରବାସୀଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ଯୋଗାଇ ଦେବା ସହ ଖୁବ୍‌ ଶୀଘ୍ର ଷ୍ଟ୍ରୀଟ୍‌ ଲାଇଟଗୁଡ଼ିକ ସଜାଡ଼ିବା ପାଇଁ ମଧୁବନ ଉନ୍ନୟନ ପରିଷଦ ଦାବି କରିଛି। ଏନେଇ ପୌର ନିର୍ବାହୀ ଅଧିକାରୀ ତଥା ବାରିପଦା ସଦର ଉପଜିଲାପାଳ ଅନ୍ୟା ଦାସଙ୍କୁ ପଚାରିବାରୁ ସଂସ୍ଥାର ବଳକା ଅର୍ଥରାଶି ପ୍ରଦାନ କରାଯାଇଛି। ଖୁବ୍‌ ଶୀଘ୍ର ଲାଇଟଗୁଡ଼ିକର ମରାମତି କରି ପରିସ୍ଥିତି ସ୍ବାଭାବିକ କରାଯିବ ବୋଲି ସେ କହିଛନ୍ତି ।