Posted inଫୁରସତ

ରକ୍ତତୀର୍ଥ ଜାଲିଆନୱାଲାବାଗ

ସମୟ ଅପରାହ୍ନ, ଜୁନ୍‌ ୯ ତାରିଖ। ଅମୃତସରର ସ୍ବର୍ଣ୍ଣମନ୍ଦିର ଉପକଣ୍ଠରେ ରହିଥିବା ଏହି ପବିତ୍ର ସ୍ଥାନ ଦର୍ଶନ ପାଇଁ ଯାଇଥାଏ ମୁଁ। ଇତିହାସ ପୃଷ୍ଠାରେ ପଢ଼ିଥିବା ସେହି ଅମାନବୀୟ ସାମୂହିକ ହତ୍ୟାର ଘଟଣା ଜୀବନ୍ତ ହୋଇ ଉଠୁଥିଲା ମୋ ମାନସ ପଟ୍ଟରେ। ଗାଇଡ୍‌ଙ୍କ କଥା ଶୁଣୁଶୁଣୁ ସେଇଠି ଅଟକିଗଲା ମୋ ପାଦ, ଆଖି ଏବଂ ମନ। କାନ୍ଥରେ ଗୁଳି ଦାଗ। ମୋତେ ଦିଶୁଛି ରକ୍ତଛିଟା। ୧୯୧୯ ମସିହାର ବ୍ରିଟିଶ୍‌ ଶାସନ କାଳରେ ଏକ ଲୋମହର୍ଷଣକାରୀ ସାମୂହିକ ହତ୍ୟାକାଣ୍ଡର ବର୍ଣ୍ଣନା ଚାଲିଛି ମୋ ସାମ୍ନାରେ। ଜାଲିଆନୱାଲାବାଗର ପ୍ରାଚୀର କାନ୍ଥରେ ଗୁଳି ଚିହ୍ନ ଚରମ ବିଭୀଷିକାର ମୂକ ସାକ୍ଷୀ। ସେହି ପ୍ରାନ୍ତରରେ ରହିଛି ଅତି କମ୍‌ରେ ଶତାଧିକ ମୃତଦେହ ଉଦ୍ଧାର ହୋଇଥିବା ପ୍ରାଚୀନ ନିଃସଙ୍ଗ କୂପ! ଆଜି ଏଇ ମ୍ଳାନ ଅପରାହ୍ନର ବିଷର୍ଣ୍ଣ ଲଗ୍ନରେ ନୀରବତାର ନିଃଶବ୍ଦ ଧ୍ୱନି ଭିତରୁ ଉଛୁଳି ଆସୁଛି ଯନ୍ତ୍ରଣାଜର୍ଜରିତ ହୃଦୟଫଟା କରୁଣ ଚିତ୍କାର। ସେଦିନର ସେହି କାହାଣୀ ଗୁମୁରି ଗୁମୁରି ବାହୁନୁଥିଲା ମୋ ଭିତରେ। ଥରିଯାଉଥିଲା ପ୍ରାଣର ନିଭୃତ କନ୍ଦର। ବରଫ ପାଲଟି ଯାଇଥିଲା ସମୟର ପାଦ ଯେମିତି ସେହି ଲହୁଲୁହାଣ କାହାଣୀ ଶୁଣୁ ଶୁଣୁ।

ଜାଲିଆନୱାଲାବାଗ୍‌ର ବର୍ବର କାଣ୍ଡକୁ ଏକ ଶହ ତିନି ବର୍ଷ ପୂରିଗଲାଣି। ତଥାପି ମୁଁ ଅନୁଭବ କରୁଥିଲି ସେଦିନର ଅକଥନୀୟ ଯନ୍ତ୍ରଣା! ପ୍ରବେଶ ପଥର ସାମ୍ନାରେ ଥିଲା ଦେଶଭକ୍ତି ଓ ଏକତାର ପ୍ରତୀକ ଏକ ସୁନ୍ଦର ଅଗ୍ନିଶିଖା ଏବଂ ତାହା ମଧ୍ୟରେ ଦେଶ ପାଇଁ ବଳିଦାନ ଦେଇଥିବା ଶିଖ୍‌ ବୀରଙ୍କର ପଗଡ଼ିବନ୍ଧା ଶିର। ଅଣଓସାରିଆ ପ୍ରବେଶ ପଥରେ ମାଟି ମା’ ପାଇଁ ଅତର୍କିତ ଜୀବନ ଦେଇଥିବା ଅନେକ ନାମହୀନ ମଣିଷଙ୍କ ପ୍ରସ୍ତର ଖୋଦିତ ଚେହେରା। ଆଖି ମୋର ଖୋଜୁଥିଲା ପଢ଼ିବାକୁ ସେହି ଆଖିର ଭାଷା, ଆତଙ୍କିତ ନା ଗୌରବାନ୍ବିତ! କାନ୍ଥରେ ଥିବା ରକ୍ତଛିଟାର ଦାଗ ମୋତେ ଉଦ୍‌ବେଳିତ କରୁଥିଲା। ଆର୍ତ୍ତଚିତ୍କାର କାନ୍ଥ ଫଟେଇ ମୋ ଆତ୍ମାକୁ ଅସ୍ଥିର ଓ ବିକଳ କରୁଥିଲା।

୧୯୧୯, ଏପ୍ରିଲ ୧୩ ଇତିହାସର ସେହି କଳଙ୍କିତ ଦିବସ। ପଞ୍ଜାବର ପାରମ୍ପରିକ ପର୍ବ ବୈଶାଖୀ ଥିବାରୁ ଚଳଚଞ୍ଚଳ ଥାଏ ଅମୃତସରର ସ୍ବର୍ଣ୍ଣମନ୍ଦିର। ଅନ୍ୟପକ୍ଷେ ଜାଲିଆନୱାଲାବାଗରେ ଏକତ୍ରିତ ହୋଇଥାଆନ୍ତି ପାଖାପାଖି ୩ ହଜାର ଲୋକ। ସେମାନେ ରାଓଲାଟ ଆକ୍ଟ ଓ ସ୍ବାଧିନତା ସଂଗ୍ରାମୀ ସୈଫୁଦ୍ଦିନ କିଚଲିଉ ଏବଂ ସତ୍ୟପାଲଙ୍କୁ ବ୍ରିଟିଶ ସରକାର ଆରେଷ୍ଟ କରିଥିବା ଘଟଣାକୁ ବିରୋଧ କରି ସେଠାରେ ଏକ ଶାନ୍ତିପୂର୍ଣ୍ଣ ସଭାର ଆୟୋଜନ କରିଥାନ୍ତି। ଏଠାକୁ ଏମିତି କିଛି ଲୋକ ବି ଆସିଥିଲେ ଯେଉଁମାନେ ସଭା ସମ୍ପର୍କରେ ଅବଗତ ନ ଥିଲେ।

ସେହିଦିନ ଅପରାହ୍ନର ବୈଶାଖୀ ମେଳାରେ ବିକ୍ରିବଟା କରିବା ପାଇଁ ଆସିଥିଲେ ବହୁ ସଂଖ୍ୟକ ବେପାରୀ ଏବଂ କୃଷକ। ପୁଣି ସ୍ବର୍ଣ୍ଣମନ୍ଦିର ଦର୍ଶନ ପାଇଁ ଆସି ଥିଲେ ଶହ ଶହ ତୀର୍ଥଯାତ୍ରୀ। ପ୍ରାୟ ସାତ ଏକର ଜମିବିଶିଷ୍ଟ ଏକ ଖୋଲା ସ୍ଥାନ, ଯାହା ଚାରିପାଖରେ ତିନି ଚାରି ମହଲାର କୋଠାଘର ଏବଂ ଦଶ ଫୁଟ ଉଚ୍ଚତାବିଶିଷ୍ଟ ପ୍ରାଚୀରଘେରା ଏହି ସ୍ଥଳୀ। ପ୍ରବେଶ ପଥଗୁଡ଼ିକ ଅଣଓସାରିଆ, ଯାହା ମଧ୍ୟରୁ କେତୋଟିରେ ଥିଲା ସ୍ଥାୟୀ ଭାବରେ ତାଲାପକା ଫାଟକ। ମଧ୍ୟସ୍ଥଳରେ ଥିଲା ଆଂଶିକ ଜଳଭର୍ତ୍ତି କୋଡ଼ିଏ ଫୁଟ ବ୍ୟାସବିଶିଷ୍ଟ ଏକ ଖୋଲାକୂଅ। ସେହି ବିରୋଧ ସଭା ସମ୍ପର୍କରେ ଅବଗତ ହେବାପରେ ଅପରାହ୍ନ ଚାରିଟା ତିରିଶି ବେଳେ କର୍ନଲ ରେଜିନାଲ୍ଡ ଡାୟର ନିଜ ସହ ସୈନ୍ୟ ଏବଂ ରାଇଫଲ୍‌ ନେଇ ବାଗ୍‌ର ମୁଖ୍ୟ ପ୍ରବେଶ ପଥ ଅବରୋଧ କରିଦେଲେ। ଆଉ ସେହି କ୍ରୂର ବ୍ରିଟିଶ୍‌ କମାଣ୍ଡରଙ୍କ ନିର୍ଦ୍ଦେଶକ୍ରମେ ସୈନ୍ୟବାହିନୀ ଆଖିବୁଜା ଗୁଳି ବର୍ଷା କରିବା ଆରମ୍ଭ କରିଥିଲେ। ଅତର୍କିତ ଆକ୍ରମଣରେ ସମସ୍ତେ ଆତଙ୍କିତ, କିଂକର୍ତ୍ତବ୍ୟବିମୂଢ଼ ହୋଇ ଡାକି ଚାଲିଥିଲେ ରକ୍ଷା କର, ୱାହେ ଗୁରୁ!

ତେବେ ଶତାଧିକ ବର୍ଷ ପରେ ପୁଣି ସେଇ ଯନ୍ତ୍ରଣାର ଅନୁଭୂତି ଏମିତି ଯେ, ଯେମିତି ଲୁହର ନୁହେଁ, ରୁଧିରର ଧାରା ବହିଯାଉଛି ଆଖିରୁ! ଗାଇଡ୍‌ କହି ଚାଲିଥାଏ ଦଶ ମିନିଟ୍‌ ଧରି ୧୬୫୦ ରାଉଣ୍ଡ ଗୁଳି ବର୍ଷିବା ପରେ ଏହି ଅମାନବୀୟ ବର୍ବରତାର ଖେଳ ଶେଷ ହୋଇଥିଲା। ସେଦିନ ଦୁଇ ହଜାରରୁ ଅଧିକ ଲୋକ ରକ୍ତାକ୍ତ, କ୍ଷତବିକ୍ଷତ ହେଲେ, ଶହ ଶହ ନିରୀହ ବ୍ୟକ୍ତି ପ୍ରାଣ ହରାଇଲେ। କର୍ଫ୍ୟୁ ଜାରି କରାଯାଇଥିବା ଫଳରେ ଗୁରୁତର ଆହତ ଲୋକଙ୍କୁ ଚିକିତ୍ସାଳୟ ନିଆଯାଇ ପାରିଲାନାହିଁ। ଆଉ ଛଟପଟ ଅବସ୍ଥାରେ ସେମାନେ ସେଇଠି ପ୍ରାଣ ହରାଇଲେ। ରକ୍ତପାତ, ହାହାକାର, ଅକଥନୀୟ ଯନ୍ତ୍ରଣା ଭିତରେ ଏହି ବିଭୀଷିକାମୟ ସା ମାନବିକତାର ଇତିହାସରେ ଏକ କାଳିମାବୋଳା ଅଧ୍ୟାୟ ଲେଖି ଦେଇଗଲା।

ଦେଶପ୍ରେମର ରକ୍ତରେ ପବିତ୍ର ଏହି ତୀର୍ଥ ଦର୍ଶନରେ ସେଦିନ ସାରେ ମୋ ଭିତରେ ବତୁରି ଚାଲିଥିଲା ଏକ ଯନ୍ତ୍ରଣାସିକ୍ତ ଆବେଗ। ନମନ କରୁଥିଲି ଶହୀଦମାନଙ୍କ ପବିତ୍ର ରକ୍ତର ମହକରେ ବିଭୋର ଏହି ମାଟିକୁ। ଏବେ ବି କାନ୍ଥରେ ସାଇତା ହୋଇ ରହିଛି ସେହି ବର୍ବରତାର ଛାପ। ଏବେ ବି କୂଅର ଗଭୀର ପାଣି ଭିତରେ ଛଳ ଛଳ କରୁଥିଲା ଏହିଠାରେ ପ୍ରାଣର ଆହୁତି ଦେଇଥିବା ମଣିଷମାନଙ୍କର ଦେଶଭକ୍ତିର ଆବେଗ। ସାରେ ଚିତ୍ରାୟିତ ହେଉଥିଲା ସେହି କରୁଣ କାହାଣୀ ”ଲାଇଟ୍‌ ଆଣ୍ଡ ସାଉଣ୍ଡ ଶୋ“ ମାଧ୍ୟମରେ। ସମାଧି ମନ୍ଦିର ଭିତରେ ଥାଇ ପହଁରି ଯାଉଥିଲା କାତର ଦୃଷ୍ଟି ତୋଳି କେତେ କେତେ ନିରୀହ ଚାହାଣି। ଭାବାବେଗରେ ଉଛୁଳି ଉଠୁଥିଲା ଶ୍ରୋତାଙ୍କ ପ୍ରାଣ, ଦେଶପ୍ରେମର ଅପୂର୍ବ ଧ୍ୱନି ଝଙ୍କୃତ ହେଉଥିଲା ଦର୍ଶକ ହୃଦୟରେ। ସ୍ବର୍ଣ୍ଣ ମନ୍ଦିରର ଅନତି ଦୂରରେ ଥିବା ଏହି ପୁଣ୍ୟ ସ୍ମାରକୀ ପୀଠର ନାମ ସ୍ବାଧୀନତା ଆନ୍ଦୋଳନର ବଳିଦାନ ଇତିହାସରେ ସର୍ବଦା ସ୍ବର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ରହିଥିବ।
-ସୁଜାତା ମିଶ୍ର, କସ୍ମୋପଲିସ୍‌, ଭୁବନେଶ୍ୱର, ମୋ: ୯୪୩୭୧୧୭୦୮୪


Enter your email to get our daily news in your inbox.

All Right Reserved By Dharitri.Com

‘ଦି ପ୍ରାଇମ୍‌ ମିନିଷ୍ଟର୍ସ ଟେବୁଲ’

ନୂଆଦିଲ୍ଲୀ,୨୪ା୮(ପିଟି): ପ୍ରଧାନମନ୍ତ୍ରୀଙ୍କ ଖାଦ୍ୟ ଥାଳିଠାରୁ ଆରମ୍ଭ କରି ସେମାନଙ୍କ ବ୍ୟକ୍ତିଗତ ଜୀବନୀ ଉପରେ ଏକ ପୁସ୍ତକ ପ୍ରକାଶ ପାଇଛି, ଯାହାକି ସେମାନଙ୍କ ରାଜନୈତିକ ଜୀବନୀଠାରୁ ମଧ୍ୟ କିଛି…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

ପାଖେଇଲାଣି କଳିଯୁଗର ଅନ୍ତ: ଆକାଶରେ ଦିଶିବ ୨ଟି ସୂର୍ଯ୍ୟ, ଦ୍ୱିପ୍ରହରରେ ଦେଖାଯିବ ତାରା! ଡରାଇଲା ସଙ୍କେତ…

କଳିଯୁଗରେ ଅଧର୍ମର ଶେଷ ଏବଂ କଲ୍କି ଅବତାରର ସମୟ କ’ଣ ପାଖେଇ ଆସିଲାଣି? ବାସ୍ତବରେ, ‘କାଳଜ୍ଞାନମ୍’ ନାମକ ଏକ ରହସ୍ୟମୟ ଗ୍ରନ୍ଥରେ କଳିଯୁଗର ଶେଷ ସହିତ ଜଡ଼ିତ…

ସମୁଦ୍ର ଗର୍ଭରୁ ମିଳିଲା ସୁନାର ଭଣ୍ଡାର ସାଙ୍ଗକୁ ପୁଳାପୁଳା ଟଙ୍କା; ହେଲେ ସୁନା ମୁଦି ଖୋଲିଦେଲା ବଡ଼ ରହସ୍ୟ

ସମୁଦ୍ରର ଗଭୀରତାରେ ପୋତି ହୋଇ ରହିଥିବା ଗୋଟିଏ ଜାହାଜ ପ୍ରାୟ ୧,୩୦୦ ବର୍ଷ ପରେ ଇତିହାସର ଏପରି ଏକ ପୃଷ୍ଠା ସାମ୍ନାକୁ ଆଣିଛି, ଯାହାକୁ ଦେଖି ବୈଜ୍ଞାନିକମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri