ଗୁଡ଼ାରି, ୭।୧୧ (ପ୍ରମୋଦ କୁମାର ପତି): ଆସନ୍ତା ୧୩ ଓ ୧୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି ୨୦୨୬” ରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ ଗୁଡ଼ାରି ବ୍ଲକ ଅନ୍ତର୍ଗତ ଏମ. କେ. ରାଇ ଗ୍ରାମପଂଚାୟତର ଜଳନିଧି ସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଛାତ୍ରୀ।
ଶନିବାର କୋଲନରାରେ ଅନୁଷ୍ଠିତ ଜିଲା ସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଏହି ଛାତ୍ରୀମାନେ ରାଜ୍ୟ ସ୍ତରରେ ଭାଗ ନେବା ନିମନ୍ତେ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଜିଲ୍ଲାର ମୋଟ ୧୧ଟି ଦଳ ନିଜର ପ୍ରତିଭା ପରିବେଷଣ କରିଥିଲେ। ସେମାନଙ୍କ ମଧ୍ୟରୁ ଜଳନିଧି ବିଦ୍ୟାଳୟର ୭ ଜଣିଆ ଛାତ୍ରୀଙ୍କ ସାମୂହିକ ନୃତ୍ୟ ବିଚାରକ ମଣ୍ଡଳୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଉପସ୍ଥିତ ଅଧିକାରୀମାନଙ୍କ ମନକୁ ଛୁଇଁଥିଲା।
ପରେ ମଞ୍ଚ ଉପରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଏହି ଛାତ୍ରୀମାନଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଉପସ୍ଥିତ ଅନ୍ୟ ଅତିଥିମାନେ ମାନପତ୍ର ସହ ସାମୂହିକ ପୁରସ୍କୃତ କରିଥିଲେ। ଗତ କିଛି ଦିନ ପୂର୍ବେ ଏହି ବିଦ୍ୟାଳୟର ନୂତନ ପ୍ରଧାନ ଶିକ୍ଷୟତ୍ରୀ ଭାବେ ଲଳିତା ମାଝୀ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଛାତ୍ରୀମାନଙ୍କ ଏହି ଅପୂର୍ବ ସଫଳତା ପାଇଁ ସେମାନଙ୍କୁ ପ୍ରଶଂସା କରିଛନ୍ତି। ସେମାନଙ୍କ କଠିନ ପରିଶ୍ରମ ଏବଂ ଡ୍ୟାନ୍ସ ମାଷ୍ଟର ଇସାକ ମାଝୀଙ୍କ ଶ୍ରେଷ୍ଠ ତାଲିମ ପାଇଁ ବିଦ୍ୟାଳୟର ଛାତ୍ରୀମାନେ ରାଜ୍ୟ ସ୍ତରରେ ମଧ୍ୟ ପୁରସ୍କୃତ ହୋଇ ଚମକିବେ ବୋଲି ସେ ଦୃଢ଼ତା ପ୍ରକାଶ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ସିଆରସିସି, ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସଫଳତା ପାଇବା ପରେ ଗୋଷ୍ଠୀ ଶିକ୍ଷାଧିକାରୀ ଲୋକନାଥ ସୁନା, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସଂଗୁଡ଼ା ରୁପମାଝୀ ଏବଂ ସମ୍ପୃକ୍ତ କ୍ଲଷ୍ଟର ସିଆରସିସି ପ୍ରମୁଖ କୃତିତ୍ୱ ହାସଲ କରିଥିବା ଛାତ୍ରୀମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।