ଖୋଲିପାରୁନି ଜଳଛତ୍ର

କେନ୍ଦୁଝର, ୧୪।୪ (ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଗ୍ରୀଷ୍ମ ପ୍ରବାହ ଯୋଗୁ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡୁଛନ୍ତି। ତାପାମାତ୍ରା ପାଖାପାଖି ୩୮ ଡିଗ୍ରୀ ଉପରେ ରହୁଥିବାରୁ ଘରୁ ବାହାରିବା କଷ୍ଟକର ହୋଇପଡୁଛି। ଅଂଶୁଘାତ ମୁକାବିଲା ପାଇଁ ଜିଲା ପ୍ରଶାସନ ପକ୍ଷରୁ ସଚେତନତା ସୃଷ୍ଟି କରାଯାଉଛି। ଦିନରେ ନିର୍ମାଣ କାର୍ଯ୍ୟ ଉପରେ କଟକଣା ଲାଗୁ ସହ ଯାତ୍ରୀବାହୀ ବସ୍‌ ଚଳାଚଳ ଉପରେ ନୀତିନିୟମ ନିର୍ଦ୍ଧାରଣ କରାଯାଇଛି।
ଏହାସତ୍ତ୍ୱେ ଏହି ନୀତିନିୟମ ପାଳନ ହେଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ପେଟପାଟଣା ପାଇଁ ଗରିବ ଚାଷୀ ଓ ବନବାସୀ କେନ୍ଦୁଝର ସହରକୁ ପନିପରିବା ଓ ଜଙ୍ଗଲଜାତ ଦ୍ରବ୍ୟ ଆଦି ବିକ୍ରି ପାଇଁ ଆସିବାକୁ ବାଧ୍ୟ ହେଉଛନ୍ତି। କିନ୍ତୁ ସେମାନଙ୍କ ପାଇଁ ନା ଅଛି ଆଶ୍ରୟ ସ୍ଥଳୀ ନା ଅଛି ଜଳଛତ୍ର। ଜଳଛତ୍ର ବସାଇବା ପାଇଁ ପ୍ରଶାସନ ପକ୍ଷରୁ ବହୁ ଆଗରୁ ନିର୍ଦ୍ଦେଶନାମା ଜାରି କରିଥିଲେ ହେଁ ଜନଗହଳୀପୂର୍ଣ୍ଣ ସ୍ଥାନ, ହାଟବଜାର, ବସଷ୍ଟାଣ୍ଡ/ବସ ଷ୍ଟପ ଆଦିରେ ଜଳଛତ୍ର ବସାଯାଇ ନ ଥିବା ଅଭିଯୋଗ ହେଉଛି। ଫଳରେ ବାଟୋଇ ମାନେ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି ା ସେହିପରି ନିରବିଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ଆଦେଶ ହୋଇଥିଲେ ହେଁ କିପରି ପାଳନ ହେଉଛି ତାହା ଖୋଦ ପ୍ରଶାସନ ଜାଣିଛନ୍ତି। ଏସବୁରେ ଖିଲାପ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ଆଦେଶ କରିଥିଲେ। ତେବେ ସେସବୁ ଖୋଦ ଜିଲା ମୁଖୟାଳୟରେ କିପରି ପାଳନ ହେଉଛି ନୀରିକ୍ଷଣ କରାଗଲେ ଜିଲାର ଅବସ୍ଥା ବୁଝି ହେବ ବୋଲି ସାମାଜିକ କର୍ମୀ ସିଦ୍ଧେଶ୍ୱର ସାହୁ କହିଛନ୍ତି ା