ଜୟପୁର ଏସ୍‌ଡିଆଇପିଆରଙ୍କୁ ମିଳିଲା ନୂଆ ଦାୟିତ୍ୱ

କୋରାପୁଟ,୩ା୭(ଅମିତାଭ ବେହେରା): ଜୟପୁର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଯଶୋଦା ଗାଦବାଙ୍କୁ କୋରାପୁଟ ଜିଲାର ଭାରପ୍ରାପ୍ତ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆରଓ) ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ଏନେଇ ଜିଲାପାଳ ମନୋଜ ସତ୍ୟବାନ ମହାଜନ ବିଭାଗକୁ ପତ୍ର ଲେଖି ଅବଗତ କରାଇଛନ୍ତି। ପରବର୍ତ୍ତୀ ଆଦେଶ କିମ୍ବା ନିୟମିତ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ନିଯୁକ୍ତି ପର୍ଯ୍ୟନ୍ତ ଶ୍ରୀମତୀ ଗାଦବା ନିଜ ବର୍ତ୍ତମାନର ଦାୟିତ୍ୱ ସହ ଭାରପ୍ରାପ୍ତ ଡିଆଇପିଆରଓ ଭାବେ କାର୍ଯ୍ୟ ସମ୍ଭାଳିବେ। ଶୁକ୍ରବାର ଅପରାହ୍ନରେ ସେ ଜିଲା କାର୍ଯ୍ୟାଳୟରେ ପହଞ୍ଚି ନୂତନ ଦାୟିତ୍ୱ ଗ୍ରହଣ କରିଥିଲେ। ଏହି ଅବସରରେ କାର୍ଯ୍ୟାଳୟର ସନ୍ତୋଷ କୁମାର ସେଠୀ, ଅଲିଭା କୁମାର ବେହେରା ଓ ଅନ୍ୟ କର୍ମଚାରୀମାନେ ତାଙ୍କୁ ସ୍ବାଗତ ଜଣାଇଥିଲେ।

ଉଲ୍ଲେଖଯୋଗ୍ୟ, ଗତ ଜୁନ ୨୫ରେ କୋରାପୁଟରେ କାର୍ଯ୍ୟରତ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ବରାଜ୍ୟ ସିଶାଙ୍କରଙ୍କ ଅକାଳ ବିୟୋଗ ଘଟିଥିଲା। ଏହାପରେ ଉକ୍ତ ପଦବୀରେ ଯଶୋଦା ଗାଦବାଙ୍କୁ ଭାରପ୍ରାପ୍ତ ଦାୟିତ୍ୱ ଦେବାକୁ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିଙ୍କ ପକ୍ଷରୁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।

Dharitri – Odisha’s No.1 Odia Daily

Share
Tags: Jaipur SDIPR