ଜେଲ ଫେରିଲେ ଜଗବନ୍ଧୁ, ମିଳିଲା ଦ୍ୱିତୀୟ ଫରେନ୍‌ସିକ୍‌ ରିପୋର୍ଟ

ଭୁବନେଶ୍ୱର, ୨୭।୧୨ (ବ୍ୟୁରୋ):ବ୍ଲାକ୍‌ମେଲର ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କ ରବିବାର ୩ ଦିନିଆ ରିମାଣ୍ଡ ଅବଧି ସରିବା ପରେ ସୋମବାର ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ କୋର୍ଟରେ ହାଜର କରାଯାଇଥିଲା। ହେଲେ ଏହି ସମୟରେ ଜଗବନ୍ଧୁଙ୍କୁ ପୁନର୍ବାର ରିମାଣ୍ଡରେ ନେବାକୁ ଆବେଦନ କରାଯାଇ ନ ଥିଲା। ଫଳରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜଗବନ୍ଧୁ ଝାରପଡ଼ା ଜେଲ ହାଜତକୁ ଫେରିଯାଇଛନ୍ତି। ପରବର୍ତ୍ତୀ ସମୟରେ ଜେଲରେ ନାଗଦମ୍ପତିଙ୍କୁ ଜେରା କରିବା ନେଇ ଇଡି ପକ୍ଷରୁ ଏକ ପିଟିଶନ୍‌ ଦାଖଲ କରାଯାଇଥିଲା। ତେବେ ଅର୍ଚ୍ଚନା ଓ ଜଗବନ୍ଧୁ ଜାନୁୟାରୀ ୨ରେ କୋର୍ଟରେ ହାଜର ହେବା ସମୟରେ ଜେଲରେ ଜେରା ନେଇ ତଥ୍ୟ ସମ୍ବଳିତ ଆଉ ଏକ ସଂଶୋଧନ ପିଟିଶନ୍‌ ଦାଖଲ କରିବାକୁ କୋର୍ଟ କହିଛନ୍ତି। ସେହି ସମୟରେ ଜେଲରେ ଜେରା ନେଇ କୋର୍ଟ ଅନୁମତି ଦେବେ କିମ୍ବା ନାହିଁ ସେନେଇ ଜଣାପଡ଼ିବ।
ଗତ ୧୩ ତାରିଖରୁ ଇଡି ଅର୍ଚ୍ଚନାଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ୬ ଦିନିଆ ଏବଂ ୧୪ ତାରିଖରୁ ଜଗବନ୍ଧୁଙ୍କୁ ପ୍ରଥମ ପର୍ଯ୍ୟାୟରେ ୯ଦିନିଆ ରିମାଣ୍ଡରେ ନେଇ ମୁହାଁମୁହିଁ ଜେରା କରିଥିଲା। ପରେ ଶୁକ୍ରବାରଠାରୁ କେବଳ ଜଗବନ୍ଧୁଙ୍କୁ ୩ଦିନ ପାଇଁ ରିମାଣ୍ଡରେ ନେଇ ଇଡି ଜେରା କରିଥିଲା। ହେଲେ ନାଗଚାନ୍ଦ ଦମ୍ପତି ଏହି ରିମାଣ୍ଡ ସମୟରେ କେତେ ସତ କହିଛନ୍ତି ଓ କେତେ ଲୁଚାଇଛନ୍ତି ସେନେଇ ଇଡି ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ହେଲେ ସେମାନେ ଅନେକ କିଛି ଗୁମର ଲୁଚାଇଥିବା ସୂଚନା ମିଳିଛି।
ଅପରପକ୍ଷରେ, ଖଣ୍ଡଗିରି ଥାନା ପୋଲିସକୁ ଷ୍ଟେଟ୍‌ ଫରେନ୍‌ସିକ୍‌ ଲାବ ପକ୍ଷରୁ ଅର୍ଚ୍ଚନାଙ୍କ ଡିଜିଟାଲ ଦସ୍ତାବିଜ୍‌ର ଦ୍ୱିତୀୟ ଫରେନ୍‌ସିକ୍‌ ରିପୋର୍ଟ ଦିଆଯାଇଛି। ଏଥିରେ ଅର୍ଚ୍ଚନାଙ୍କ ଘରେ ଲାଗିଥିବା ସିସିଟିଭିର ହାର୍ଡଡିସ୍କର ରିପୋର୍ଟ ରହିଥିବା ସୂଚନା ମିଳିଛି। ପୂର୍ବରୁ ଇଡି, ପୋଲିସ ଓ କୋର୍ଟକୁ ମଧ୍ୟ ପ୍ରଥମ ରିପୋର୍ଟ ଦିଆଯାଇଥିଲା। ତେବେ ଏହି ରିପୋର୍ଟ ଆଧାରରେ ପୋଲିସ ତଦନ୍ତକୁ ଅଧିକ ଅଗ୍ରଗତି କରିବ ବୋଲି ସୂଚନା ମିଳିଛି। କାରଣ ଅର୍ଚ୍ଚନାଙ୍କ ଘରକୁ କିଏ କିଏ ଆସୁଥିଲେ ସେନେଇ ଉକ୍ତ ରିପୋର୍ଟରେ ରହିଛି। ପୋଲିସ ସେମାନଙ୍କୁ ଚିହ୍ନଟ କରି ପଚରାଉଚାର କରିବ ବୋଲି ଚର୍ଚ୍ଚା ହେଉଛି।