ସଜେଇ ହେଉଛି ଶ୍ରୀଲୋକନାଥ ମନ୍ଦିର, ୨ ତାରିଖ ଭୋର ୪ଟାରେ ଉଠିବ ମହାଦୀପ

ପୁରୀ ଅଫିସ, ୨୫ା୨: ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ମନ୍ଦିରରେ ଆସନ୍ତା ୨୭ରେ ପଙ୍କୋଦ୍ଧାର ତଥା ପଙ୍କ ଉଜୁଳା ନୀତି ଅନୁଷ୍ଠିତ ହେବ। ସେହିପରି ମାର୍ଚ୍ଚ ୧ରେ ମହାଶିବରାତ୍ରୀ ବା ଜାଗରଯାତ୍ରା ପାଳନ କରାଯିବ। ଏଥିପାଇଁ ପୁରୀ ଜିଲା ପ୍ରଶାସନ ଏବଂ ଶ୍ରୀଲୋକନାଥ ମନ୍ଦିର ପରିଚାଳନା ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହେବା ସହ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତବର୍ଷ କୋଭିଡ୍‌ କଟକଣା କୋହଳ ହୋଇଥିବାରୁ ପଙ୍କୋଦ୍ଧାର ନୀତିରେ ସମସ୍ତ ସେବାୟତ ସାମିଲ ହୋଇ ଏହି ନୀତି ସମ୍ପାଦନ କରିବେ। ସେହିପରି ସ୍ବତନ୍ତ୍ର ବ୍ୟାରିକେଡ୍‌ ମାଧ୍ୟମରେ ଶ୍ରଦ୍ଧାଳୁମାନେ ପ୍ରଭୁ ଶ୍ରୀଲୋକନାଥ ଦେବଙ୍କୁ ଦର୍ଶନ କରିବା ନିମନ୍ତେ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି।

ତେବେ ଦୁଇବର୍ଷ ପରେ ଚଳିତ ବର୍ଷ ପଙ୍କୋଦ୍ଧାର ଏକାଦଶୀ ଓ ଜାଗର ଦିନ ଭକ୍ତମାନେ ଶ୍ରୀଲୋକନାଥ ମନ୍ଦିରର ଗମ୍ଭୀରା ଭିତରକୁ ଯାଇ ଦର୍ଶନ କରିବାର ସୁଯୋଗ ମିଳିବ। ଏଥିପାଇଁ ଭକ୍ତ ଓ ସେବାୟତ ଉତ୍ସାହିତ ଅଛନ୍ତି। କୋଭିଡ୍‌ କଟକଣା ଭିତରେ ଶୃଙ୍ଖଳିତ ଭାବେ ମହାଦେବଙ୍କ ନୀତିକାନ୍ତି ଅନୁଷ୍ଠିତ ହେବ। ଜାଗର ପାଇଁ ଲୋକନାଥ ମନ୍ଦିରକୁ ସୁସଜ୍ଜିତ କରାଯାଉଛି। ସେହିପରି ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଇଛି।