ଜଗନ୍ନାଥ ଲେଙ୍କା ଷ୍ଟାଫ୍‌ ସିଲେକ୍ସନ୍‌ କମିଶନ ସଦସ୍ୟ

କଟକ ଅଫିସ,୨୧।୮: ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ୍‌ କମିଶନ୍‌ ସଦସ୍ୟ ଭାବେ ପ୍ରଫେସର ଜଗନ୍ନାଥ ଲେଙ୍କାଙ୍କୁ ନିଯୁକ୍ତି ଦିଆଯାଇଛି। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି। ବିଶିଷ୍ଟ ଅର୍ଥନୀତିଜ୍ଞ ଭାବେ ପ୍ରଫେସର ଲେଙ୍କାଙ୍କ ସୁନାମ ରହିଛି। ବାରିପଦାସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗ ମୁଖ୍ୟ ଭାବେ କାର୍ଯ୍ୟ କରିବା ପରେ ସେ ଅବସର ନେଇଥିଲେ। ସେ ଏହି ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ସହ ବିଭିନ୍ନ ପଦ ପଦବୀରେ ମଧ୍ୟ ରହିଛନ୍ତି। ପ୍ରାୟ ୩୦ ବର୍ଷ ହେଲା ସେ ଶିକ୍ଷାଦାନ କ୍ଷେତ୍ରରେ ସକ୍ରିୟ ରହିଥିଲେ। ସେ ୮ଟି ପୁସ୍ତକ ରଚନା କରିଥିବାବେଳେ ୧୬ଟି ପୁସ୍ତକର ସମ୍ପାଦନ କରିଛନ୍ତି। ତାଙ୍କ ଅଧୀନରେ ୭ଜଣ ପିଏଚ୍‌ଡି ଡିଗ୍ରୀ ହାସଲ କରିଥିବା ଜଣାପଡ଼ିଛି।