ଫେଲ୍‌ ମାରିଛି ଜାଗା ମିଶନ: ପଟ୍ଟା ବଦଳରେ ପଲିଥିନ

ଜଳେଶ୍ୱର, ୧୯।୧(ଡି.ଏନ.ଏ.) – ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକରେ ମୋଟ ଜନସଂଖ୍ୟାର ପ୍ରାୟ ୪୨ଭାଗ ଲୋକ ଅନୁସୂଚିତ ଜନଜାତି, ଜାତିର ହୋଇଥିବା ବେଳେ ବହୁ ପରିବାର ଜଙ୍ଗଲଜମିରେ ବାସ କରୁଛନ୍ତି। ବର୍ଷ ବର୍ଷ ଧରି ସେମାନେ ଗୋଟିଏ ସ୍ଥାନରେ ରହିଆସୁଥିଲେ ମଧ୍ୟ ସେମାନଙ୍କ ନାମରେ ପଟ୍ଟା ନାହିଁ । ଫଳରେ ସେମାନେ ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ପାଇପାରୁନାହାନ୍ତି। ଏହାସହ ବହୁ ସରକାରୀ ସୁବିଧା ପାଇବାରୁ ବଞ୍ଚିତ ହେବା ସହ ସେମାନଙ୍କ ପିଲାମାନେ ଉଚ୍ଚଶିକ୍ଷାରୁ ବାଦ୍‌ ପଡୁଛନ୍ତି। ସେମାନଙ୍କୁ ବର୍ଷକୁ କେବଳ ଖଣ୍ଡିଏ ପଲିଥିନ ଦେଇ କାମ ସାରିଦିଆଯାଉଛି। ଜଳେଶ୍ୱର ବ୍ଲକର ଲୋକସଂଖ୍ୟା ପ୍ରାୟ ୨ଲକ୍ଷ ୪ହଜାର। ଏଥିରୁ ୮୫ହଜାର ଲୋକେ ଆଦିବାସୀ ଓ ହରିଜନ ଶ୍ରେଣୀର । ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ନାମରେ ପଟ୍ଟା ନାହିଁ। ନଦୀତଟ ଶିଖରପୁର ପଞ୍ଚାୟତ ବଜାରଶୋଳ ଗାଁର ବହୁ ଲୋକ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଆସୁଛନ୍ତି । ଗ୍ରାମର ବହୁ ବ୍ୟକ୍ତି ପଲିଥିନ ତଳେ ଦୟନୀୟ ଅବସ୍ଥାରେ ରହିଛନ୍ତି। ବର୍ଷା ହେଲେ ଅନ୍ୟ କାହା ଘରେ ଆଶ୍ରୟ ନେଉଛନ୍ତି। ଗ୍ରାମର ସାଗର ମାହାଲି, ମଣ୍ଟୁ ମହାଲି, ଶ୍ୟାମସୁନ୍ଦର ପ୍ରଧାନ ପଲିଥିନ ତଳେ ବାସ କରୁଥିବା ବେଳେ ଝାଟିମାଟିରେ ବାଡ଼ ଦେଇଛନ୍ତି। ଏମାନଙ୍କୁ ରାଶନକାର୍ଡ ଓ ବାର୍ଦ୍ଧକ୍ୟ ଭତ୍ତା ମିଳୁଥିବା ବେଳେ ଜମିର ପଟ୍ଟା ମିଳୁ ନ ଥିବାରୁ ଆବାସ ଯୋଜନାର ସୁଫଳ ଏମାନେ ପାଇପାରୁନାହାନ୍ତି। ସେହି ଗାଁର ଜେଠମଲ ବିନ୍ଧାଣୀ ପକ୍ଷାଘାତ ରୋଗରେ ପୀଡିତ ଥିବା ବେଳେ ରଞ୍ଜନ ସେନାପତି, ମଧୁସୂଦନ ସେନାପତି, ତାରାପଦ ମହାଲି, ଶଙ୍କର ବିନ୍ଧାଣୀ, ବୁଦ୍ଧିଆ ବିନ୍ଧାଣୀ ଓ ତପନ ବିନ୍ଧାଣୀ ଘର ଖଣ୍ଡିଏ ଲାଗି ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଜଳେଶ୍ୱର ତହସିଲରେ ଅଦ୍ୟାବଧି ଜାଗା ମିଶନରେ ୧୨୦୬ ଜଣଙ୍କୁ ଜମିପଟ୍ଟା ଦିଆଯାଇଥିବା ବେଳେ ବହୁ ବ୍ୟକ୍ତି ଆବେଦନ କରି ସେଥିରୁ ବଞ୍ଚତ୍ତ ରହିଛନ୍ତି। ଅନ୍ୟ କେତେକଙ୍କୁ ପଟ୍ଟା ମିଳିଥିବା ବେଳେ ସ୍ଥାନଟି ତାଙ୍କ ଦଖଲକୁ ଆସିପାରି ନାହିଁ।