ଅଧାରେ ରହିଲା ଜଗା ଦର୍ଶନ, ବଡ଼ଦାଣ୍ଡରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ ଭକ୍ତ, ଆଉ ତା’ ପରେ…

ପୁରୀ,୩୦ା୧୦(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାକୁ ଆସିଥିବା ଜଣେ ଭକ୍ତଙ୍କର ପୁରୀରେ ଦେହାନ୍ତ ହୋଇଛି। ମନ୍ଦିରରେ ଦର୍ଶନ ପାଇଁ ବ୍ୟାରିକେଡ୍‌ ବାହାରେ ଅପେକ୍ଷା କରିଥିବାବେଳେ ସେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ଫଳରେ ମହାପ୍ରଭୁଙ୍କ ଦର୍ଶନ ତାଙ୍କ ପାଇଁ ଅଧା ରହିଯାଇଛି। ମୃତକ ହେଉଛନ୍ତି ଢେଙ୍କାନାଳ ଜିଲାର ଦେବରାଜ ସାହୁ। ଶୁକ୍ରବାର ସକାଳେ ସେ ନିଜର ବନ୍ଧୁବାନ୍ଧବଙ୍କ ସହ ଶ୍ରୀମନ୍ଦିର ଦର୍ଶନ ପାଇଁ ଆସିଥିଲେ। ଦର୍ଶନ ନିମନ୍ତେ ବ୍ୟାରିକେଡ୍‌ ବାହାରେ ଅପେକ୍ଷା କରିଥିବା ସମୟରେ ହଠାତ୍‌ ତାଙ୍କର ଦେହ ଅସୁସ୍ଥ ହୋଇପଡ଼ିଥିଲା। ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ପରୀକ୍ଷା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ପରିବାରବର୍ଗଙ୍କ ସହ ଯୋଗାଯୋଗ ଏବଂ ଚିକିତ୍ସା ସମ୍ବନ୍ଧୀୟ କାଗଜପତ୍ର ଯାଞ୍ଚରୁ ଜଣାପଡ଼ିଛି ଯେ, ଦେବରାଜ ଗତ ତିନିବର୍ଷ ଧରି ହାର୍ଟଜନିତ ସମସ୍ୟାରେ ପୀଡ଼ିତ ଥିଲେ। ଏଥିପାଇଁ ସେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଘଟଣାକୁ ନେଇ ତାଙ୍କ ସହ ଆସିଥିବା ବନ୍ଧୁବାନ୍ଧବ ଓ ପରିବାରବର୍ଗଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

Dharitri – Odisha’s No.1 Odia Daily

Share