Categories: ଖେଳ

ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇ ଟେଷ୍ଟରୁ ଜାଡେଜା ଆଉଟ୍‌, ଆବଶ୍ୟକ ପଡିଲେ ପେନ୍‌କିଲର ନେଇ ବ୍ୟାଟିଂ କରିବେ

ସିଡ୍‌ନୀ,୧୧।୧(ପି.ଟି.): ଚଳିତ ତୃତୀୟ ଟେଷ୍ଟର ତୃତୀୟ ଦିନରେ ଆହତ ହୋଇଥିବା ଭାରତୀୟ ସିନିୟର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏବେ ଆଗାମୀ ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚରୁ ବାଦ୍‌ ପଡିଛନ୍ତି। ମିଚେଲ ଷ୍ଟାର୍କଙ୍କ ଏକ ଶର୍ଟ ବଲ୍‌ରେ ବାମହାତ ବୁଢ଼ା ଆଙ୍ଗୁଠିରେ ଆଘାତ ପାଇଥିବା ଜାଡେଜା ଚଳିତ ଟେଷ୍ଟରେ ଦ୍ୱିତୀୟ ଇନିଂସରେ ବୋଲିଂ କରିପାରି ନ ଥିଲେ। ସେ ଏବେ ୪- ୬ ସପ୍ତାହ ବିଶ୍ରାମ ନେବାର ଆବଶ୍ୟକତା ରହିଛି। ଫଳରେ ତାଙ୍କୁ ଇଂଲଣ୍ଡ ବିପକ୍ଷ ପ୍ରଥମ ୨ ଟେଷ୍ଟରୁ ବାଦ୍‌ ଦିଆଯାଇଛି ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ କୁହାଯାଇଛି। ଚେନ୍ନାଇରୁ ଫେବୃୟାରୀ ୫ରୁ ଇଂଲଣ୍ଡ ବିପକ୍ଷ ୪ ମ୍ୟାଚବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ।
ବାମହାତୀ ଏହି ଅଲରାଉଣ୍ଡର ଚଳିତ ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ ୨୮ ରନ ସଂଗ୍ରହ କରିଥିଲେ ଓ ୪ ଉଇକେଟ ଅକ୍ତିଆର କରିଥିଲେ। ଦ୍ୱିତୀୟ ଇନିଂସରେ ବୋଲିଂ କରି ନ ଥିଲେ ମଧ୍ୟ ମ୍ୟାଚ ବଞ୍ଚାଇବା ପାଇଁ ଆବଶ୍ୟକ ପଡିଲେ ସେ ଅନ୍ତିମ ଦିବସରେ ପେନ୍‌କିଲର ଇଞ୍ଜେକଶନ ନେଇ ବ୍ୟାଟିଂ କରିବେ ବୋଲି କୁହାଯାଇଛି। ସେହିପରି ଏଲ୍‌ବୋ ଇଞ୍ଜୁରିର ଶିକାର ହୋଇଥିବା ରିଷଭ ପନ୍ତ ବ୍ୟାଟିଂ କରିବେ ବୋଲି ସିନିୟର ଖେଳାଳି ରବିଚନ୍ଦ୍ରନ ଅଶ୍ୱିନ ସୂଚନା ଦେଇଛନ୍ତି। ଉଲ୍ଲେଖଥାଉ କି, ଏହି ସିରିଜରେ ଭାରତର ଏକାଧିକ ଖେଳାଳି ଆହତ ହୋଇଛନ୍ତି। ଦ୍ରୁତ ବୋଲର ଉମେଶ ଯାଦବ, ମହମ୍ମଦ ସାମି, ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ଆହତ ହୋଇ ବାଦ୍‌ପଡିସାରିଛନ୍ତି। ଉଭୟ ଜାଡେଜା ଓ ପନ୍ତଙ୍କ ସ୍କାନ କରାଯାଇଛି। କିନ୍ତୁ ଜାଡେଜାଙ୍କ ଭଳି ପନ୍ତଙ୍କ ଇଞ୍ଜୁରି ସେତେଟା ଗୁରୁତର ନୁହେଁ ବୋଲି କୁହାଯାଇଛି।

Share