ଆଦିବାସୀଙ୍କୁ ସ୍ବାବଲମ୍ବୀ କରିବ ପଣସ

କେନ୍ଦୁଝର,୩୦।୬: ବଣଜଙ୍ଗଲ ଘେରା କେନ୍ଦୁଝରରେ ମିଳୁଥିବା ଜଙ୍ଗଲଜାତ ଦ୍ରବ୍ୟ ପଣସ, ଆମ୍ବ, ଚାର କୋଳି, ଜାମୁ କୋଳି, ସିଆଡି ଆଦି ସଂଗ୍ରହ କରି ଆଦିବାସୀମାନେ ନିଜର ଗୁଜରାଣ ମେଣ୍ଟାଇଥାନ୍ତି। ତେବେ କେନ୍ଦୁଝର ଜିଲାରେ ପ୍ରଚୁର ପରିମାଣରେ ପଣସ ଫଳିଥାଏ। କିନ୍ତୁ ଏହାର ଅଭାବି ବିକ୍ରି ଯୋଗୁ ଆଦିବାସୀମାନେ ବହୁ କମ୍‌ ଦରରେ ଏହାକୁ ବିକ୍ରି କରି କ୍ଷତି ସହିଥାନ୍ତି। ସ୍ଥାନୀୟ ଅଞ୍ଚଳରେ ପଣସର ପ୍ରକ୍ରିୟାକରଣ ବ୍ୟବସ୍ଥା ନ ଥିବାରୁ ଏଗୁଡିକୁ ବହୁଦିନ ପର୍ଯ୍ୟନ୍ତ ସଂରକ୍ଷଣ ଏବଂ ସୁରକ୍ଷିତ ରଖାଯାଇପାରୁ ନାହିଁ। ତେବେ ଖୁସିର କଥା ପଣସ ପ୍ରକ୍ରିୟାକରଣ ପାଇଁ ହାତ ବଢାଇଛି ସ୍ବେଚ୍ଛାସେବୀ ସଂଗଠନ ଓସ୍କା। ଏଥିନିମନ୍ତେ ଆଦିବାସୀ ମହିଳାମାନଙ୍କୁ ନେଇ ଗଠିତ ଉତ୍ପାଦିକା ଗୋଷ୍ଠୀ ମାଧ୍ୟମରେ ତାଲିମ୍‌ ପ୍ରଦାନ କରାଯାଉଛି। ଏପରିକି ପଣସରୁ ବିଭିନ୍ନ ପ୍ରକାର ସାମଗ୍ରୀ ପ୍ରସ୍ତୁତ କରିବାର ତାଲିମ୍‌ ଏଠାରେ ଦିଆଯାଉଛି। ଶିବିରରେ ସୂଦୁର କର୍ଣ୍ଣାଟକରୁ ଆସିଥିବା ପ୍ରଶିକ୍ଷକ ତାଲିମ୍‌ ପ୍ରଦାନ କରୁଛନ୍ତି। କଞ୍ଚା ଓ ପାଚିଲା ପଣସରୁ ଚିପ୍ସ, ପାମ୍ପଡ, ଦୋଷା, ହାଲ୍‌ଓ୍ବା, କଫି ଏପରିକି ପଣସ ଅଟା ତିଆରିର କୌଶଳ ଆଦିବାସୀ ମହିଳାଙ୍କୁ ଶିଖାଯାଉଛି। ଏହି ପ୍ରଶିକ୍ଷଣ ଶିବିର ପରେ ପଣସକୁ ନଷ୍ଟ ନ କରି ବ୍ୟବସାୟଯୁକ୍ତ ଖାଦ୍ୟ ନିର୍ମାଣ କିପରି କରିପାରିବେ ତାହାର ତାଲିମ୍‌ ନେଉଛନ୍ତି ବୋଲି କେତେକ ମହିଳା ପ୍ରକାଶ କରିଛନ୍ତି।
ଜିଲାର ବିଭିନ୍ନ ଅଞ୍ଚଳରେ ପ୍ରକ୍ରିୟାକରଣର ତାଲିମ ଦେଇ ସମସ୍ତଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟ ବୋଲି ଆସିଥିବା ପ୍ରଶିକ୍ଷକ ପ୍ରକାଶ କରିଛନ୍ତି। ଏହାବ୍ୟତୀତ ଆଦିବାସୀ ମହିଳା ମାନଙ୍କୁ ପ୍ରଶିକ୍ଷଣ ଦେବା ସହ ପଣସର ସଂରକ୍ଷଣ କରି ବଜାର ସୃଷ୍ଟି କରିବା ଲକ୍ଷ୍ୟ ବୋଲି ତାଲିମ୍‌ ପ୍ରଦାନକାରୀ ସଂସ୍ଥା ଓସ୍କାର ନିର୍ଦ୍ଦେଶକ ଧରିତ୍ରୀ ରାଉତ ପ୍ରକାଶ କରିଛନ୍ତି। ଜିଲାରେ ପଣସ ଏକ ଲାଭକାରୀ ଫଳ ହେବା ସହ ଏହାର ଚାହିଦା ମଧ୍ୟ ବେଶ୍‌ ରହିଛି ା ସୂଚନାଯୋଗ୍ୟ, ଘଟଗାଁ ଓ ବାଂଶପାଳ ବ୍ଲକରୁ ୨୦ ଜଣ ମହିଳାଙ୍କୁ ଏହି ତାଲିମ୍‌ ସଦର ବ୍ଲକର ଗୋପାଳପୁର ଠାରେ ଦିଆଯାଇଥିଲା ା ସେହି ୨୦ ଜଣ ମହିଳା ନିଜନିଜ ଅଞ୍ଚଳରେ ବିଭିନ୍ନ ମହିଳାଙ୍କୁ ଏହି ପ୍ରକ୍ରିୟାକରଣ ତାଲିମ୍‌ ଦେବେ ବୋଲି ଓସ୍କାର ନିର୍ଦ୍ଦେଶକ ପ୍ରକାଶ କରିଛନ୍ତି। ଏହାବ୍ୟତୀତ ବିଭିନ୍ନ ଅଞ୍ଚଳରେ ପଣସରୁ ତିଆରି ଚିପ୍ସ, ପାମ୍ପଡ, ଅଟା, କେକ୍‌ ପ୍ରଭୃତି ସାମଗ୍ରୀ ପ୍ରଥମେ ଘଟଗାଁ ମହାଲକ୍ଷ୍ମୀ ଉପତ୍ାଦକ କମ୍ପାନୀ ଦ୍ୱାରା ବିକ୍ରୟ କରାଯିବ। ପରବର୍ତ୍ତୀ ସମୟରେ ଓରମାସ୍‌ ସାହାଯ୍ୟ ନିଆଯିବ ବୋଲି ସେ କହିଛନ୍ତି।