ରାଉରକେଲା, ୧୫।୧୦(ସଙ୍ଗୀତା ଜେନା): ପଣସ ଚୋପାରୁ ପ୍ରସ୍ତୁତ ସ୍ବଳ୍ପ ଖର୍ଚ୍ଚର ସାମଗ୍ରୀ ମାଧ୍ୟମରେ ପାନୀୟ ଜଳରୁ ୯୦ ପ୍ରତିଶତରୁ ଅଧିକ ଫ୍ଲୋରାଇଡ୍ ଦୂର କରିବାରେ ସଫଳ ହୋଇଛନ୍ତି ରାଉରକେଲା ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍ଆଇଟି)ର ଗବେଷକ। ଏହି ନୂତନ ଉଦ୍ଭାବନ ଜଳରେ ଅତ୍ୟଧିକ ଫ୍ଲୋରାଇଡ୍ ଥିବା ଅଞ୍ଚଳର ଲୋକଙ୍କ ପାଇଁ ସୁରକ୍ଷିତ ପାନୀୟ ଜଳଯୋଗାଣ କ୍ଷେତ୍ରରେ ଏକ ଆଶା ସୃଷ୍ଟି ହୋଇଛି। ଏହି ଜ୍ଞାନକୌଶଳ ପେଟେଣ୍ଟ ମଧ୍ୟ ହାସଲ କରିଛି। ଏନ୍ଆଇଟିର ଗବେଷକମାନେ ଫିଙ୍ଗିଦିଆଯାଉଥିବା ପଣସ ଫଳ ଚୋପାରୁ ଆକ୍ଟିଭେଟେଡ୍ କାର୍ବନ ପ୍ରସ୍ତୁତ କରିଛନ୍ତି। ଏହାର ଫ୍ଲୋରାଇଡ୍ ଶୋଷଣ କ୍ଷମତା ବୃଦ୍ଧି କରିବା ପାଇଁ ଏଥିରେ ଜିର୍କୋନିୟମ ମିଶ୍ରଣ କରାଯାଇଛି। ପରୀକ୍ଷାଗାରରେ ଏହି ସାମଗ୍ରୀର ପ୍ରୟୋଗ କରି ମାତ୍ର ୧୦ ମିନିଟ୍ ମଧ୍ୟରେ ଜଳରୁ ୯୦ ପ୍ରତିଶତରୁ ଅଧିକ ଫ୍ଲୋରାଇଡ୍ ପାଣିରୁ ଅପସାରଣ ସଫଳତା ମିଳିଛି।
ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍ଓ)ର ରିପୋର୍ଟ ଅନୁଯାୟୀ, ପାନୀୟ ଜଳରେ ଅତ୍ୟଧିକ ଫ୍ଲୋରାଇଡ୍ ରହିଲେ ଏହା ମଣିଷର ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ଏହାଦ୍ୱାରା ଦାନ୍ତ ଓ ହାଡ଼ ସମ୍ବନ୍ଧୀୟ ଫ୍ଲୋରୋସିସ୍ ରୋଗ ହୋଇପାରେ। ଦେଶର ବିଭିନ୍ନ ଅଞ୍ଚଳର ଭୂତଳ ଜଳରେ ଫ୍ଲୋରାଇଡ୍ ମାତ୍ରା ଅଧିକ ଦେଖାଯାଉଥିବାରୁ ସ୍ବଳ୍ପ ଖର୍ଚ୍ଚରେ ଜଳ ବିଶୋଧନ ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଛି। ଜଳରୁ ଫ୍ଲୋରାଇଡ୍ ଦୂରକରିବା ପାଇଁ ରିଭର୍ସ ଓସ୍ମୋସିସ୍ (ଆର୍ଓ), ଆୟନ୍ ଏକ୍ସଚେଞ୍ଜ୍ ଓ ଆକ୍ଟିଭେଟେଡ୍ ଆଲୁମିନା ଭଳି ପଦ୍ଧତି ବ୍ୟବହାର କରାଯାଉଛି। ତେବେ ଆର୍ଓ ପ୍ରକ୍ରିୟାରେ ବହୁ ପରିମାଣର ଜଳ ନଷ୍ଟହେବା ସହ କ୍ୟାଲସିୟମ୍ ଓ ମ୍ୟାଗ୍ନେସିୟମ୍ ଭଳି ଉପକାରୀ ଖଣିଜ ପଦାର୍ଥ ମଧ୍ୟ ବାହାରିଯାଏ। ଅନ୍ୟ କେତେକ ପଦ୍ଧତିରେ ରାସାୟନିକ ପଦାର୍ଥର ବ୍ୟବହାର ହେଉଥିବାରୁ ପରିବେଶ ଉପରେ ଏହାର ପ୍ରଭାବକୁ ନେଇ ପ୍ରଶ୍ନ ରହିଛି। ଏଭଳି ସ୍ଥିତିରେ କୃଷିଜାତ ବର୍ଜ୍ୟବସ୍ତୁରୁ ଜଳ ବିଶୋଧନ ସାମଗ୍ରୀ ପ୍ରସ୍ତୁତି ଏକ ବିକଳ୍ପ ଭାବେ ଉଭା ହୋଇଛି। ଏହି ଗବେଷଣା ସମ୍ପର୍କରେ ରାଉରକେଲା ଏନ୍ଆଇଟିର କେମିକାଲ୍ ଇଞ୍ଜିନିୟରିଂ ବିଭାଗ ପ୍ରଫେସର ସୁସ୍ମିତା ମିଶ୍ର କହିଛନ୍ତି, କୃଷିଜାତ ବର୍ଜ୍ୟବସ୍ତୁକୁ ଜଳ ବିଶୋଧନର ଉପଯୋଗୀ ସାମଗ୍ରୀରେ ପରିଣତ କରିବା ହେଉଛି ଏହି ଗବେଷଣାର ମୂଳ ଉଦ୍ଦେଶ୍ୟ। ବର୍ଜ୍ୟ ପଣସ ଚୋପାରୁ ଆକ୍ଟିଭେଟେଡ୍ କାର୍ବନ ପ୍ରସ୍ତୁତ କରି ସେଥିରେ ଜିର୍କୋନିୟମ୍ ମିଶାଯାଇଛି। ପରୀକ୍ଷାଗାରରେ ଏହା ଆଶାଜନକ ଫଳ ଦେଇଛି। ତେବେ ବାସ୍ତବ କ୍ଷେତ୍ରରେ ଏହାର ବ୍ୟବହାର ପୂର୍ବରୁ ଆହୁରି ପରୀକ୍ଷା ଓ ଯାଞ୍ଚର ଆବଶ୍ୟକତା ରହିଛି। ପ୍ରଫେସର ସୁସ୍ମିତା ମିଶ୍ର ଓ ଏନ୍ଆଇଟିର ଗବେଷଣା ସ୍ନାତକ ଡ. ପ୍ରତିମା ମିଞ୍ଜ ଏହି ଗବେଷଣାରେ ସାମିଲ ଅଛନ୍ତି। ଏହି ଜ୍ଞାନକୌଶଳ ପାଇଁ ୨୦୨୫ ଅଗଷ୍ଟ ୨୫ରେ ପେଟେଣ୍ଟ ହାସଲ କରାଯାଇଛି। ପରୀକ୍ଷାଗାରରେ ପ୍ରତି ଲିଟର ଜଳରେ ୧ରୁ ୫ ମିଲିଗ୍ରାମ୍ ଫ୍ଲୋରାଇଡ୍ ଥିବା ସ୍ଥିତିରେ ଏହି ସାମଗ୍ରୀ ୧୦ରୁ ୨୦ ମିନିଟ୍ ମଧ୍ୟରେ ୯୦ରୁ ୯୭ ପ୍ରତିଶତରୁ ଅଧିକ ଫ୍ଲୋରାଇଡ୍ ଦୂର କରିପାରିଛି। ଏହି ପ୍ରାରମ୍ଭିକ ସଫଳତା ଗ୍ରାମାଞ୍ଚଳ ଓ ଅର୍ଦ୍ଧ ସହରାଞ୍ଚଳରେ ବିକେନ୍ଦ୍ରୀକୃତ ଜଳ ବିଶୋଧନ ବ୍ୟବସ୍ଥା ବିକାଶର ସମ୍ଭାବନା ସୃଷ୍ଟି କରିଛି। ଏଥିସହ କୃଷିଜାତ ବର୍ଜ୍ୟବସ୍ତୁର ପୁନଃ ବ୍ୟବହାର ଦ୍ୱାରା ପରିବେଶ ଅନୁକୂଳ ଜ୍ଞାନକୌଶଳକୁ ମଧ୍ୟ ପ୍ରୋତ୍ସାହନ ମିଳିପାରିବ। ଏହି ସାମଗ୍ରୀ ପ୍ରସ୍ତୁତିରେ ବ୍ୟବହୃତ ବିଦ୍ୟୁତ୍ ଓ ରାସାୟନିକ ପଦାର୍ଥର ଖର୍ଚ୍ଚକୁ ହିସାବକୁ ନେଇ ଗବେଷକମାନେ ପ୍ରତି ଗ୍ରାମ୍ ପିଛା ପ୍ରାୟ ୩୭ ଟଙ୍କା ବ୍ୟୟ ଆକଳନ କରିଛନ୍ତି। ଏହି ଗବେଷଣା ବର୍ତ୍ତମାନ ଟେକ୍ନୋଲୋଜି ରେଡିନେସ୍ ଲେଭଲ୍-୪ (ଟିଆର୍ଏଲ୍-୪) ଅର୍ଥାତ୍ ପରୀକ୍ଷାଗାର ସ୍ତରରେ ପ୍ରମାଣିତ ହୋଇଛି। ଆଗକୁ ଏହାର ଏକ ବ୍ୟବହାରଯୋଗ୍ୟ ମଡେଲ ପ୍ରସ୍ତୁତ କରିବା ସହ ଦୀର୍ଘକାଳୀନ କାର୍ଯ୍ୟକ୍ଷମତା, ବ୍ୟବହାରିକ ଉପଯୋଗିତା ଓ ପରିଚାଳନା ଖର୍ଚ୍ଚ ଆକଳନ କରିବାକୁ ଗବେଷକମାନେ ଯୋଜନା ରଖିଛନ୍ତି ବୋଲି ଏନ୍ଆଇଟି ପକ୍ଷରୁ କୁହାଯାଇଛି।