ଭଲ ମଣିଷ ମିଳିବା କଷ୍ଟ

ଉମାଶଙ୍କର ପ୍ରସାଦ

ଆଜିର ସମାଜରେ ତଥାକଥିତ ବଡ଼ ମଣିଷମାନଙ୍କର ସଂଖ୍ୟା ସେମାନଙ୍କ ଭୂମିକା ଅନୁଯାୟୀ ବଢ଼ି ବଢ଼ି ଚାଲିଥିବା ବେଳେ ବାସ୍ତବ ‘ଭଲମଣିଷ’ମାନଙ୍କର ସଂଖ୍ୟା ସେହି ବହୁଚର୍ଚ୍ଚିତ ସନ୍ଥ ଦାର୍ଶନିକ ଦାଓଜେନଙ୍କ ଦିନ ଦ୍ୱିପ୍ରହରରେ ଲଣ୍ଠନ ଜାଳି ଭଲ ମଣିଷଟିଏ ଖୋଜୁଥିବା ଖୋଜିବାରେ ହିଁ ରହିଯାଇଛି। ବର୍ତ୍ତମାନ ଭଲମଣିଷ ଓ ବଡ଼ମଣିଷଙ୍କ ଚରିତ୍ର ଆଲୋଚନା କରିବା ପୂର୍ବରୁ ଏହି ଦୁଇ ଶ୍ରେଣୀର ପରିଚୟର ପରିଭାଷା ଉଲ୍ଲେଖ କରାଯାଇପାରେ। ‘ଭଲମଣିଷ’ କହିଲେ ଯାହାଙ୍କ କାର୍ଯ୍ୟ ଓ ବ୍ୟବହାର ନୀତି ନିୟମ ଅନୁସାରେ ପରିଚାଳିତ ହେଉଥିବ। ଅର୍ଥାତ୍‌ ସେ ସମସ୍ତ ମାନବୋଚିତ ମହତଗୁଣର ଅଧିକାରୀ ହୋଇଥିବେ। ତାଙ୍କ ପାଖରେ ସଚ୍ଚୋଟପଣିଆ, ସତ୍ୟ, ନ୍ୟାୟ, ଦୟା, କ୍ଷମା, ସେବା, ତ୍ୟାଗ, ପରୋପକାର, ଅହିଂସାଭାବ, ଆପଣାପର ଭାବର ତଫାତ୍‌ ବିହୀନ, ନିଃସ୍ବାର୍ଥପଣ, ଅହଂଭାବଶୂନ୍ୟତା, ଆତ୍ମପ୍ରଚାର ବିମୁଖତା, ସକାରାତ୍ମକ କର୍ମପ୍ରବଣତା, ଦେଶ ପ୍ରୀତି ପ୍ରଭୃତି ଗୁଣଗରିମା ସକ୍ରିୟ ଥିବା ବାଞ୍ଛନୀୟ। ତାଙ୍କର ଆଚରଣ ଓ ଉଚ୍ଚାରଣରେ କୌଣସି ଭିନ୍ନତା ନ ଥିବା ଦରକାର। ଏ ପ୍ରକାର ମଣିଷଙ୍କୁ ଆମେ ଭଲ ମଣିଷର ଆଖ୍ୟା ଦେଇଥାଉ। ଅନ୍ୟପକ୍ଷରେ ‘ବଡ଼ମଣିଷ’କହିଲେ ଆମେ ପ୍ରଖ୍ୟାତ ଆବିଷ୍କାରକ, ବୈଜ୍ଞାନିକ, ଲେଖକ, କବି, ଚିନ୍ତାନାୟକ, ନେତା, ଅଭିନେତା-ଅଭିନେତ୍ରୀ ଓ ଅନ୍ୟ ବିଭିନ୍ନ କର୍ମଭୂମିର ନାୟକ-ମହାନାୟକଙ୍କୁ ବୁଝିଥାଉ।
ଉଲ୍ଲିଖିତ ‘ବଡ଼ମଣିଷ’ମାନଙ୍କ ମଧ୍ୟରୁ ସୀମିତ ସଂଖ୍ୟାର ବ୍ୟକ୍ତିବିଶେଷ ଭଲ ମଣିଷର ଚରିତ୍ର ବହନ କରିବା ସହ ବଡ଼ମଣିଷର ଭୂମିକା ପାଳନ କରିଥାନ୍ତି। କହିବା ବାହୁଲ୍ୟ ଆଜିର ସମାଜରେ ଭଲମଣିଷ ଗୁଣ ସହ ବଡ଼ମଣିଷ ହୋଇଥିବାର ଦୃଷ୍ଟାନ୍ତ ପ୍ରାୟ ବିରଳ। ମାତ୍ର ଆମେ ଯଦି ଆମର ପୂର୍ବସୂରୀମାନଙ୍କର ଗାଥାକୁ ରୋମନ୍ଥନ କରିବା ତେବେ ଆମ ଦେଶରେ ଭଲମଣିଷ ଗୁଣବତ୍ତା ସହ ବଡ଼ମଣିଷ ଉଦାହରଣ ପାଇପାରିବା। ବିଶ୍ୱ ମାନଚିତ୍ରରେ ଲିଓ ଟଲଷ୍ଟୟ, ଗାରିବାଲଡି, ଫ୍ଲୋରେନ୍ସନାଇଟିଙ୍ଗେଲ, ଆବ୍ରାହମ ଲିଙ୍କନ, ମ୍ୟାକ୍ସ ମୁଲାର, ନେଲସନ ମଣ୍ଡେଲା, ସୀମାନ୍ତ ଗାନ୍ଧୀ ଓ ଦଲାଇଲାମା ପ୍ରମୁଖ ଏବଂ ଆମ ଦେଶରେ ମହାତ୍ମା ଗାନ୍ଧୀ, ମଦର ଟେରେସା, ଗୋପବନ୍ଧୁ, ନବକୃଷ୍ଣ ଚୌଧୁରୀ, ସର୍ବପଲ୍ଲୀ ରାଧାକ୍ରିଷ୍ଣନ, ଈଶ୍ୱରଚନ୍ଦ୍ର ବିଦ୍ୟାସାଗର, ଲାଲବାହାଦୁର ଶାସ୍ତ୍ରୀ, ରାଜା ରାମମୋହନ ରାଏ, ରାମକୃଷ୍ଣ ପରମହଂସ, ବିବେକାନନ୍ଦ,ଅରବିନ୍ଦଙ୍କ ଭଳି ଅନେକ ଏହି ପର୍ଯ୍ୟାୟଭୁକ୍ତ। ଏମାନେ ପ୍ରାୟ ସମସ୍ତେ ଭଲମଣିଷର ଗୁଣଗରିମା ସହ ବଡ଼ମଣିଷର ଭୂମିକା ନିର୍ବାହ କରିଛନ୍ତି। ତେଣୁ ସେମାନେ ଯୁଗଯୁଗକୁ ବିଶ୍ୱରେ ତଥା ଆମ ନିଜ ଦେଶରେ ଆଦର୍ଶ ହୋଇ ରହିବା ସହ ଜନ ମାନସରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରିଛନ୍ତି।
ବର୍ତ୍ତମାନର ଏଇ ଆଧୁନିକ ଯୁଗରେ ଭଲମଣିଷଙ୍କ ଅକାଳ ମରୁଡ଼ି ପଡ଼ିଥିବା ବେଳେ ତଥାକଥିତ ବଡ଼ମଣିଷଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏମାନଙ୍କ ମଧ୍ୟରୁ ହାତ ଗଣତି ବଡ଼ମଣିଷ ଭଲମଣିଷର ଗୁଣବତ୍ତା ବହନକରି ନିଜ ନିଜ କର୍ମଭୂମିରେ ଆଦର୍ଶ ପଦବାଚ୍ୟ ହେଉଛନ୍ତି, କିନ୍ତୁ ଅଧିକାଂଶ ତଥାକଥିତ ବଡ଼ମଣିଷ, ଯଥା ଆଜିକାଲିର ନେତୃ-ବର୍ଗୀୟ ଏବଂ ଅଭିନେତାଙ୍କଠୁ ଆରମ୍ଭକରି ସ୍ବାର୍ଥ ସମାଜସେବୀ, ସାଧୁ ବେଶରେ ଅସାଧୁ ଚରିତ୍ରର ବ୍ୟକ୍ତିତ୍ୱ, ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀ ସାଧାରଣ ଜନତାଙ୍କ ଆଗରେ ଦେଖାଣିଆ ଇନ୍ଦ୍ରଜାଲ ସୃଷ୍ଟିକରି ସ୍ବାର୍ଥସର୍ବସ୍ବ ଆତ୍ମଅଭିଳାଷ ପୂର୍ଣ୍ଣକରି ଚାଲିଛନ୍ତି। ଆଜି ସମାଜର ବିଭିନ୍ନ କ୍ଷେତ୍ରରେ ଭଲମଣିଷ ଦୁର୍ଲଭ ଥିଲାବେଳେ ଅଧିକାଂଶ ଲୋକଦେଖାଣିଆ ସମାଜସେବୀ ଓ ଦଳୀୟ ମୁଖିଆଙ୍କ ବୋଲକରା ତଥା ଗୋଡ଼ାଣିଆ ସ୍ବଭାବର ବ୍ୟକ୍ତିବିଶେଷ ବିଧାୟକ, ସାଂସଦ, ତଥା ରାଜନୈତିକ ପଦ ପଦବୀକୁ ଜାବୁଡ଼ିଧରି ରାଜନୈତିକ ଓ ଗଣତାନ୍ତ୍ରିକ ଅର୍ଥଲୁଟ ସଂଗଠନର ନେତୃତ୍ୱ ବାନାଧରି ରାତାରାତି ବଡ଼ଲୋକ ହୋଇଯାଉଛନ୍ତି। ଏହାଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ କେହି ନାହାନ୍ତି କି ଏମାନଙ୍କୁ ପ୍ରଶ୍ନ ପଚାରିବାର ଅଧିକାର କାହାର ନାହଁି। ଏହି ଧରଣର ବଡ଼ଲୋକମାନଙ୍କ ମଧ୍ୟରୁ ଅନେକ ଦୁର୍ନୀତି, ହତ୍ୟା, ବଳାତ୍କାର ବା ବିଭିନ୍ନ ବ୍ୟଭିଚାରରେ ସଂପୃକ୍ତ ରହି ବଡ଼ମଣିଷର ପଦବୀକୁ କଳଙ୍କିତ କରୁଛନ୍ତି। ଏବେ ବି କେନ୍ଦ୍ରରେ ୫୦-୬୦ରୁ ଊର୍ଦ୍ଧ୍ୱ ତଥାକଥିତ ପଦସ୍ଥ ମନ୍ତ୍ରୀମାନଙ୍କ ବିରୋଧରେ ମହାଦୁର୍ନୀତି ଅଭିଯୋଗ ରହିଛି। ଶେଷରେ ଏତିକି କହିବି ଆମ ପରିବାର, ସମାଜ, ଗଁା, ଅଞ୍ଚଳ, ଦେଶର ସର୍ବାଙ୍ଗୀନ ଉନ୍ନତି ପାଇଁ ତଥାକଥିତ ବଡ଼ମଣିଷଙ୍କ ଅପେକ୍ଷା ଭଲମଣିଷଙ୍କ ସଂଖ୍ୟାରେ ବୃଦ୍ଧିର ଆବଶ୍ୟକତା ଅଛି। ଆସନ୍ତୁ ଆମେ ସମସ୍ତେ ନିଜକୁ ଭଲମଣିଷଟିଏ କରି ଆମ ଦେଶ ତଥା ଜାତିର ସର୍ବବିଧ କଲ୍ୟାଣ ପାଇଁ ପ୍ରୟାସ କରିବା।
ଖୋର୍ଦ୍ଧା, ମୋ: ୬୩୭୦୬୭୫୫୬୨


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri