୮ବର୍ଷ ହେଲା ଗଛମୂଳେ ଚାଲିଛି ଦମକଳ କେନ୍ଦ୍ର

କଣାସ,୨୩।୨(ସ୍ବ.ପ୍ର): କଣାସ ବ୍ଲକରେ ଦମକଳ କେନ୍ଦ୍ର ସ୍ଥାପନ ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ବାରମ୍ବାର ଦାବି ହେବାରୁ ୨୦୧୩ ଫେବୃୟାରୀ ୧୨ରେ ମୁଖ୍ୟମନ୍ତ୍ରୀ ପଞ୍ଚାୟତ ସମିତି ସଭାଗୃହ ନିକଟରେ ଥିବା ଏକ ବରଗଛ ତଳେ ଅସ୍ଥାୟୀ ଭାବେ ଦମକଳ କେନ୍ଦ୍ର ଉଦ୍‌ଘାଟନ କରିଥିଲେ। ହେଲେ ଆଜକୁ ୮ବର୍ଷ ବିତିଯାଇଥିଲେ ମଧ୍ୟ ଦମକଳ କେନ୍ଦ୍ରରର ନିଜସ୍ବ ଗୃହ ତିଆରି ହୋଇପାରିନାହିଁ। ଫଳରେ ଦମକଳ କେନ୍ଦ୍ର କର୍ମଚାରୀ ସହ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଦମକଳ କେନ୍ଦ୍ରରେ ନିଯୁକ୍ତି ପାଇଥିବା କର୍ମଚାରୀମାନେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ଖବର ଅନୁଯାୟୀ, ଦମକଳ କେନ୍ଦ୍ରର ସ୍ଥାୟୀ ଗୃହ ନିର୍ମାଣ ପାଇଁ ୫ବର୍ଷ ହେଲା ୬୫ଲକ୍ଷ ଟଙ୍କା ଆସି ବ୍ୟାଙ୍କରେ ପଡିଛି। ଗୃହ ନିର୍ମାଣ ପାଇଁ ଜାଗା ଚିହ୍ନଟ ହୋଇପାରୁ ନ ଥିବାରୁ ନିର୍ମାଣ କାର୍ଯ୍ୟ ହୋଇପାରୁ ନାହିଁ । ଏ ସମ୍ପର୍କରେ ତହସିଲଦାର ଲକ୍ଷ୍ମୀଧର ମହାରଣା କୁହନ୍ତି, ଦମକଳ କେନ୍ଦ୍ର ପାଇଁ ଜାଗା ଚିହ୍ନଟ ହୋଇଯାଇଛି। କାଗଜପତ୍ର କାମ ନିକଟରେ ଶେଷ ହେବାପରେ ଖୁବଶୀଘ୍ର ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।