୩ବର୍ଷ ହେଲା ବସିନି ଜଳ ପରିଚାଳନା କମିଟି ବୈଠକ

ସମ୍ବଲପୁର,୧୪ ।୮(ବ୍ୟୁରୋ):  ମହାନଦୀ ଜଳ ବିବାଦକୁ ନେଇ ଛତିଶଗଡ଼ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ବିବାଦ ଲାଗିରହିଛି। ଏପରି କି ଏହି ମାମଲା କେନ୍ଦ୍ରୀୟ ଜଳ କମିଶନ (ସିଡବ୍ଲ୍ୟୁସି)ରେ ରହିଛି। ଏଭଳି ପରିସ୍ଥିତିରେ ଉଭୟ ରାଜ୍ୟ ମଧ୍ୟରେ ଜଳ ପରିଚାଳନା କମିଟି ବୈଠକ ତିନିବର୍ଷ ହେଲା ହୋଇପାରୁ ନାହିଁ। ଏଥିରେ ଛତିଶଗଡ଼ ଜଳସମ୍ପଦ ବିଭାଗ ଓ ସରକାରଙ୍କୁ ଦାୟୀ କରିଛନ୍ତି ହୀରାକୁଦ ବନ୍ଧ ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ। ସେ କହିଛନ୍ତି, ଜଳ ବଣ୍ଟନକୁ ନେଇ ଲାଗିରହିଥିବା ବିବାଦ ଭିନ୍ନ କଥା। ମହାନଦୀ ଜଳ ପରିଚାଳନା ପାଇଁ ଛତିଶଗଡ଼ ବୈଠକ କରି ଆଲୋଚନା କରିବାରେ କୌଣସି ସମସ୍ୟା ନାହିଁ। ବାରମ୍ବାର ବୈଠକ ପାଇଁ ଚିଠି କରାଯାଇଥିଲେ ମଧ୍ୟ କୌଣସି ଆନ୍ତରିକତା ଦେଖାଇଲା ନାହିଁ ଛତିଶଗଡ଼। ଶେଷଥର ପାଇଁ ୨୦୧୯ରେ ବୈଠକ ହୋଇଥିଲା। ପରେ ୨୦୨୨ ଏପ୍ରିଲ ୧୩ରେ ଉଭୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟି ବୈଠକ କରିବା ପାଇଁ ସ୍ଥିର ହୋଇଥିଲା। ବୁର୍ଲା ଅଶୋକ ନିବାସଠାରେ ଏହି ବୈଠକ ହେବାର ଥିଲା। ସିଡବ୍ଲ୍ୟୁସି ପକ୍ଷରୁ ଉଭୟ ସରକାରଙ୍କୁ ଚିଠି କରି ତାରିଖ ଓ ସମୟ ସ୍ଥିର ହୋଇଥିଲା। ହେଲେ ଏପ୍ରିଲ ୧୧ରେ ଛତିଶଗଡ଼ ସରକାର ବୈଠକରେ ଅନୁପସ୍ଥିତ ରହିବେ ବୋଲି ସୂଚନା ଦେଇ ବୈଠକ ବାତିଲ କରିଥିଲେ। ଜଳ ପରିଚାଳନା
ନେଇ ମନ୍‌ସୁନ୍‌ ପୂର୍ବରୁ ସାଧାରଣ ବୈଠକ ହୁଏ। ହେଲେ ୩ବର୍ଷ ହେଲା ବୈଠକ ହୋଇପାରିନାହିଁ। ଏବେ ଛତିଶଗଡ଼ରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଛତିଶଗଡ଼ରେ ଡ୍ୟାମ ଓ ବ୍ୟାରେଜଗୁଡ଼ିକର ଗେଟ୍‌ ଖୋଲା ଅଛି। ହୀରାକୁଦ ଜଳଭଣ୍ଡାରକୁ ମାତ୍ରାଧିକ ବନ୍ୟାଜଳ ପ୍ରବେଶ କରୁଛି। ସମ୍ବଲପୁର ଓ ହୀରାକୁଦ ଜଳଭଣ୍ଡାର ତଳି ଅଞ୍ଚଳରେ ବର୍ଷାର ପରିମାଣ ବଢ଼ି ଚାଲିଛି। ଏଭଳି ପରିସ୍ଥିତିରେ ଛତିଶଗଡ଼ ଜଳସମ୍ପଦ ଅଧିକାରୀ ହୀରାକୁଦ ଡ୍ୟାମ୍‌ର ଅଧିକ ଗେଟ୍‌ ଖୋଲିବା ପାଇଁ ଚାପ ପକାଉଛନ୍ତି। ଜଳଭଣ୍ଡାର ତଳି ଅଞ୍ଚଳ ଲୋକଙ୍କ ପାଇଁ ବିପଦ ରହିଛି। ଆସନ୍ତା ୨୨ ତାରିଖରେ ସିଡବ୍ଲ୍ୟୁସି ପକ୍ଷରୁ ଏକ ବୈଠକ କରିବା ପାଇଁ ପୁଣି ଉଭୟ ସରକାରଙ୍କୁ ଚିଠି କରାଯାଇଛି। ଛତିଶଗଡ଼ ସରକାରଙ୍କ ଅବହେଳା ଓ ଦାୟିତ୍ୱହୀନତା ପାଇଁ ସେଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ଓ ହୀରାକୁଦ ଜଳଭଣ୍ଡାର ଜଳ ପରିଚାଳନାରେ ମଧ୍ୟ ସମସ୍ୟା ସୃଷ୍ଟି ହେଉଛି। ଏବେ ଜଳଭଣ୍ଡାରରେ ୪୫ ପ୍ରତିଶତ ଖାଲି ରହିଛି।